ବୃଦ୍ଧାଙ୍କ ସହ ପାଶବିକ ଅତ୍ୟାଚାର : ଅଭିଯୁକ୍ତଙ୍କୁ ବାନ୍ଧି ନିସ୍ତୁକ ମାଡ଼

ବିଳମ୍ବରେ ପୁଲିସ ପହଞ୍ଚିବା ନେଇ ଉତ୍ତେଜନା

ଚୌଦ୍ୱାର-ଗୁରୁଡିଝାଟିଆ : ଚୌଦ୍ୱାର ଥାନା ଅଞ୍ଚଳରେ ଘଟିଛି ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା। କରଞ୍ଜି ପଞ୍ଚାୟତ ବଡକୁସୁନପୁର ଗ୍ରାମର ଜଣେ ୭୦ ବର୍ଷିୟା ବୃଦ୍ଧାଙ୍କୁ ୨ଜଣ ଯୁବକ ଦୁଷ୍କର୍ମ କରିବା ପରେ ତାଙ୍କ ଶରୀରର ସମ୍ବେଦନଶୀଳ ସ୍ଥାନରେ ଜରିପୋଡି ଫୋଟକା କରିଦେବା ଭଳି ପାଶବିକ ଘଟଣା ଘଟିଛି। ଏହି ଘଟଣାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀମାନେ ଦୁଇ ଅଭିଯୁକ୍ତଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିବା ସହ ପୁଲିସ ଜିମା ଦେଇଥିଲେ ବି ଜଣେ ଅଭିଯୁକ୍ତ ଖସି ଯିବାରେ ସକ୍ଷମ ହେବା ଘଟଣା ପ୍ରତିକ୍ରିୟା ସୃଷ୍ଟି କରିଛି। ଅନ୍ୟପଟେ ଖବର ପାଇବାର ଚାରି ଘଣ୍ଟା ପରେ ପୁଲିସ ପହଞ୍ଚିବା ଘଟଣାକୁ ନେଇ ମଧ୍ୟ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ପୁଲିସ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଉଭୟ ପୀଡିତା ଓ ଅଭିଯୁକ୍ତଙ୍କର ଆସନ୍ତାକାଲି ଡାକ୍ତରୀମାଇନା କରାଯିବ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ ୭୦ ବର୍ଷ ବୟସ୍କା ଏହି ବିଧବା ମହିଳା ଜଣକ ବଡ଼ ଝିଅର ବାହାଘର ପରେ ଗାଁରେ ଏକୁଟିଆ ରହୁଥିବା ବେଳେ ସାନ ଝିଅ, ଜ୍ୱାଇଁ ଓ ପୁଅ କଟକରେ ରୁହନ୍ତି। ଗତକାଲି ରାତିରେ ବୃଦ୍ଧା ଜଣକ ଘରେ ଶୋଇଥିବାବେଳେ ପଡୋଶୀ ଘରର ଜମ୍ବୁଆ ଦେହୁରୀ (୩୫) ଓ ଖନା ଓରଫ ବିଦ୍ୟାଧର ଦେହୁରୀ (୩୭) ତାଙ୍କ ଘରେ ପଶି ବଳପୂର୍ବକ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ବୃଦ୍ଧା ଜଣକ ଯନ୍ତ୍ରଣାରେ ଚିତ୍କାର କରିବାରୁ ଉଭୟ ଯୁବକ ଘରେ ଥିବା ଖଇନି, ପଲିଥିନ୍‌ ଗୁଡିକୁ ନିଅାଁ ଲଗାଇ ବୃଦ୍ଧାଙ୍କ ସମ୍ବେଦନଶୀଳ ଅଙ୍ଗଗୁଡିକରେ ଚେଙ୍କ ଦେଇଥିଲେ । ବୃଦ୍ଧା ଜଣକ ଚିତ୍କାର କରିଥିଲେ ବି ବିଳମ୍ବିତ ରାତିରେ କେହି ଜାଣି ପାରି ନଥିଲେ। ଯନ୍ତ୍ରଣାରେ ବୃଦ୍ଧା ଜଣଙ୍କ ଘରର ମାଟି ଆମ୍ପୁଡି ଦେବା ସହ ସେହିଠାରେ ପରିସ୍ରା କରିପକାଇଥିଲେ। ତାଙ୍କ ଗୁପ୍ତାଙ୍ଗରୁ ପ୍ରବଳ ରକ୍ତସ୍ରାବ ହେବା ଫଳରେ ସେ ମୁମୂର୍ଷୁ ଅବସ୍ଥାରେ ପଡି ରହିଥିଲେ।

ବୃଦ୍ଧା ଜଣକ ଗାଁର ଅନ୍ୟ ମୁଣ୍ଡରେ ରହୁଥିବା ତାଙ୍କ ବଡ଼ ଝିଅ ଘରକୁ ପ୍ରତ୍ୟେକ ଦିନ ସକାଳେ ଯାଆନ୍ତି। କିନ୍ତୁ ଆଜି ସେ ନ ଆସିବାରୁ ଦିନ ପ୍ରାୟ ୧୦ଟା ବେଳକୁ ତାଙ୍କ ବଡ଼ ଝିଅ ବୃଦ୍ଧାଙ୍କୁ ଦେଖିବାକୁ ଦେହୁରୀ ସାହିକୁ ଯାଇଥିଲେ। ସେଠାରେ ମା’ଙ୍କ ଅବସ୍ଥା ଦେଖି ସମସ୍ତଙ୍କୁ ଡାକ ପକାଇଥିଲେ। ଗ୍ରାମବାସୀମାନେ ବୃଦ୍ଧାଙ୍କଠାରୁ ସବୁ ଘଟଣା ଶୁଣିବାପରେ ଦୁଇ ଦୁର୍ବୃତ୍ତଙ୍କୁ ଖୋଜି ନିକଟସ୍ଥ ଜଙ୍ଗଲ ମଧ୍ୟରେ ଲୁଚିଥିବା ଅବସ୍ଥାରେ ଧରିଥିଲେ। ସେ ଦୁହିଁଙ୍କୁ ଆଣି ବୃଦ୍ଧାଙ୍କ ଘର ଖୁଣ୍ଟିରେ ବାନ୍ଧି ଦେଇଥିଲେ। ଚୌଦ୍ୱାର ପୁଲିସକୁ ଏ ସଂପର୍କରେ ସୂଚନା ଦିଆଯାଇଥିଲେ ବି ପୁଲିସ ୪ଘଣ୍ଟା ବିଳମ୍ବରେ ଦିନ ପ୍ରାୟ ୩ଟା ସମୟରେ ପହଞ୍ଚଥିଲା । ଉତ୍ତ୍ୟକ୍ତ ଗ୍ରାମବାସୀମାନେ ପୁଲିସ ଗାଡିକୁ ଘେରି ରହିଥିବା ବେଳେ ଉଭୟ ଜମ୍ବୁଆ ଓ ଖନା ଘଟଣାସ୍ଥଳରୁ ଖସି ଧାନ ବିଲରେ ଦୌଡିଥିଲେ। ଗ୍ରାମର ଯୁବକମାନେ ସେମାନଙ୍କ ପିଛାକରି ଜମ୍ବୁଆକୁ ଧରିବାରେ ସକ୍ଷମ ହୋଇଥିଲାବେଳେ ଖନା ସେଠାରୁ ଚମ୍ପଟ ମାରିଥିଲା । ଅଭିଯୁକ୍ତ ଖନା ଆଦିବାସୀ ଠାକୁରଙ୍କର ଜଣେ ପୂଜକ ବୋଲି ଜଣାପଡିଛି।

ପୁଲିସର ଏଭଳି ନିଷ୍କ୍ରିୟତାକୁ ନେଇ ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ବଚସା ହୋଇଥିଲା। ପୁଲିସର ବିଳମ୍ବ ଯୋଗୁଁ ଖନା ଖସିଯିବା ସମ୍ଭବ ହେଲା ବୋଲି ଅଭିଯୋଗ କରି ବୃଦ୍ଧାଙ୍କ ବଡ଼ ଝିଅ ପୁଲିସ ଗାଡି ଆଗରେ ବସି ରହିଥିଲେ। ପରେ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମର ପ୍ରତିନିଧିମାନେ ଏଥିରେ ହସ୍ତକ୍ଷେପ କରିବାପରେ ଗ୍ରାମବାସୀମାନେ ପୁଲିସକୁ ସହଯୋଗ କରିଥିଲେ। ପୁଲିସ ଉଭୟ ବୃଦ୍ଧା ଓ ଜମ୍ବୁଆକୁ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଇଛି। ଖୁବ୍‌ ଶୀଘ୍ର ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଖନାକୁ ମଧ୍ୟ ଧରାଯିବ ବୋଲି ଥାନା ଅଧିକାରୀ ରଶ୍ମି ରଂଜନ ମହାପାତ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର