କଟକ : ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ୍ରେ ଜଣେ ମହିଳା କନିଷ୍ଠ ଡାକ୍ତରଙ୍କୁ ଯୌନ ନିର୍ଯାତନା, ହତ୍ୟା ଧମକ ଭଳି ସଂଗୀନ ଅଭିଯୋଗ ହୋଇଛି। ଘଟଣା ସଂପର୍କରେ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏସସିବି ଡେଣ୍ଟାଲ୍ କଲେଜ୍ର ଓରାଲ୍ ଆଣ୍ଡ ମାକ୍ସିଲୋଫାସିଆଲ୍ ସର୍ଜରୀ (ଓଏମ୍ଏଫ୍ଏସ୍) ସ୍ନାତକୋତ୍ତର ଦ୍ୱିତୀୟ ବର୍ଷ ଛାତ୍ରୀ ଜଣକ ମଙ୍ଗଳାବାଗ ଥାନାରେ ବିଭାଗୀୟ ମୁଖ୍ୟଙ୍କ ସମେତ ତିନି ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପୁଲିସ ଆଇପିସିର ଦଫା ୩୫୪, ୩୫୪(ଏ), ୨୯୪, ୩୨୩, ୫୦୬, ୩୪ରେ ମାମଲା (ନଂ ୨୩୧/୧୭) ରୁଜୁ କରିଛି ।
ଅଭିଯୋଗ ଅନୁଯାୟୀ, ସଂପୃକ୍ତ ଛାତ୍ରୀଙ୍କୁ ଗଲା କିଛି ଦିନ ହେବ ବିଭାଗର ଜଣେ ଆସୋସିଏଟ୍ ପ୍ରଫେସର୍ ଏବଂ ସିନିୟର ରେସିଡେଣ୍ଟ ଯୌନ ଶୋଷଣ ଉଦ୍ୟମ କରିଥିଲେ । ତାଙ୍କ ପ୍ରତି ଆପତ୍ତିଜନକ ଆଚରଣ କରିବା ସହ ଅନୈତିକ ପ୍ରସ୍ତାବ ଦେଇଥିଲେ। ଛାତ୍ରୀ ଜଣକ ରାଜି ନହେବାରୁ ତାହାର ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଇଥିଲେ। ପରୀକ୍ଷାରେ ଫେଲ୍ କରାଇବା ସହିତ କ୍ୟାରିଅର୍ ନଷ୍ଟ କରିଦେବା ଏମିତିକି ହତ୍ୟା ଧମକ ଦେଇଥିବା ଛାତ୍ରୀ ଜଣକ ଏତଲାରେ ଉଲ୍ଲେଖ କରିଛନ୍ତି । ଏ ସଂକ୍ରାନ୍ତରେ ସେ ଗଲା ୭ ତାରିଖ ଦିନ ପ୍ରାୟ ୨ଟା ସମୟରେ ବିଭାଗୀୟ ମୁଖ୍ୟଙ୍କୁ ଅଭିଯୋଗ କରିବାକୁ ଯାଇଥିଲେ । କିନ୍ତୁ ବିଭାଗୀୟ ମୁଖ୍ୟ ଡାକ୍ତର ଜଣକ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଟଣାଟଣି କରି ନିଜ କାର୍ଯ୍ୟାଳୟରୁ ବାହାରି ଯିବାକୁ କହିଥିଲେ। ମଙ୍ଗଳାବାଗ ଥାନାରେ ଆଜି ଛାତ୍ରୀ ଜଣକ ଏ ସଂକ୍ରାନ୍ତରେ ଅଭିଯୋଗ କରିବା ପରେ ବିଭାଗୀୟ ମୁଖ୍ୟ, ଆସୋସିଏଟ୍ ପ୍ରଫେସର ଓ ସିନିଅର୍ ରେସିଡେଣ୍ଟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆସନ୍ତାକାଲି ପୀଡ଼ିତାଙ୍କ ସହିତ କେତେଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିବାକୁ ପୁଲିସ ଯୋଜନା କରୁଛି ।
ସିଆରପିସି ୧୬୧ ଓ ୧୬୪ରେ ପୀଡିତା ଓ ସାକ୍ଷୀଙ୍କ ବୟାନ ରେକର୍ଡ କରାଯିବ ବୋଲି ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି। ଅଭିଯୁକ୍ତ ଡାକ୍ତରଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇ ଘଟଣାକୁ ଅନୁଧ୍ୟାନ କରାଯିବ। ପ୍ରମାଣ ମିଳିଲେ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି । ଅନ୍ୟପଟେ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଇନ୍ଦୁଭୂଷଣ କର ଏଭଳି ଅଭିଯୋଗ ସଂପୂର୍ଣ୍ଣ ଅମୂଳକ ବୋଲି କହିଛନ୍ତି। ଡାକ୍ତର କର କହିଛନ୍ତି ଯେ ସଂପୃକ୍ତ କନିଷ୍ଠ ଡାକ୍ତର ଜଣକ ଶୁକ୍ରବାର ରାତିରେ ଡ୍ୟୁଟି କରି ନଥିଲେ। ଏ ସଂପର୍କରେ ତାଙ୍କୁ ପଚରା ଯିବାରୁ ସେ ଏବେ ଏ ପ୍ରକାର ଅଭିଯୋଗ ଆଣୁଛନ୍ତି ବୋଲି ଡାକ୍ତର କର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/scb-1.jpg)