କୋଭିଡ ଚିକିତ୍ସାରେ ସାଂଘାତିକ ସ୍ଥିତି : କଟକର ଅଶ୍ବିନୀ, ସଦଗୁରୁ କୋଭିଡ ହସ୍ପିଟାଲରେ ବେଡ୍‌ ନାହିଁ

କଟକ:  କରୋନାରେ ସଂକ୍ରମିତ ହୋଇ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ଏବେ କଟକରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। ମୁମ୍ବାଇ, ଦିଲ୍ଲୀ ମହାନଗରରେ ଯେଉଁ ସ୍ଥିତି ସୃଷ୍ଟି ହୋଇଥିଲା, ତାହା କଟକରେ ‌ସୃଷ୍ଟି ହେବା ଭଳି ସ୍ଥିତି ସାମନାକୁ ଆସିଛି। କଟକ ମହନାଗରରେ ଦୁଇଟି ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ରହିଥିଲେ ‌ବି ସେଠାରେ ଆଉ ବେଡ୍ ନାହିଁ। ସବୁ ବେଡରେ ରୋଗୀ ରହିଥିବାରୁ ଅନ୍ୟ କୋଭିଡ୍ କେୟାର ସେଣ୍ଟର ଅଥବା ହୋମ ଆଇସୋଲେସନରେ ଥିବା ସଂକ୍ରମିତ ହଠାତ ଗୁରୁତର ହେଲେ ବେଡ୍ ପାଇବା ସମସ୍ୟା ସୃଷ୍ଟି ହୋଇଛି।

ଅଶ୍ବିନୀ କୋଭିଡ ହସ୍ପିଟାଲ ଓ ଜଗତପୁରର ସଦଗୁରୁ ହସ୍ପିଟାଲରେ ଆଉ ବେଡ୍ ଖାଲି ନଥିବା ଜଣା ପଡିଥିବା ବେଳେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। କିନ୍ତୁ କରୋନା ସଂକ୍ରମିତଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକଙ୍କର ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ପଡୁ ନଥିବା ବେଳେ ଲକ୍ଷଣ ନଥିବା ଅଥବା ଅଳ୍ପ ଲକ୍ଷଣ ଥିବା ବ୍ୟକ୍ତି ଏହି ସବୁ ହସ୍ପିଟାଲରେ ଭର୍ତ୍ତି ହୋଇ ଯାଇଥିବାରୁ ଗୁରୁତର ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ସମସ୍ୟା ଦେଖା ଦେଇଛି। ଦିନେ ଦୁଇ ଦିନ ଭିତରେ ସ୍ଥିତି ନ ସୁଧୁରିଲେ ଏହା ସାଂଘାତିକ ସମସ୍ୟା ସୃଷ୍ଟି କରିବ ବୋଲି ଆକଳନ କରାଯାଉଛି। ଅନ୍ୟପଟେ ପ୍ରତ୍ୟେକ ଦିନ ୩ଶହ/୪ଶହ ସଂକ୍ରମିତ କଟକ ଜିଲ୍ଲାରେ ଚିହ୍ନଟ ହେଉଥିବାରୁ ଏ ପରିସ୍ଥିତିର କିଭଳି ମୁକାବିଲା‌ ହେବ, ପ୍ରଶାସନକୁ ସେ ଚିନ୍ତା ଘାରିଛି। କୋଭିଡ ହସ୍ପିଟାଲରେ ରହିବାର ଆବଶ୍ୟକତା ନଥିବା ଅନେକ ବ୍ୟକ୍ତି ବିଭିନ୍ନ ବାଟରେ ହସ୍ପିଟାଲରେ ଭର୍ତ୍ତି ହେବା ବେଡ୍ ଅଭାବ ସ୍ଥିତି ସୃଷ୍ଟି କରୁଛି ବୋଲି ପରିଚାଳନା ବ୍ୟବସ୍ଥା ସହ ସଂପୃକ୍ତ ବ୍ୟକ୍ତି ‌ସୂଚନା ଦେଇଛନ୍ତି।

ଅନ୍ୟପଟେ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଏଭଳି ସମସ୍ୟାକୁ ସ୍ବୀକାର କରିଛନ୍ତି। କିନ୍ତୁ ସ୍ଥିତିର ମୁକାବିଲା ପାଇଁ କଟକ ବଡ ମେଡିକାଲ ଆଇସୋଲେସନ ୱାର୍ଡକୁ ୨୫୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲରେ ପରିଣତ କରିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ଦେଇଛନ୍ତି। ସେହିଭଳି ସହରର ସନ୍ ଓ ସୃଷ୍ଟି ଭଳି ଦୁଇଟି ଘରୋଇ ହସ୍ପିଟାଲକୁ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ଭାବେ ବ୍ୟବହାର କରିବାକୁ ଯୋଜନା ଚାଲିଛି ବୋଲି ମଧ୍ୟ ଶ୍ରୀ ଚୟନୀ ସୂଚନା‌ ଦେଇଛନ୍ତି। ଦୁଇ ତିନି ଦିନ ଭିତରେ ଏହା ହୁଏତ କାର୍ଯ୍ୟକାରୀ ହୋଇ ଯିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଅନ୍ୟପଟେ ସବୁ ଘରୋଇ ହସ୍ପିଟାଲରେ ୧୦ ପ୍ରତିଶତ ବେଡ୍ କୋଭିଡ ରୋଗୀଙ୍କ ପାଇଁ ବ୍ୟବହାର କରିବାକୁ ସରକାର ନିର୍ଦ୍ଦେଶନାମା ଜାରି କରି ସାରିଛନ୍ତି। ଏସବୁ ହୁଏତ କାର୍ଯ୍ୟକାରୀ ହେଲେ ଆବଶ୍ୟକତା କିଛି ମାତ୍ରାରେ ପୂରଣ ହୋଇପାରିବ ବୋଲି ଆଶା କରାଯାଉଛି।
ଲକ୍ଷଣ ନଥିବା ଓ ଅଳ୍ପ ଲକ୍ଷଣ ଥିବା ରୋଗୀଙ୍କ ଦ୍ବାରା ହସ୍ପିଟାଲ ବେଡ ଭର୍ତ୍ତି ସଂପର୍କରେ ମତ ରଖି ଜିଲ୍ଲାପାଳ କହିଛନ୍ତି ଯେ ବିଭିନ୍ନ କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଲକ୍ଷଣ ଅଥବା ଅଳ୍ପ ଲକ୍ଷଣ ଥିଲେ ବି ବୟସ୍କ ରୋଗୀ, ବିଭିନ୍ନ ରୋଗ (କୋ ମରବିଡିଟି) ଥିବା ବ୍ୟକ୍ତିବିଶେଷଙ୍କୁ ହସ୍ପିଟାଲରେ ରହିବାକୁ ଅନେକ ସମୟରେ ଅନୁମତି ଦିଆଯାଉଛି। ତେଣୁ ଏଭଳି ସମସ୍ୟା ରହୁଛି। ଘରେ ଅଥବା ଆଇସୋଲେସନରେ ରହି ବି ଏ ରୋଗର ସଫଳ ମୁକାବିଲା କରି ହେବ ବୋଲି ଲୋକଙ୍କ ଭିତରେ ଧୀରେ ଧୀରେ ସଚେତନତା ବଢୁଛି। ତେଣୁ ଆଗକୁ ହୁଏତ ପରିସ୍ଥିତି ସୁଧୁରିବ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର