ଭାରତ ପରେ ସହଯୋଗୀ ଶିବ ଗୋଛି ତଡ଼ିପାର୍‌

କଟକ : କିଛି ଦିନ ପରେ ଗଣ୍ଡରପୁର ଅଞ୍ଚଳର ଗ୍ୟାଙ୍ଗଷ୍ଟର୍‌ ଭାରତ ଭୂଷଣ ସ୍ବାଇଁ ନିଜ ପୁଅ ବାହାଘର କରିଥା’ନ୍ତା। ବାହାଘର ୪୨ ମୌଜ଼ା ଅଞ୍ଚଳରେ ହେବାକୁ ଥିବା ବେଳେ ଭୋଜି ଚହଟାଘାଟ ନିକଟ ଏକ ହୋଟେଲରେ ହୋଇଥାଆନ୍ତା। ଏଥିପାଇଁ ହୋଟେଲକୁ ଲକ୍ଷାଧିକ ଟଙ୍କା ଅଗ୍ରିମ ଦିଆସରିଥିଲା। କଟକ ସହରର ବହୁ ପୁରୁଣା ଅପରାଧୀ ବାହାଘରରେ ସାମିଲ ହେବାର ଯୋଜନା ଥିଲା। ହେଲେ, କମିସନରେଟ୍‌ ପୁଲିସ ଗ୍ୟାଙ୍ଗଷ୍ଟର୍‌ ଭାରତକୁ କଟକରୁ ତଡ଼ିପାର୍‌ ଘୋଷଣା କରିବା ପରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଭାରତ ପରେ ଆଜି ତା’ର ଘନିଷ୍ଠ ସହଯୋଗୀ ସେହି ଅଞ୍ଚଳର ଶିବ ଗୋଛିକୁ ମଧ୍ୟ କଟକରୁ ତଡ଼ିପାର୍‌ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଗ୍ୟାଙ୍ଗଷ୍ଟର୍‌ ଭାରତର ପୁଅ ବାହାଘରର ରୂପରେଖ ବଦଳି ଯାଇଛି। ଏ ଦୁହିଁଙ୍କୁ ତଡ଼ିପାର୍‌ ଘୋଷଣା କରିବା ପରେ କମିସନରେଟ୍‌ ପୁଲିସ ଉକ୍ତ ବାହାଘର ଉପରେ ନଜର ରଖିଛି। ଗ୍ୟାଙ୍ଗଷ୍ଟର୍‌ ପୁଅ ବାହାଘରକୁ କେଉଁମାନେ ଆସିବେ, ହୋଟେଲରେ ବାହାଘରର କିପରି ବ୍ୟବସ୍ଥା କରାଯାଇଛି, ହୋଟେଲର ସିସିଟିଭି କ୍ୟାମେରା କାମ କରୁଛି ନା ନାହିଁ, ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଦନ୍ତ କରିବାକୁ ସ୍ପେସାଲ ସ୍କ୍ବାଡ୍‌ ୮ଜଣିଆ ଟିମ୍ ତିଆରି କରିଛି। ଦୁଇ ଅପରାଧୀଙ୍କୁ କଟକରୁ ତଡ଼ିପାର୍‌ କରାଯାଇଥିବା ବେଳେ ଏମାନଙ୍କୁ ଦେଖିବା ମାତ୍ରେ ତୁରନ୍ତ ଗିରଫ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ଶିବ ନାମରେ ପୂର୍ବରୁ ୨୦୦୫ ମସିହାରେ ଅପହରଣ, ୨୦୦୭ରେ ଦାଦାବଟି ଭଳି ୩ଟି ଅଭିଯୋଗ, ୨୦୧୬ରେ ଧଳସାମନ୍ତଙ୍କ ସହ ମିଶି ବାଲିଘାଟରୁ ବଟି ଆଦାୟ ସହ ବେଆଇନ ଅସ୍ତ୍ରଶସ୍ତ୍ର କାରବାରରେ ଜେଲ୍‌ ଯାଇଥିଲା। ୨୦୧୮ରେ ଜଣେ ହରିଜ଼ନ ବ୍ୟକ୍ତିଙ୍କୁ ମାଡ଼ ମାରି ତାଙ୍କ ଜମି ହାତେଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଆଜି ଶିବକୁ ତଡ଼ିପାର ନିର୍ଦେଶ ହେବା ପରେ ଉଭୟଙ୍କ ଗତିବିଧି ଉପରେ ପୁଲିସ ନଜ଼ର ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର