ମଧୁପାଟଣା ବ୍ରିଜ୍‌ରେ ଅଲୌକିକ କାଣ୍ତ ! ଗାଡ଼ିରୁ ସରି ଯାଉଛି ତେଲ

ଏନ୍‌ଏଚ୍‌ଏଆଇ ବେଫିକର; ୪ ବର୍ଷରେ ୩୯ ଦୁର୍ଘଟଣା, ଗଡ଼ିଲାଣି ୮ ମୁଣ୍ଡ

କଟକ: ମଧୁପାଟଣା ଓଭର ବ୍ରିଜ ନିକଟ ରେଳ ପୋଲ ତଳେ କି ପ୍ରକାର ବିଭ୍ରାଟ ରହିଛି? ଯେଉଁ ଭାରିଯାନ ପୋଲ ତଳେ ଦୁର୍ଘଟଣାର ଶିକାର ହେଉଛି, ସେ ଗାଡ଼ିରୁ ହଠାତ୍‌ ତେଲ ସରିଯାଉଛି। ଡ୍ରାଇଭର‌୍‌ ଗାଡ଼ିରେ ପୁଣି ତେଲ ଭରିବା ପରେ ଗାଡ଼ି ଗଡ଼ୁଛି। ଗଲା କିଛି ମାସ ହେବ ଲଗାତର ଏଭଳି ଅଦ୍ଭୁତ ଘଟଣା ରେଳ ପୋଲ ତଳେ ଘଟୁଛି। ଓଭର ବ୍ରିଜ ଗଡ଼ାଣି ନିର୍ମାଣରେ ବୈଷୟିକ ତ୍ରୁଟି ଥିବାରୁ ଭୁବନେଶ୍ବରରୁ ଓଏମ୍‌ପି ଆଡ଼କୁ ଯାଉଥିବା ଗାଡ଼ିଗୁଡ଼ିକ ପୂର୍ବରୁ ଦୁର୍ଘଟଣାର ଶିକାର ହେଇଆସୁଥିଲା। କିନ୍ତୁ ଏବେ ଦୁର୍ଘଟଣାର ଶିକାର ହେଉଥିବା ଗାଡ଼ିରୁ ତେଲ ସରିଯିବା ଭଳି ବିଚିତ୍ର ଘଟଣା ସମସ୍ତଙ୍କୁ ଚକିତ କଲାଣି। ଏଭଳି ଘଟଣା ପଛରେ କି କାରଣ ରହିଛି, ସେ ନେଇ କମିସନରେଟ୍‌ ପୁଲିସ ନିକଟରେ କୌଣସି ଯୁକ୍ତିଯୁକ୍ତ ଉତ୍ତର ନାହିଁ। ମଧୁପାଟଣା ଓଭର ବ୍ରିଜ ତଳେ ଦୁର୍ଘଟଣାର ତାଲିକା ଏତେ ଲମ୍ବିଲାଣି ଯେ ବ୍ରିଜ ଉପରେ କୌଣସି ଅଲୌକିକ ଶକ୍ତିର ନଜର ପଡ଼ିଥିବା ଏବେ କ୍ରମାଗତ ଭାବେ ଚର୍ଚ୍ଚା ଉଠିଲାଣି। ୨୦୧୭ରେ ଏହି ବ୍ରିଜ ନିକଟରେ ୭ଟି ଦୁର୍ଘଟଣା ଘଟିଥିବା ବେଳେ ୨୦୧୮ରେ ୧୨ଟି, ୨୦୧୯ରେ ୪ଟି ଘଟିଥିଲା। ୨୦୨୦ରେ ୧୦ଟି ଏବ˚ ୨୦୨୧ରେ ବର୍ଷ ଆରମ୍ଭରୁ ମାତ୍ର ଦେଢ଼ ମାସ ଭିତରେ ଆଜି ସୁଦ୍ଧା ୬ଟି ଦୁର୍ଘଟଣା ଘଟିଲାଣି।

କେତେବେଳେ ଗାଡ଼ି ନିଜେ ନିଜେ ଓଲଟି ପଡ଼ୁଛି ତ ଆଉ କେତେବେଳେ ବ୍ୟାରିକେଡ୍‌ ଭାଙ୍ଗି ରାସ୍ତାର ଆରପଟକୁ ମାଡ଼ି ଯାଉଛି। ବର୍ତ୍ତମାନ ସୁଦ୍ଧା ୪ ବର୍ଷ ଭିତରେ ମୋଟ ୩୯ଟି ଦୁର୍ଘଟଣା ଘଟିଥିବା ବେଳେ ୮ ଜଣଙ୍କ ମୁଣ୍ତ ଗଡ଼ିଲାଣି। ଦୁର୍ଘଟଣା ପଛରେ ଏକାଧିକ କାରଣ କୁହାଯାଉଛି। ମଧୁପାଟଣା ଟ୍ରାଫିକ୍‌ ଟାଵାର‌୍‌ରୁ ସମ୍ରାଟ୍‌ ସିନେମା ହଲ୍‌ ରାସ୍ତା ଦେଇ ଯାଇଥିବା ଉଭୟ ପଟର ସର୍ଭିସ୍‌ ରୋଡ୍‌ ବର୍ତ୍ତମାନ ସୁଦ୍ଧା ପ୍ରଶସ୍ତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା ନାହିଁ। ରାସ୍ତା ପ୍ରଶସ୍ତିକରଣ ପ୍ରସ˚ଗକୁ ଏନଏଚ୍‌ଆଇ ବାରମ୍ବାର ଟାଳି ଚାଲିଛି। ଏହି ରାସ୍ତା ଚଉଡ଼ା ହେଲେ ବାଦାମବାଡ଼ିରୁ ଆସୁଥିବା ହାଲୁକା ଗାଡ଼ି ଗୁଡ଼ିକ ତାଳଦଣ୍ତା କେନାଲର ତଳ ରାସ୍ତାରେ ଓଏମ୍‌ପି ଆଡ଼କୁ ସହଜରେ ଯାଇପାରନ୍ତା। କିନ୍ତୁ ସମ୍ରାଟ୍‌ ସିନେମା ହଲ୍‌ ପୂର୍ବରୁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଶେଷ ହୋଇନଥିବାରୁ ବାଦାମବାଡ଼ି ଆଡ଼ୁ ଆସୁଥିବା ଗାଡ଼ି ଗୁଡ଼ିକ ଓଭର‌୍‌ ବ୍ରିଜ୍‌ ଗଡ଼ାଣିରେ ହଠାତ୍‌ ଜାତୀୟ ରାଜପଥ ଉପରକୁ ଉଠୁଛନ୍ତି। ଏହାଦ୍ବାରା ରାସ୍ତା ଭିଡ଼ ରହୁଥିବା ବେଳେ ଭୁବନେଶ୍ବର ଆଡ଼ୁ ଓଏମ୍‌ପି ଆଡ଼କୁ ବ୍ରିଜ୍‌ରେ ଗଡ଼ୁଥିବା ଗାଡ଼ି ଗୁଡ଼ିକ ଭାରସାମ୍ୟ ହରାଇ ବ୍ରେକ୍‌ ମାରୁଥିବାରୁ ରାସ୍ତା ଉପରେ ଓଲଟି ପଡ଼ୁଥିବା କୁହାଯାଉଛି। କିନ୍ତୁ ଅନ୍ୟପଟେ ବ୍ରିଜର ଗଡ଼ାଣିରେ ମଧ୍ୟ ବୈଷୟିକ ତ୍ରୁଟି ରହିଥିବା କୁହାଯାଉଛି। ରେଳ ପୋଲ ପୂର୍ବରୁ ପୋଲର ଦୁଇ ପଟେ ଥିବା ରେଳବାଇର ପ୍ରୋଟେକ୍ଟିଂ ବାର‌୍‌ ଭାରିଯାନ ଡାଲାରେ ବାଜିବାରୁ ଅନେକ ଗାଡ଼ି ଦୁର୍ଘଟଣାର ଶିକାର ହେଉଛି। ବ୍ରିଜ ତଳେ ଥିବା ଜାତୀୟ ରାଜପଥକୁ ଖୋଳି ଉଚ୍ଚତା କମାଇଲେ ବର୍ଷା ଦିନେ ବ୍ରିଜ ତଳେ ପାଣି ଜମୁଛି। ଗୋଟିଏ ସମସ୍ୟାର ସମାଧାନ କଲା ବେଳକୁ ଆଉ ଗୋଟିଏ ସମସ୍ୟା ସୃଷ୍ଟି ହେଉଛି।

Sambad

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ମଧୁପାଟଣା ବ୍ରିଜ ନିକଟରେ ବାରମ୍ବାର ଘଟୁଥିବା ଦୁର୍ଘଟଣାକୁ ଏଡ଼ାଇବା ପାଇଁ ୨୦୧୮ ମାର୍ଚ୍ଚ ୩୦ ତାରିଖରେ ଟ୍ରାଫିକ୍‌ ଏସିପି ଓ ଏନ୍‌ଏଚଏଚଆଇ କର୍ତ୍ତୃପକ୍ଷଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିଲା। ଏହି ଟିମ୍‌ ମଧୁପାଟଣା ଓଭର ବ୍ରିଜ ଗଡ଼ାଣି ସମେତ ଭାଣପୁର, ଗୋପାଳପୁର ଏବ˚ ୧୬ ନମ୍ବର ଜାତୀୟ ରାଜପଥର ଅନ୍ୟ ଅଞ୍ଚଳରେ ଦୁର୍ଘଟଣା ଘଟୁଥିବା ସମ୍ବେଦନଶୀଳ ଅଞ୍ଚଳର ମଧ୍ୟ ସ୍ଥିତି ଅନୁଧ୍ୟାନ କରିବ। ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପରେ ଭବିଷ୍ୟତରେ କିଭଳି ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିବ, ସେ ସମ୍ପର୍କରେ ପରାମର୍ଶ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଆଜି ସୁଦ୍ଧା ଏହି କମିଟି କି ପ୍ରକାର ରିପୋର୍ଟକୁ ନେଇ ସମସ୍ତେ ଅନ୍ଧାରରେ ଅଛନ୍ତି। ଏବେ ବ୍ରିଜ ତଳେ ଦୁର୍ଘଟଣାର ଶିକାର ହେଉଥିବା ଗାଡ଼ିରୁ ତେଲ ସରିଯିବା ଘଟଣାରେ ମଧ୍ୟ କୌଣସି କାରଣ ଜଣାପଡ଼ୁନାହିଁ। ଡ୍ରାଇଭର ତେଲ କିଣି ଆଣି ଗାଡ଼ିରେ ଭର୍ତ୍ତି କରିବା ପରେ ହିଁ ଉକ୍ତ ଗାଡ଼ି ଗଡ଼ୁଛି। ଏଭଳି ଘଟଣା ବିଚିତ୍ର ଲାଗୁଥିବା ବେଳେ ବାରମ୍ବାର ଘଟୁଥିବା ସମ୍ପୃକ୍ତ ପୁଲିସ ଅଧିକାରୀ ଜଣକ କହିଛନ୍ତି।

ଟ୍ରାଫିକ୍‌ ଏସିପି ଦେବଜ୍ୟୋତି ଦାସ କହିଛନ୍ତି ମଧୁପାଟଣା ରେଳ ବ୍ରିଜ ତଳେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଆସନ୍ତା ଟିଏମ୍‌ସି ବୈଠକରେ ଏ ପ୍ରସ˚ଗ ଉଠିବ। ଏନଏଚ୍‌ଆଇକୁ ଏବେ ଅବଗତ କରାଯାଇଛି। ରେଳ ବ୍ରିଜର ଉଚ୍ଚତା ତ ଆଉ ବଢ଼ିବ ନାହିଁ। ଏବେ ସେହି ସ୍ଥାନରେ ରାସ୍ତାର ଉଚ୍ଚତା ଏନଏଚଆଇ କମାଇବାକୁ କୁହାଯାଇଛି। ଉଭୟ ରେଳବାଇ ଏବ˚ ଏନଏଚଆଇ ମଧ୍ୟରେ ସମନ୍ବୟ ରହିବାର ଆବଶ୍ୟକତା ରହିଛି। ବ୍ରିଜ ତଳେ ଦୁର୍ଘଟଣାର ଶିକାର ହେଉଥିବା ଗାଡ଼ିରୁ ତେଲ ସରି ଯାଉଛି। ଅନ୍ୟପଟେ ସମ୍ରାଟ୍‌ ସିନେମା ହଲ୍‌ ନିକଟ ସର୍ଭିସ୍‌ ରୋଡ ବାମ ପଟ କାମ ଅଧା ହୋଇଛି। ଏନଏଚଆଇର ଜମି ଅଧିଗ୍ରହଣରେ ସମସ୍ୟା ଥିବାରୁ ସର୍ଭିସ ରୋଡ କାର୍ଯ୍ୟ ଅଟକି ଥିବା ଏସିପି କହିଛନ୍ତି।

ସମ୍ବନ୍ଧିତ ଖବର