ମଦୁଆ ଦେଲେଣି ୭୫ ଲକ୍ଷ ଜରିମାନା

ଖୋଲାରେ ମଦ ପିଇ ୧୪ ହଜାର ମଦୁଆ ଗଣିଛନ୍ତି ତଣ୍ଡ

କଟକ: ସର୍ବସାଧାରଣ ସ୍ଥାନରେ ମଦ ପିଇବା ମଦୁଆଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ୨୦୧୬ରୁ ୨୦୨୧ ଭିତରେ ସହରରେ ମୋଟ ୧୩ ହଜାର ୭୭୧ ମଦୁଆ ଖୋଲାଖୋଲି ମଦ ପିଇ ଫସିଲେଣି। କମିସନରେଟ୍ ପୁଲିସ ଏମାନଙ୍କୁ ସର୍ବସାଧାରଣ ସ୍ଥାନରୁ ଧରିଛି। ପୁଲିସ ହାତରେ ଧରାପଡ଼ିଥିବା ଏହି ମଦୁଆଙ୍କ ନିକଟରୁ ଏହି ବର୍ଷଗୁଡ଼ିକ ଭିତରେ ମୋଟ ୭୪ଲକ୍ଷ ୯୦ ହଜାର ୫୦୦ ଜରିମାନା କଟକ କମିସନରେଟ୍ ପୁଲିସ ଆଦାୟ କରିଛି। ଏହି ରିପୋର୍ଟ ହିଁ ସୂଚାଉଛି ଯେ ସରକାରୀ ନିୟମକୁ ନେଇ ଲୋକେ ଏତେଟା ସଚେତନ ନାହାନ୍ତି। ସୂଚନା ଅନୁଯାୟୀ, କଟକ ସହରରେ ଜିଲ୍ଲା ଅବକାରୀ ବିଭାଗ ପ୍ରାୟ ୨୦ଟି ଠିପି ଖୋଲା ଦୋକାନ ବା ବାର୍‌କୁ ଅନୁମତି ଦେଉଛି। ଯେଉଁଠାରେ ଗ୍ରାହକ ବସି ମଦ ପିଇପାରିବେ। କିନ୍ତୁ ବାର୍ ବାଦ୍ ସର୍ବସାଧାରଣ ସ୍ଥାନରେ ଠିପି ବନ୍ଦ ଦୋକାନରୁ ମଦ ନେଇ କେହି ପିଇପାରିବେ ନାହିଁ। ଏହା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ହୋଇଥିବାରୁ ଓୟୁପି(ଓଡ଼ିଶା ଅର୍ବାନ୍‌ ପୁଲିସ) ବା ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନର ଧାରା ୮୧ ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ୫୦୦ ଟଙ୍କା ଲେଖାଏ ଜରିମାନା ଆଦାୟ କରିବାର ବ୍ୟବସ୍ଥା ରହିଛି। ସର୍ବସାଧାରଣ ସ୍ଥାନରେ ମଦ ପିଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିୟମିତ ଭାବେ କଟକ ସହରରେ ଥିବା ୧୮ଟି ପୁଲିସ ଥାନାକୁ କଡ଼ା ନିର୍ଦ୍ଦେଶ ରହିଛି।

ଖୋଲାରେ ମଦ ପିଇଲେ ଏହା ଅପରାଧିକ କାର୍ଯ୍ୟକଳାପ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ସମ୍ପୃକ୍ତ ମଦ୍ୟପଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କମିସନରେଟ୍ ପୁଲିସର ଏକ ରିପୋର୍ଟ ଅନୁଯାୟୀ, ୨୦୨୧ ଜାନୁଆରିରୁ ଜୁନ୍‌ ଯାଏ ଖୋଲାରେ ମଦ ପିଇଛନ୍ତି ୪୭୮ ଜଣ। ଏହି ଅଭିଯୋଗରେ ସମ୍ପୃକ୍ତ ମଦ୍ୟପଙ୍କ ନିକଟରୁ ୨ ଲକ୍ଷ ୪୭ ହଜାର ୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ୨୦୨୦ରେ ୧୨ ଶହ ୬୩ ଜଣ ଖୋଲାରେ ମଦ ପିଇଥିବା ବେଳେ ସେମାନଙ୍କ ନିକଟରୁ ୬ ଲକ୍ଷ ୫୮ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ୨୦୧୯ରେ ୨୫ ଶହ ୯୭ ଜଣ ମଦ୍ୟପଙ୍କ ନିକଟରୁ ୧୩ ଲକ୍ଷ ୩୨ ହଜାର ୫୦୦ ଟଙ୍କା ଜରିମାନା, ୨୦୧୮ରେ ୨୧ଶହ ୫୨ ଜଣ ମଦ୍ୟପଙ୍କ ନିକଟରୁ ୧୫ ଲକ୍ଷ ୮୯ ହଜାର ଟଙ୍କା ଜରିମାନା, ୨୦୧୭ରେ ୩ହଜାର ୩୯ ଜଣ ମଦ୍ୟପଙ୍କ ନିକଟରୁ ୧୫ଲକ୍ଷ ୨୧ ହଜାର ୫୦୦ ଟଙ୍କା ଜରିମାନା, ୨୦୧୬ରେ ୪ ହଜାର ୨୬୯ ଜଣ ମଦ୍ୟପଙ୍କ ନିକଟରୁ ୨୧ ଲକ୍ଷ ୪୨ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ମୁଖ୍ୟତଃ ପୁଲିସ ବାଲିଯାତ୍ରା ପଡ଼ିଆ, ହାଡ଼ିଆ ପଠା, ସିଡିଏ ଅଞ୍ଚଳରୁ ସର୍ବାଧିକ ଥର ମଦ୍ୟପଙ୍କୁ ଖୋଲାଖୋଲି ମଦ ପିଉଥିବା ଅବସ୍ଥାରେ ଧରିଛି।

ସମ୍ବନ୍ଧିତ ଖବର