ତିଗିରିଆ: ରାସ୍ତା କଡ଼ରେ ମଳତ୍ୟାଗ କରୁଥିବା ବ୍ୟକ୍ତିଙ୍କ ଉ‌ପରେ ଚଢିଗଲା କାର। ତିଗିରିଆ ଥାନା ଅନ୍ତର୍ଗତ ୬୫ ନମ୍ବର ରାଜ୍ୟ ରାଜପଥର ପାଞ୍ଚଗାଁ ସାହୁଘର ଛକ ନିକଟରେ ସକାଳ ୫ଟାରେ ଏହି ଘଟଣା ଘଟିଛି। ରାସ୍ତା କଡ଼ରେ ମଳତ୍ୟାଗ କରୁଥିବା ସମୟରେ ବ୍ୟକ୍ତିଙ୍କ ଉ‌ପରେ କାର ଚଢିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଉକ୍ତ ବ୍ୟକ୍ତି ଜଣକ ପାଞ୍ଚଗାଁର ଧରଣୀଧର ବେହେରା ବୋଲି ଜଣାପଡ଼ିଛି। ଏହା ସହ କାରରେ ଥିବା ଦୁଇଜଣ ଯାତ୍ରୀ ମଧ୍ୟ ଆହତ ହୋଇଥିବା ଜଣା ପଡ଼ିଛି। ସେମାନେ ହେଲେ ଢେଙ୍କାନାଳ ଜିଲ୍ଲା କଦମପାଳର ଲତା ନାୟକ ଓ ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ ଗ୍ରାମର ସୁଜତା ନାୟକ।
ସୂଚନା ମୁତାବକ, ବଡମ୍ବାରୁ ବାହାଘର ସାରି ଫେରୁଥିବା ଏକ ଅଲଟୋ କାରର ଚାଳକଙ୍କ ଆଖି ଲାଗିଯିବାରୁ ରାସ୍ତା କଡ଼ରେ ମଳତ୍ୟାଗ କରୁଥିବା ଧରଣୀଧରଙ୍କ ଉପରେ କାରଟି ଚଢିଯାଇଥିଲା। ଧକ୍କା ଦେଇ କାରଟି ରାସ୍ତା କଡ଼କୁ ଓଲଟି ପଡ଼ିବାରୁ କାରରେ ଥିବା ୪ ଜଣଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଆହାତ ହେବା ସହ ମଳତ୍ୟାଗ କରୁଥିବା ଧରଣୀଧର ବେହେରା ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସରେ ଗୁରୁତର ଆହତମାନଙ୍କୁ ଆଠଗଡ ଡାକ୍ତରଖାନାକୁ ପଠାଯାଇଛି। ଘଟଣାସ୍ଥଳରେ ତିଗିରିଆ ଥାନା ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି।

publive-image Sambad

ଆଠଗଡ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ଚାଲିଥିବା ସମୟରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତିନି ଗୁରୁତର ଆହତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କାର ମଧ୍ୟରେ ଥିବା ୮ ବର୍ଷର ବାଳକ ଅଳ୍ପକେ ବର୍ତ୍ତିଯାଇଛି। ଅନ୍ୟପକ୍ଷରେ ଖବର ପାଇ ଘଟଣାସ୍ଥଳରେ ତିଗିରିଆ ପୁଲିସ ପହଞ୍ଚି କାରଟି ଜବତ କରି ତଦନ୍ତ ଜାରି ରଖିଛି।