ବଢ଼ିବ ସିଏମ୍‌ସିର ରାଜସ୍ବ! ୩୦ ବର୍ଷ ପରେ ବଢ଼ିଲା ନିଗମ ଦୋକାନଘର ଭଡ଼ା

କଟକ: ମହାନଗର ନିଗମର ବିଭିନ୍ନ ମାର୍କେଟ୍‌ କମ୍ପ୍ଲେକ୍ସରେ ଥିବା ଦୋକାନଘରର ଭଡ଼ା ବୃଦ୍ଧି କରାଯାଇଛି। ପ୍ରାୟ ୩୦ ବର୍ଷ ତଳେ ସ୍ଥିର ହୋଇଥିବା ଭଡ଼ା ଏଥର ପରିବର୍ତ୍ତନ ହୋଇଛି। ଏହାଦ୍ବାରା ସିଏମ୍‌ସିକୁ ଭଡା ବାବଦକୁ ମିଳୁଥିବା ରାଜସ୍ବ ଅନେକ ପରିମାଣରେ ବଢ଼ିବ। ତେବେ, ବହୁ ବିଳମ୍ବରେ ଘରଭଡ଼ା ବଢ଼ାଯାଇଥିଲେ ବି ଅନେକ ଦୋକାନୀଙ୍କ ଉପରେ ପୂର୍ବର ଲକ୍ଷାଧିକ ଟଙ୍କାର ଭଡ଼ା ଗଡୁଛି। ସେପଟେ ଅନେକ ଦୋକାନୀଙ୍କ ଚୁକ୍ତି ଶେଷ ହୋଇଯାଇଥିଲେ ବି ସେମାନେ ଦୋକାନଘରକୁ ଜବରଦଖଲରେ ରଖିଛନ୍ତି। ନିଗମର ମାର୍କେଟ୍‌ କମ୍ପ୍ଲେକ୍ସରେ ଥିବା ଦୋକାନଗୁଡ଼ିକର ସୁପରିଚାଳନା ପାଇଁ ବାରମ୍ବାର ଦାବି ହୋଇ ଆସୁଥିବାବେଳେ ଏବେ କର୍ତ୍ତୃପକ୍ଷ ଅଳ୍ପ ପରିମାଣର ଘରଭଡ଼ା ବୃଦ୍ଧି କରି ତାଙ୍କ ଦାୟିତ୍ବ ଶେଷ କରି ଦେଇଥିବା ଅଭିଯୋଗ ହୋଇଛି। ସିଏମ୍‌ସି ଅଧୀନ‌ରେ ସହରର ବିଭିନ୍ନ ସ୍ଥାନରେ ଛୋଟ ବଡ଼ କରି ୪୩ଟି ମାର୍କେଟ କମ୍ପ୍ଲେକ୍ସରେ ୬୪୬ ଦୋକାନଘରୁ ଭଡ଼ା ଆଦାୟ କରାଯାଉଛି। ଦୋକାନଘରଗୁଡ଼ିକ ବିଭିନ୍ନ ଆକାରର ହୋଇଥିବାରୁ ଭଡ଼ାର ପରିମାଣ ମଧ୍ୟ ଭିନ୍ନ ରହିଛି। ଦୋକାନଘର ଭଡା ପ୍ରାୟ ୩୦ ବର୍ଷ ତଳେ ଧାର୍ଯ୍ୟ କରାଯାଇଥିଲା। ସେତେବେଳ ହିସାବରେ ଜୁବୁଲି ମାର୍କେଟ୍‌ରେ ଥିବା ଦୋକାନ ଘରୁ ୪୦ ଟଙ୍କା, ମାଲଗୋଦାମ ଫ୍ଲାଏ୍‌ଓଭର୍‌ ବ୍ରିଜ୍‌ ତଳେ ଥିବା ଦୋକାନଘରୁ ୫୦ ଓ ୬୦ଟଙ୍କା ମାସକୁ ଭଡ଼ାସୂତ୍ରରେ ଆଦାୟ କରାଯାଉଥିଲା।

ଏପରିକି ସହରର ପ୍ରମୁଖ ସ୍ଥାନ ଚୌଧୁରୀବଜାର, ବାଦାମବାଡି, ଓଏମ୍‌ପି ଆଦି ସ୍ଥାନରେ ଥିବା ଦୋକାନଘରୁ ମାସକୁ ୬୦ ଟଙ୍କାରୁ ୫ଶହ ଟଙ୍କା ମଧ୍ୟରେ ଭଡ଼ା ବାବଦକୁ ଆଦାୟ ହେଉଥିଲା। ଆଜିର ଦିନରେ ଯେଉଁ ଦୋକାନଘରୁ ମାସକୁ ୪ରୁ ୭ ହଜାର ଟଙ୍କା ଭଡା ବାବଦରେ ମିଳିବା କଥା, ସିଏମ୍‌ସି ସେଠାରୁ ୫୦ରୁ ୭୦ ଟଙ୍କା ଭଡ଼ା ନେଉଥିଲା। ଏବେ ଭଡ଼ାବୃଦ୍ଧି କରାଯାଇ ୫୦ ଟଙ୍କାକୁ ୪ଶହ ଟଙ୍କା କରାଯାଇଥିବା ବେଳେ ସର୍ବାଧିକ ୬ ହଜାର ୯୯୧ ଟଙ୍କାକୁ ବଢାଯାଇ ୧୬ ହଜାର ୧୯୯ଟଙ୍କା କରାଯାଇଛି। ଏବେ ବି ଯେତିକି ବର୍ଦ୍ଧିତ ଭଡ଼ା କରାଯାଇଛି ତାହା ବଜ‌ାର ଭଡ଼ାଠାରୁ ଢେର୍‌ କମ୍‌ ଥିବା ଅଭିଯୋଗ ‌ହୋଇଛି। ସିଏମ୍‌ସି ପକ୍ଷରୁ ବିଭିନ୍ନ ସ୍ଥାନର ବଜାରଦରକୁ ଦେଖି ଘରଭଡ଼ା ବର୍ଗଫୁଟରେ ସ୍ଥିର କରିବାକୁ ସାଧାରଣରେ ଦାବି ହୋଇଛି। ସେପଟେ ବାକି ପଡ଼ିଥିବା ଟଙ୍କା ଆଦାୟ ସହ ଚୁକ୍ତି ଶେଷ ହୋଇଥିବା ଦେକାନକୁ ଖାଲି କରି ସେଗୁଡ଼ିକୁ ନୂଆଦରରେ ଭଡ଼ାରେ ଲଗାଇବା ଦିଗରେ ସିଏମ୍‌ସି କର୍ତ୍ତୃପକ୍ଷ ଉଦ୍ୟମ କରିଲେ ନିଗମର ରାଜସ୍ବ ପରିମାଣ ବଢ଼ି ପାରନ୍ତା ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର