୨୦ ବ୍ଲୁ ସିଡି, ଡିଭିଡି ପ୍ଲେୟାର, ପେନ୍ ଡ୍ରାଇଭ୍, ୧୭ ହଜାର ଟଙ୍କା ଜବତ
କଟକ : ସ୍ୱାମୀ ପାନ ଦୋକାନୀ । ସ୍ତ୍ରୀ ଦେହବେପାରୀ । ସିଡିଏ ସେକ୍ଟର ୮ରେ ଚାଲିଥିଲା ଦେହବେପାର । ଗରାଖଙ୍କୁ ବ୍ଲୁ ଫିଲ୍ଲ ଦେଖାଇ ଚଳାଉ ଥିଲେ ବେପାର । ପ୍ରତି ସର୍ଟ ପିଛା ହଜାରରୁ ୧୫ ଶହ ଟଙ୍କା ଆଦାୟ କରାଯାଉଥିଲା । ଆଜି ପୁଲିସ ବେପାର ସମ୍ପର୍କରେ ଖବର ପାଇ ଅତର୍କିତ ଚଢ଼ଉ କରିଥିଲା। ପୁଲିସ ୨ ଅବିବାହିତ ଦେହଜୀବୀଙ୍କୁ ଉଦ୍ଧାର କରିଥିବା ବେଳେ ଜଣେ ରାଣୀ ମହୁମାଛି ଏବଂ ଜଣେ ଗ୍ରାହକଙ୍କୁ ଗିରଫ କରିଛି । ଚଢ଼ଉ ବେଳେ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ଅଭିଯୁକ୍ତ ରାଣୀ ମହୁମାଛି ପିଙ୍କି (ଛଦ୍ମନାମ) ପାଇଖାନାରେ ସିମ୍ କାର୍ଡ ଫିଙ୍ଗି ଦେଇଥିବା ପୁଲିସ ଜାଣିବାକୁ ପାଇଛି।
ସୂଚନା ଅନୁଯାୟୀ, ମର୍କତନଗର ଥାନା ସିଡିଏ ସେକ୍ଟର ୮ସ୍ଥିତ ପ୍ଲଟ୍ ନଂ ଏଫ୍/୩୫୦ରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନୂଆଗାଁ ଅଞ୍ଚଳର ଜଣେ ବିବାହିତ ମହିଳା ନିଜ ସ୍ୱାମୀ ଏବଂ ଚାରି ବର୍ଷର ଝିଅ ସହିତ ଭଡ଼ା ନେଇ ରହୁଥିଲେ । ଘର ଭଡ଼ା ମାସକୁ ୩ ହଜାର ୮୦୦ ଟଙ୍କା ଲେଖାଏ ଦେଉଥିଲେ। ସ୍ୱାମୀ ବଜ୍ରକବାଟି ଅଞ୍ଚଳରେ ପାନ ଦୋକାନ ଦେଇଥିବା ବେଳେ ସ୍ତ୍ରୀ ଉକ୍ତ ଭଡ଼ା ଘରେ ଦେହ ବେପାର ଚଳାଇଥିଲେ । ଘର ମାଲିକ ସେଠି ରହୁ ନଥିବାରୁ ଘଟଣା ସମ୍ପର୍କରେ କେହି ସୁରାଗ୍ ପାଇପାରୁନଥିଲେ । ଯେଉଁ ଗରାଖ ତାଙ୍କ ଭଡ଼ା ଘରକୁ ଆସୁଥିଲେ ସେ ପଡ଼ୋଶୀଙ୍କୁ ସମ୍ପର୍କିୟ ଆସିଥିବା କହୁଥିଲେ । ଆଜି ପୁଲିସ ତାଙ୍କ ଦେହ ବେପାର ଆଡ୍ଡା ଉପରେ ଚଢ଼ଉ କରି ଘଟଣାର ପର୍ଦ୍ଦାଫାସ କରିଥିଲା ।
କେନ୍ଦ୍ରାପଡ଼ା ତିନିମୁହାଣି ଅଞ୍ଚଳର ଅରୁଣ ସିଂହ ନାମକ ଜଣେ ବେପାରୀ କଲେଜ ଛକ ଜିନିଷ ପତ୍ର କିଣିବାକୁ ଆସିଥିବା ବେଳେ ଜଣେ ଅଟୋ ଚାଳକ ବନ୍ଧୁଙ୍କ ସହିତ ଦେଖା ହୋଇଥିଲା। ଅଟୋ ଚାଳକ ଜଣକ ତାଙ୍କୁ ସଂପୃକ୍ତ ମହିଳାର ଠିକଣା କହିବା ସହିତ ତାଙ୍କୁ ଅପରାହ୍ନ ପ୍ରାୟ ୪ଟା ବେଳେ ଅଟୋରେ ଆଣି ଆଡ୍ଡାରେ ଛାଡ଼ିଥିଲା । ଭିତରେ ଅନୈତିକ କାର୍ଯ୍ୟ ଚାଲିଥିବା ବେଳେ ମର୍କତନଗର ଥାନା ପୁଲିସ କୌଣସି ସୂତ୍ରରୁ ଖବର ପାଇ ସେଠାରେ ଚଢ଼ଉ କରିଥିଲା । ଘଟଣା ସ୍ଥଳରୁ ଅରୁଣ ଏବଂ ସଂପୃକ୍ତ ମହିଳାଙ୍କୁ ପୁଲିସ ଗିରଫ କରିଥିବା ବେଳେ ଦୁଇ ଦେହଜୀବୀଙ୍କୁ ଉଦ୍ଧାର କରିଥିଲା । ଦେହଜୀବୀଙ୍କ ମଧ୍ୟରେ ଜଣେ ଭଦ୍ରକ ଜିଲ୍ଲା ଅଗରପଡ଼ାର ଏବଂ ଅନ୍ୟ ଜଣେ ଜଗତସିଂହପୁର ଅଞ୍ଚଳର । ଉଭୟଙ୍କ ବୟସ ୨୫ରୁ ୨୮ ବର୍ଷ ମଧ୍ୟରେ ।
ପିଙ୍କି ନିକଟରୁ ନଗଦ ୧୦ ହଜାର ଟଙ୍କା, ୩ଟି ମୋବାଇଲ୍ ଫୋନ୍, ୨୦ରୁ ଅଶ୍ଳୀଳ ସିଡିି, ଡିଭିଡି ପ୍ଲେୟାର୍, ଦୁଇଟି ପେନ୍ ଡ୍ରାଇଭ୍, ଦୁଇଟି ଏଟିଏମ୍ କାର୍ଡ, ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବା ବେଳେ ଅରୁଣ ନିକଟରୁ ନଗଦ ୭ ହଜାର ଟଙ୍କା ଏବଂ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ୩/୪/୫/୬/୭ ଆଇଟିପି(ଇମୋରାଲ୍ ଟ୍ରାଫିକିଂ ପ୍ରିଭେନ୍ସନ୍ ଆକ୍ଟ) ଏବଂ ଆଇପିସିର ୩୭୦ରେ ମାମଲା(କେସ୍ ନଂ ୧୪୨/୧୭)ରେ ମାମଲା ରୁଜୁ କରାଯାଇଛି । ଆସନ୍ତାକାଲି ଦେହଜୀବୀ ଏବଂ ଅଭିଯୁକ୍ତଙ୍କର କଟକ ବଡ଼ ମେଡିକାଲ୍ରେ ଡାକ୍ତରୀମାଇନା କରାଯିବ ବୋଲି ଇନ୍ସପେକ୍ଟର ଦେବେନ୍ଦ୍ର ବିଶ୍ୱାଳ କହିଛନ୍ତି ।