କଟକ: ପୌର ନିଗମର ଦୋକାନ ଘର ଭଡା ୩୦ ବର୍ଷ ପରେ ବୃଦ୍ଧି ପାଇଛି। ଦୋକାନ ଭଡା ବୃଦ୍ଧିକୁ ନେଇ ଏକ ବର୍ଷ ଧରି ଲାଗି ରହିଥିବା ବିବାଦ େଶଷ ହୋଇଛି। ନିଗମର ବିଭିନ୍ନ ମାର୍କେଟ କଂପ୍ଲେକ୍ସରେ ଥିବା ଦୋକାନ ଘରର ଭଡା ବଢା ଯାଇଛି। ୨୦୨୨ ଏପ୍ରିଲରୁ ବର୍ଦ୍ଧିତ େଦାକାନ ଭଡା ଲାଗୁ ହେବ ବୋଲି ନିଗମ ପକ୍ଷରୁ କୁହାଯାଇଛି। ନିଗମରେ ୩୦ ବର୍ଷରୁ ଅଧିକ ବର୍ଷ ତଳେ ସ୍ଥିର ହୋଇଥିବା ଭଡା ଗତବର୍ଷ ନଭେମ୍ବରରେ ପରିବର୍ତ୍ତନ କରାଯାଇଥିଲା। ମାତ୍ର ଏହାକୁ ବିଭିନ୍ନ ମାର୍କେଟ କଂପ୍ଲେକ୍ସ ସଂଘ ଓ ବ୍ୟବସାୟୀଙ୍କ ପକ୍ଷରୁ ବିରୋଧ କରାଯାଇଥିଲା। ଏପରିକି ଏହି ପ୍ରସଙ୍ଗକୁ ନେଇ ଅଦାଲତରେ ମାମଲା ହୋଇଥିଲା। ନିଗମର କମିସନର ସଂଘର ଦାବିକୁ ବିଚାର କରି ଏହି ପ୍ରସଙ୍ଗରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ କୋର୍ଟ କହିଥିଲେ।
ଶେଷରେ କମିସନର ବିଚାର କରି ଗତ ବର୍ଷ ଲାଗୁ କରାଯାଇଥିବା ଭଡାର ପୁର୍ନବିଚାର କରି ନୂଆ ଭଡା ତାଲିକା ପ୍ରକାଶ କରିଛନ୍ତି। ନିଗମ ଅଧୀନରେ ସହରର ବିଭିନ୍ନ ସ୍ଥାନରେ ଛୋଟ ବଡ ୪୬ଟି ମାର୍କେଟ କଂପ୍ଲେକ୍ସରେ ଥିବା ୬୧୭ଟି ଦୋକାନ ଘର ରହିଛି। ଦୋକାନ ଘର ଗୁଡିକ ବିଭିନ୍ନ ଆକାରରେ ହୋଇଥିବାରୁ ଭଡାର ପରିମାଣ ମଧ୍ୟ ଭିନ୍ନ ଭିନ୍ନ ରହିଛି। ଗଲା ନଭେମ୍ବରରେ ଏକକାଳୀନ ୮ ଗୁଣ ଭଡା ବୃଦ୍ଧି କରାଯାଇଥିଲା। କିନ୍ତୁ ଗତ ବର୍ଷ ଲାଗୁ ହୋଇଥିବା ବର୍ଦ୍ଧିତ ଭଡାର ୨୦ରୁ ୪୦ ପ୍ରତିଶତ କମା ଯାଇ ନିଗମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ ସର୍ବନିମ୍ନ ଦୋକାନ ଘର ଭଡା ମାସକୁ ଶହେ ଟଙ୍କାରୁ ଆରମ୍ଭ କରାଯାଇ ସର୍ବାଧିକ ୯ ହଜାର ୭ଶହ ଟଙ୍କା ରହିଛି। ଅନ୍ୟପଟେ ପ୍ରତିବର୍ଷ ୫ ପ୍ରତିଶତ ଭଡା ବୃଦ୍ଧି କରାଯିବା ସହ ସମସ୍ତ ବ୍ୟବସାୟୀ ଚଳିତ ମାସ ୩୧ ତାରିଖ ସୁଦ୍ଧା ନିଗମ ସହିତ ଘର ଭଡା ପାଇଁ ସାନି ଚୁକ୍ତି କରିବାକୁ କୁହାଯାଇଛି। ଯଦି ଏହାକୁ କୌଣସି ବ୍ୟବସାୟ ପାଳନ କରିବେ ନାହିଁ, ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତିରେ ଚେତାବନୀ ଦିଆଯାଇଛି।