କଟକ: ଆଗୁଆ ସିମ୍ ଆକ୍ଟିଭ୍ ହେଲେ ମୋବାଇଲ୍ ସର୍ଭିସ ପ୍ରୋଭାଇଡର୍ଙ୍କ ନିକଟରୁ ସିମ୍ କାର୍ଡ ପିଛା ୫୦ ହଜାର ଟଙ୍କା ଜରିମାନା ଆଦାୟର ନିୟମ ରହିଛି। ଓଡ଼ିଶାରେ ଏକ ବର୍ଷ ଭିତରେ ୩୬ ହଜାର ୧୩୯ଟି ପ୍ରିଆକ୍ଟିଭ୍ ସିମ୍ କାର୍ଡ ପୁଲିସ ଓ କ୍ରାଇମବ୍ରାଞ୍ଚ ଜବତ କଲାଣି। କେତୋଟି ମୋବାଇଲ୍ ସର୍ଭିସ ପ୍ରୋଭାଇଡର୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାଣି ଟ୍ରାଇ? ଭଦ୍ରକ, ବାଲେଶ୍ବର ପରେ ଏବେ ଢେଙ୍କାନାଳରୁ ସର୍ବାଧିକ ୧୯ ହଜାର ୬୪୧ଟି ସିମ୍ କାର୍ଡ ଜବତ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଓଡ଼ିଶାରେ ପ୍ରଥମଥର ପାଇଁ ସମ୍ପୂର୍ଣ୍ଣ ନୂଆଶୈଳୀରେ ଏହି ସିମ୍ ଢେଙ୍କାନାଳରେ ଆକ୍ଟିଭ୍ ହୋଇ ଅନ୍ଲାଇନ୍ରେ ନାଇଜେରିଆର ସାଇବର୍ ଅପରାଧୀଙ୍କୁ ବିକ୍ରି ଭଳି ଚାଞ୍ଚଲ୍ୟକର ଘଟଣାରେ ଏବେ ଓଡ଼ିଶାର ମୋବାଇଲ୍ ସର୍ଭିସ୍ ପ୍ରୋଭାଇଡର୍ଙ୍କ କାର୍ଯ୍ୟକଳାପକୁ ସନ୍ଦେହରେ ପକାଇଲାଣି। ସୂଚନା ଅନୁଯାୟୀ, ଦେଶରେ ଆଗୁଆ ଜଣକ ନାଁରେ ସିମ୍ ଆକ୍ଟିଭ୍ କରି ଅନ୍ୟ ଜଣକୁ ବିକ୍ରି କରାଯାଉଥିବା ପ୍ରିଆକ୍ଟିଭ୍ ସିମ୍ ରୋକିବାକୁ ଭାରତ ସରକାରଙ୍କ ଟେଲିକମ୍ ବିଭାଗ ପକ୍ଷରୁ ୨୦୧୨ ଅଗଷ୍ଟ ୯ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଏହି ନିର୍ଦ୍ଦେଶନାମା ବଳରେ ଆଗୁଆ ଆକ୍ଟିଭ୍ ହେଉଥିବା ସିମ୍ ଉପରେ ରୋକ୍ ଲଗାଯାଇଥିଲା। କୌଣସି ମୋବାଇଲ୍ ସର୍ଭିସ ପ୍ରୋଭାଇଡର୍ ସିମ୍ କାର୍ଡ ଆଗୁଆ ଆକ୍ଟିଭ୍ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ୫୦ ହଜାର ଟଙ୍କା ଅର୍ଥଦଣ୍ଡ ଦେବାକୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। କିନ୍ତୁ ଏବେ ଗଲା ୧ ତାରିଖରେ କ୍ରାଇମବ୍ରାଞ୍ଚ ଢେଙ୍କାନାଳ ଜିଲ୍ଲାରୁ ଜବତ କରିଥିବା ୧୯ ହଜାର ୬୪୧ ପ୍ରିଆକ୍ଟିଭ୍ ସିମ୍ ଜବତ ଘଟଣା କ୍ରାଇମବ୍ରାଞ୍ଚର ଚିନ୍ତା ବଢ଼ାଇ ଦେଇଛି।
ନିୟମ ଅନୁଯାୟୀ, ଯେତେବେଳେ ଜଣେ ଗ୍ରାହକ ସିମ୍ କିଣୁଛନ୍ତି ସେ ପଏଣ୍ଟ ଅଫ୍ ସେଲ୍(ପିଓଏସ୍)ରେ କଷ୍ଟମର୍ ଆକ୍ୟୁଜିସନ୍(ଅଧିଗ୍ରହଣ) ଫର୍ମ(ସିଏଏଫ୍) ପୂରଣ କରିବା ସହିତ ଏଥିରେ ଦସ୍ତଖତ କରିବେ। ପିଓଏସର କର୍ମଚାରୀ ଗ୍ରାହକଙ୍କୁ ଦେଖିଥିବା ସିଏଏଫ୍ରେ ସଂଲଗ୍ନ ଫଟୋ ଉକ୍ତ ଗ୍ରାହକଙ୍କର ବୋଲି ସ୍ପଷ୍ଟ ହୋଇଥିବା ଉଲ୍ଲେଖ କରିବେ। ଟ୍ରାଇ(ଟେଲିକମ୍ ରେଗୁଲେଟୋରି ଅଥରିଟି ଅଫ୍ ଇଣ୍ଡିଆ)ର ନିର୍ଦ୍ଦେଶନାମା ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ପରିଚୟପତ୍ରରେ ସର୍ବାଧିକ ୧୦ଟି ସିମ୍ କାର୍ଡ ଇସ୍ୟୁ ହୋଇପାରିବ। ୧୦ରୁ ଅଧିକ ସିମ୍ କାର୍ଡ ଇସ୍ୟୁ ହୋଇପାରିବ ନାହିଁ। କିନ୍ତୁ ଏବେ ପିଓଏସ୍ରେ ପ୍ରିଆକ୍ଟିଭ୍ ସିମ୍ କାରବାର ପଛରେ ଯେଉଁ ଜାଲିଆତି ହେଉଛି ତାକୁ ନେଇ ଗ୍ରାହକଙ୍କ ତଥ୍ୟର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏହି ସିମ୍ ବ୍ୟବହାର କରି ସାଇବର୍ ଅପରାଧୀ ବ୍ୟାଙ୍କ ଗ୍ରାହକଙ୍କୁ ଫୋନ୍ କରି ଟଙ୍କା ମାଗୁଛନ୍ତି ଏବଂ ହ୍ବାଟସ୍ଆପ୍ରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫଟୋ ବ୍ୟବହାର କରି ଏହି ଜାଲି ନମ୍ବରରେ ଆକାଉଣ୍ଟ ବି ଖୋଲୁଛନ୍ତି।
୨୦୨୧ ଜୁନ ୨୯ ତାରିଖରେ ଭୁବନେଶ୍ବର ସହିଦନଗର ଥାନା ପୁଲିସ ଏଭଳି ମାମଲାରେ ଭଦ୍ରକରୁ ୭ ଜଣଙ୍କୁ ଗିରଫ କରି ୧୬ ହଜାର ୧୦୦ ସିମ୍ ଜବତ କରିଥିଲା। ହରିୟାନା ଓ ଦିଲ୍ଲୀରେ ଥିବା ସାଇବର୍ ଅପରାଧୀଙ୍କ ନିକଟକୁ ଏହି ଗ୍ୟାଙ୍ଗ୍ ପାଖାପାଖି ୨ ଲକ୍ଷ ସିମ୍ ପଠାଇଥିବା ଜଣାପଡ଼ିଥିଲା। ଭୋଡାଫୋନ୍ ଓ ଡୋକୋମୋ କର୍ମଚାରୀ ଏଥିରେ ସାମିଲ ଥିଲେ। କଟକ କମିସନରେଟ୍ ପୁଲିସର ସାଇବର୍ ଥାନା ଗଲା ମାର୍ଚ୍ଚ ୧୭ ଓ ୨୦ ତାରିଖରେ ବାଲେଶ୍ବର ଅଞ୍ଚଳର ତିନି ଜଣଙ୍କ ନିକଟରୁ ୩୯୮ଟି ସିମ୍ ଜବତ କରିଥିଲା। ଜାମ୍ତାରା ଗ୍ୟାଙ୍ଗ୍ ସହିତ ସମ୍ପର୍କ ଯୋଡ଼ିଥିବା ଏହି ଗ୍ୟାଙ୍ଗ୍ ୨୦ ହଜାର ସିମ୍ ବିକିଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜିଓର ଦୁଇଜଣ କର୍ମଚାରୀ ଥିଲେ। ସର୍ବାଧିକ ସିମ୍ କ୍ରାଇମବ୍ରାଞ୍ଚ ଗଲା ୧ ତାରିଖରେ ଢେଙ୍କାନାଳରୁ ଜବତ କରିଛି। ସବୁ କାରବାରରେ ବିଏସ୍ଏନ୍ଏଲ୍, ଜିଓ, ଭୋଡାଫୋନ୍ ଓ ଏୟାରଟେଲ୍ ସିମ୍ ଆଗୁଆ ଆକ୍ଟିଭ୍ ହୋଇଥିବା ଜଣାପଡ଼ିଛି। ଢେଙ୍କାନାଳରୁ ଧରାପଡ଼ିଥିବା ଗ୍ୟାଙ୍ଗ୍ରେ ସାଇ ପ୍ରକାଶ ଦାସ ବିଏସ୍ଏନ୍ଏଲ୍ ଡିଲର୍ ଭାବେ କାମ କରୁଥିଲା। ମୋବାଇଲ୍ ସର୍ଭିସ ପ୍ରୋଭାଇଡର୍ କର୍ମଚାରୀଙ୍କ ସିଧା ସଳଖ ସମ୍ପୃକ୍ତି ଯୋଗୁ ଓଡ଼ିଶାରୁ ଏବେ ନାଇଜେରିଆ ଓ ଜାମତାରା ଭଳି ସାଇବର୍ ଅପରାଧୀ ଗ୍ୟାଙ୍ଗ ସିମ୍ କାର୍ଡ କିଣିବାରେ ସହଜ ହେଉଛି। ମାତ୍ର ୫୦୦ ଟଙ୍କାରେ ଓଡ଼ିଶାର ମୋବାଇଲ୍ ଗ୍ରାହକଙ୍କ ତଥ୍ୟ ଚୋରି ହେଉଥିବାରୁ ଏବେ ସୁରକ୍ଷା ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି।