ହାଇକୋର୍ଟରେ ଶିଶୁଭବନ ମାମଲା, ଆଇନଜୀବୀ କମିଟି ରିପୋର୍ଟ ଆଧାରରେ ପଦକ୍ଷେପ ଗ୍ରହଣ କରାଯିବ

ଶିଶୁଭବନ ଅଧୀକ୍ଷକଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ

କଟକ: ଶିଶୁ ଭବନରେ ଚିକିତ୍ସା, ପରିମଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ପ୍ରସଂଗ ଅନୁଧ୍ୟାନ ପରେ ଆଇନଜୀବୀ କମିଟି ଦାଖଲ କରିଥିବା ରିପୋର୍ଟ ଉପରେ ପଦକ୍ଷେପ ଗ୍ରହଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶିଶୁ ଭବନରେ ଯେଉଁ ସବୁ ସ୍ଥାନରେ ପରିମଳ ଓ ସଫେଇ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି ସେ ସବୁ ସ୍ଥାନରେ ପରିସ୍ଥିତିରେ ସୁଧାର ଆଣାଯିବ। ଯେଉଁଠି ଯାହା ଅବ୍ୟବସ୍ଥା ରହିଛି ସେଠାରେ ତୁରନ୍ତ ଉପଯୁକ୍ତ ପଦକ୍ଷେପ ନିଆଯାଇ ସବୁ ପ୍ରସଂଗ ବ୍ୟବସ୍ଥିତ କରାଯିବ। ପଦକ୍ଷେପ ଗ୍ରହଣ ପରେ ସାନି ଫଟୋ ହାଇକୋର୍ଟରେ ଦାଖଲ କରାଯିବ। ଶିଶୁଭବନ ଅଧୀକ୍ଷକ ସତ୍ୟପାଠ ସହିତ ପଦକ୍ଷେପ ଗ୍ରହଣ ପରବର୍ତ୍ତୀ ସମୟର ଫଟୋ ମାର୍ଚ୍ଚ ୩୦ ସୁଧା ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଦୁଇ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଶିଶୁଭବନ ପରିସରର ପରିମଳ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଚାରିଆଡେ ଅଳିଆ ଓ କାଦୁଅ। ସରକାରୀ ଅର୍ଥ ନଷ୍ଟ ହେଉଛି। ଯେଉଁ ସଂସ୍ଥାକୁ ସଫେଇ ଦାୟିତ୍ବ ଦିଆଯାଇଛି ସେ କିଛି କରୁ ନାହିଁ। ଏଥି ସହିତ ଉପଯୁକ୍ତ ଚିକିତ୍ସା ମଧ୍ୟ ରୋଗୀଙ୍କୁ ମିଳି ପାରୁ ନାହିଁ। ଏ ନେଇ ଆଇନଜୀବୀ କମିଟି ରିପୋର୍ଟରେ ଉଲ୍ଲେଖ କରାଯାଇଛି ବୋଲି ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯାଉଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଫେବ୍ରୁଆରି ୧୪ରେ ଏ ନେଇ ଶିଶୁଭବନ ଅଧୀକ୍ଷକ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏହି ସତ୍ୟପାଠର କପି ଆବେଦନକାରୀଙ୍କୁ ପ୍ରଦାନ ପାଇଁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୧, ନଭେମ୍ବର ୧୭ରେ ଶିଶୁଭବନର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ ପାଇଁ ଆଇନଜୀବୀ କମିଟିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ, ନିବାସ ଚନ୍ଦ୍ର ମିଶ୍ର, ଅଜୟ କୁମାର ମହାନ୍ତି ଓ ଏ.ପି.ଦାସ ନଭେମ୍ବର ୧୮ ତାରିଖ ସକାଳ ୧୦ଟାରେ ଶିଶୁଭବନ ଗସ୍ତ କରିବେ। ଏହି ଗସ୍ତ ସମୟରେ ଆଇନଜୀବୀମାନେ ବିଭିନ୍ନ ୱାର୍ଡର ସ୍ଥିତି ଅନୁଧ୍ୟାନ କରିବା ସହିତ ଭିଡିଓ କ୍ଲିପିଂ ଓ ଫଟୋଗ୍ରାଫ୍ ଉତ୍ତୋଳନ କରିବେ। ଏହି ସମୟରେ ଅନ୍ତେବାସୀଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦିଆଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଶିଶୁଭବନର ବିଭିନ୍ନ ୱାର୍ଡ, ଓପିଡି, ଆଇସିୟୁ, କାଜୁଆଲିଟି, ପଥୋଲ୍ୟାବ୍, ନବ ନିର୍ମିତ କୋଠା, ପରିସରର ପରିମଳ ବ୍ୟବସ୍ଥା, ରୋଗୀ ସଂପର୍କୀୟଙ୍କ ପାଇଁ ରହିଥିବା ସୁବିଧା ପ୍ରସଂଗ ଅନୁଧ୍ୟାନ ପରେ ଆଇନଜୀବୀ କମିଟି ମୁଦା ଲଫାପାରେ ହାଇକୋର୍ଟରେ ରିପୋର୍ଟ ଦାଖଲ କରିଥିଲା।  ଏଥି ସହିତ ଅନୁଧ୍ୟାନ ସମୟରେ ଶିଶୁଭବନରେ ଉତ୍ତୋଳନ କରାଯାଇଥିବା ଫଟୋ ଓ ଭିଡିଓ ସବୁ ପେନ୍ ଡ୍ରାଇଭ ମାଧ୍ୟମରେ ହାଇକୋର୍ଟରେ ଦାଖଲ କରାଯାଇଥିଲା।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟର ପ୍ରମୁଖ ଶିଶୁରୋଗ ଚିକିତ୍ସା ପ୍ରତିଷ୍ଠାର ପୁରୁଣା କୋଠା ବିପଦଶଙ୍କୁଳ ଅବସ୍ଥାରେ ରହିଛି ଓ ଉପଯୁକ୍ତି ଚିକିତ୍ସା ମିଳୁ ନାହିଁ ବୋଲି ଦର୍ଶାଇ ମୈତ୍ରୀ ସଂସଦ ସଭାପତି ଆଇନଜୀବୀ ଅଜୟ ମହାନ୍ତି ଓ ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ ପୃଥକ ଆବେଦନ ହାଇକୋର୍ଟରେ ଦାଖଲ କରିଥିଲେ। ଭିତ୍ତିଭୂମିର ଅଭାବ ରହିଛି। ୱାର୍ଡ ଗୁଡିକର ଅବସ୍ଥା ଭଲ ନାହିଁ। ଚିକିତ୍ସା ପାଇଁ ଅବଶ୍ୟକ ସୁବିଧା ନାହିଁ। ପରିମଳ ଅବସ୍ଥା ନ କହିଲେ ଭଲ। ପାନୀୟ ଜଳ ଟୋପେ ରୋଗୀ ଓ ରୋଗୀ ସଂପର୍କୀୟ ପାଇବା କଷ୍ଟ।  ନୂଆ କୋଠା ନିର୍ମାଣ ଶ୍ରୀଘ୍ର ଶେଷ କରାଯାଉ ନାହିଁ। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରୁ ତଥା ପଡୋଶୀ ରାଜ୍ୟରୁ ଆସୁଥିବା ଶିଶୁ ରୋଗୀ ଉପଯୁକ୍ତ ଚିକିତ୍ସା ପାଇ ପାରୁ ନାହାନ୍ତି ଓ ଆଟେଣ୍ଡାଣ୍ଟ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଆବେଦନରେ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର