ହାଇକୋର୍ଟରେ ଶିଶୁପାଳଗଡ଼ ସୁରକ୍ଷା ପ୍ରସଂଗ: ଜବାବ ରଖିବାକୁ ସରକାରଙ୍କୁ ଶେଷ ସୁଯୋଗ

କଟକ: ଶିଶୁପାଳଗଡ଼ ସୁରକ୍ଷା ସଂପର୍କିତ ମାମଲାରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ) ୨୦୨୧, ଡିସେମ୍ବର ୨୪ର ଦାଖଲ କରିଥିବା ସତ୍ୟପାଠ ଉପରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶେଷ ସୁଯୋଗ ଦେଇଛନ୍ତି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌.ମୁରଲୀଧର ଓ ଜଷ୍ଟିସ୍ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ମାର୍ଚ୍ଚ ୧୫ର ନିର୍ଦ୍ଦେଶ ଅନୁସାରେ ସତ୍ୟପାଠ ଦାଖଲ ପାଇଁ ଅଧିକ ସମୟ ଲୋଡ଼ିଥିଲେ ରାଜ୍ୟ ସରକାର। ଶେଷ ସୁଯୋଗ ଦେଇ ଚାରି ସପ୍ତାହ ଭିତରେ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୧୫ର ନିର୍ଦ୍ଦେଶ କଡ଼ାକଡ଼ି ପାଳନ ପାଇଁ ହାଇକୋର୍ଟ କହିଛନ୍ତି। ଜୁଲାଇ ୧୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ୧୯୫୦ ନଭେମ୍ବର ୧୩ର ଗେଜେଟ୍‌ ବିଜ୍ଞପ୍ତି ଅନୁସାରେ ଶିଶୁପାଳଗଡ଼ର ସଂରକ୍ଷିତ ଅଞ୍ଚଳ ୫୬୨ ଏକର ୬୮୧ ଡିସିମିଲ ହୋଇଥିବା ବେଳେ ଏହି ବିଜ୍ଞପ୍ତିକୁ କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାରଙ୍କ କ’ଣ ବିସ୍ତୃତ ଯୋଜନା ରହିଛି, ସେ ନେଇ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ମାର୍ଚ୍ଚ ୧୫ରେ ନିର୍ଦ୍ଦେଶ ଦେଇଥିଲେ। ଜବରଦଖଲ ଉଚ୍ଛେଦ କରି ଏହି ସଂରକ୍ଷିତ ଘୋଷିତ ୫୬୨ ଏକର ୬୮୧ ଡିସିମିଲ ଜମି‌ ଚାରି‌ପାଖେ ପାଚେରି ନିର୍ମାଣ ବ୍ୟବସ୍ଥା ପାଇଁ କ’ଣ ଯୋଜନା ରହିଛି, ସେ ନେଇ ଚାରି ସପ୍ତାହ ଭିତରେ  ଅବଗତ କରିବାକୁ ସରକାରଙ୍କୁ ହାଇକୋର୍ଟ କହିଥିଲେ।

ଏଏସ୍‌ଆଇ ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକଙ୍କ ତରଫରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଐତିହାସିକ ଶିଶୁପାଳଗଡ଼ର ସୁରକ୍ଷା ପ୍ରସଂଗରେ ବାରମ୍ବାର ଅନୁରୋଧ ପରେ ମଧ୍ୟ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ୧୯୫୦ ନଭେମ୍ବର ୧୩ର ଗେଜେଟ ବିଜ୍ଞପ୍ତି ଅନୁସାରେ ଶିଶୁପାଳଗଡ଼ର ସଂରକ୍ଷିତ ଅଞ୍ଚଳ ୫୬୨ ଏକର ୬୮୧ ଡିସିମିଲ ହୋଇଥିବା ବେଳେ ମାତ୍ର ୭୭୫ ଡିସିମିଲ ଜମିର ସୀମା ଗତବର୍ଷ ନିର୍ଦ୍ଧାରଣ କରାଯାଇଛି। ସଂପୂର୍ଣ୍ଣ ଭାବେ ୫୬୨ ଏକର ୬୮୧ ଡିସିମିଲ ଜମିର ସୀମା ନିର୍ଦ୍ଧାରଣ ସହ ଜବରଦଖଲ ବନ୍ଦ କରିବା ଓ ବେଆଇନ ଭାବେ ନିର୍ମିତ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣକୁ ଉଚ୍ଛେଦ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କର୍ତ୍ତୃପକ୍ଷଙ୍କୁ ଏଏସଆଇ ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଇଥିଲା। କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।

ସଂରକ୍ଷିତ ଅଞ୍ଚଳର ଅଧିକାଂଶ ଜମି ଏବେ ଜବରଦଖଲରେ ରହିଛି। ଐତିହାସିକ ଶିଶୁପାଳଗଡ଼ର ସଂରକ୍ଷିତ ଅଞ୍ଚଳରେ ଜବରଦଖଲ କରି ବେଆଇନ ଭାବେ କୋଠାବାଡ଼ି ନିର୍ମାଣ କରାଯାଇଛି। ଦିନକୁ ଦିନ ଜବରଦଖଲ ପରିମାଣ ବଢ଼ି ଚାଲିଛି। ଶିଶୁପାଳଗଡ଼ର ସଂରକ୍ଷିତ ଜମିରେ ଥିବା ଐତିହାସିକ  ବେଆଇନ ଭାବେ ବହୁତଳ ପ୍ରାସାଦ ସବୁ ନିର୍ମାଣ କରାଯାଇଥିବା ବେଳେ ରାଜ୍ୟ ସରକାର ସବୁ ଜାଣି ଚୁପ ବସିଛନ୍ତି। ଓଲଟି ବେଆଇନ ଭାବେ ନିର୍ମାଣ କରାଯାଇଥିବା କୋଠାଗୁଡ଼ିକ ପାଇଁ ରାଜ୍ୟ ସରକାର ରାସ୍ତାଘାଟ, ବିଦ୍ୟୁତ୍‌, ଡ୍ରେନ୍ ଓ ଅନ୍ୟାନ୍ୟ ସୁବିଧା କରିଛନ୍ତି। ଶିଶୁପାଳଗଡ଼ର ସଂରକ୍ଷିତ ଅଞ୍ଚଳରେ କୌଣସି ପ୍ରକାର ନିର୍ମାଣ ପାଇଁ ଏଏସଆଇ ଓ କେନ୍ଦ୍ର ସରକାରଙ୍କ ଅନୁମତି ନିଆଯିବା କଥା। କିନ୍ତୁ ରାଜ୍ୟ ସରକାର କୌଣସି ପ୍ରକାର ଅନୁମତି ନେଇନାହାନ୍ତି ବୋଲି ଏଏସ୍‌ଆଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଏଥିସହ ମାମଲାରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀକ୍ଷକ ଦାଖଲ କରିଥିବା ସତ୍ୟପାଠରେ ହାଇକୋର୍ଟରେ ଉପଯୁକ୍ତ ତଥ୍ୟ ଉପସ୍ଥାପନ କରାଯାଇନାହିଁ। ସରକାରଙ୍କ ସତ୍ୟପାଠରେ କେତେକ ପ୍ରସଂଗରେ ଭୁଲ ଅବତାରଣା କରାଯାଇଥିବା ବେଳେ ତଥ୍ୟ ଲୁଚାଯାଇଛି ବୋଲି ଏଏସଆଇ ଦର୍ଶାଇଥିଲା। ୨୦୨୧ ଜୁନ୍ ୧୧ରେ ଶିଶୁପାଳଗଡ଼ରେ ଭୁବନେଶ୍ବର ତହସିଲ କାର୍ଯ୍ୟାଳୟର ଅଧିକାରୀ, ଏଏସ୍‌ଆଇ ଅଧିକାରୀଙ୍କ ଉପସ୍ଥିତିରେ ଯୁଗ୍ମସର୍ଭେ ଓ ସୀମା ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ ଏଏସ୍‌ଆଇ ନାଁରେ ରେକର୍ଡ ଥିବା ମାତ୍ର ୭୭୫ ଡିସିମିଲ ଜମିର ସୀମା ନିର୍ଦ୍ଧାରଣ କରାଯାଇଥିଲା। ଏହି ୭୭୫ ଡିସିମିଲ ଶିଶୁପାଳଗଡ଼ର ସଂରକ୍ଷିତ ଘୋଷଣା କରାଯାଇଥିବା ୫୬୨ ଏକର ୬୮୧ ଡିସିମିଲ ଅନ୍ତର୍ଭୁକ୍ତ ବୋଲି ଏସଏସଆଇ ଦର୍ଶାଇଛି। ପ୍ରାଧିକୃତ ତଥା ରାଜସ୍ବ କର୍ତ୍ତୃପକ୍ଷ ନିଜ ଦାୟିତ୍ବ ନିର୍ବାହ କରିବାରେ ବିଫଳ ହୋଇ ଶିଶୁପାଳଗଡ଼ ଭଳି ଐତିହାସିକ, ସାଂସ୍କୃତିକ ସଂପତ୍ତିକୁ ବିପଦ ମୁହଁକୁ ଠେଲି ଦେଇଛନ୍ତି।

ଶିଶୁପାଳଗଡ଼ର ସଂରକ୍ଷିତ ଅଞ୍ଚଳରେ ପାଚେରି ନିର୍ମାଣ ପାଇଁ ଏଏସଆଇ ତରଫରୁ ୮୧ ଲକ୍ଷ ୩ ହଜାର ୯୭୧ ଟଙ୍କା ମଞ୍ଜୁର କରାଯାଇଛି। କିନ୍ତୁ ବେଆଇନ ଜବରଦଖଲ ଉଚ୍ଛେଦ ଓ ସଂପୂର୍ଣ୍ଣ ସଂରକ୍ଷିତ ଅଞ୍ଚଳର ସୀମା ନିର୍ଦ୍ଧାରଣ ପରେ ପାଚେରି ନିର୍ମାଣ କରାଯାଇପାରିବ ବୋଲି ଏଏସଆଇ ତରଫରୁ ଦର୍ଶାଯାଇଥିଲା। ଯଦି କୌଣସି ସଂରକ୍ଷିତ କୀର୍ତ୍ତିରାଜିର ସଂରକ୍ଷିତ ଅଞ୍ଚଳର ଜମି ଜବରଦଖଲ କରାଯାଏ ବା କୌଣସି ବେଆଇନ ନିର୍ମାଣ କରାଯାଇଥାଏ, ଏଏସଆଇର ଦାୟିତ୍ବ ହେଉଛି  ଜିଲ୍ଲାପାଳ ଓ ଜିଲ୍ଳା ପ୍ରଶାସନକୁ ଅବଗତ କରିବ। କିନ୍ତୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ରାଜ୍ୟ ସରକାରଙ୍କ ବୋଲି ଏଏସଆଇ ତରଫରୁ ଦର୍ଶାଯାଇଛି। ଜିଲ୍ଲାପାଳ, ଆରଡିସି ଓ ବହୁ ଉଚ୍ଚସ୍ତରୀୟ ବୈଠକରେ ଶିଶୁପାଳଗଡ଼ର ସଂରକ୍ଷିତ ଅଞ୍ଚଳରେ ଜବରଦଖଲ ପ୍ରସଂଗରେ ଏଏସ୍‌ଆଇ ଅବଗତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏଏସଆଇ ତରଫରୁ ଶିଶୁପାଳଗଡ଼ ସଂରକ୍ଷିତ ଅଞ୍ଚଳ ଜବରଦଖଲ କରି କରାଯାଇଥିବା ନିର୍ମାଣର ଫଟୋ ମଧ୍ୟ ସତ୍ୟପାଠ ସହିତ ଦାଖଲ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଶିଶୁପାଳଗଡ଼ର ସୁରକ୍ଷା ପ୍ରସଂଗ ନେଇ ୨୦୦୭ରେ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟସ୍ ଆଣ୍ଡ୍ କଲଚର୍ ହେରିଟେଜ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଗୁରୁ ପ୍ରସାଦ ମହାନ୍ତି ଓ ଏଏସଆଇ ତରଫରୁ ଆଇନଜୀବୀ ଚନ୍ଦ୍ରକାନ୍ତ ପ୍ରାଧନ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର