ଶିଶୁଭବନ ଫାଣ୍ଡି ବନ୍ଦ କରିଦେଲେ, ଆଉଟ୍‌ଡୋର୍‌ରେ ୨୪ ଘଣ୍ଟା ଜଗୁଥିଲା ପୁଲିସ

କଟକ: ଶିଶୁଭବନ ଫାଣ୍ଡିକୁ ଦୁଇବର୍ଷ ହେବ ବନ୍ଦ କରିଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଆଉଟ୍‌ଡୋର୍‌ରେ ପ୍ରତି ୮ ଘଣ୍ଟାରେ ଜଣେ ଲେଖାଏ ପୁଲିସ କର୍ମୀ ଡ୍ୟୁଟି କରୁଥିଲେ। ସେମାନେ ବି ଆଉ ଆସୁ ନାହାନ୍ତି। କାମଚଳା ଢଙ୍ଗରେ ଶିଶୁଭବନ ସୁରକ୍ଷା ଦାୟିତ୍ବ ଏବେ ଘରୋଇ ସୁରକ୍ଷାକର୍ମୀଙ୍କ ହାତରେ ଧରାଇ ଦିଆଯାଇଛି। କେବଳ ଶିଶୁଭବନ ନୁହେଁ, ବଡ଼ ଡାକ୍ତରଖାନା ଫାଣ୍ଡି ଅବସ୍ଥା ବି ସେଇଭଳି। ପାଖାପାଖି ୧୬ ପୁଲିସ କର୍ମଚାରୀ ପଦବି ଖାଲି ପଡ଼ିଛି। ଦୈନିକ ଅପମୃତ୍ୟୁ ମାମଲା ହାରାହାରି ୨୦ଟି ହେଉଥିବା ବେଳେ ବାଇକ୍ ଚୋରି ଓ ଡାକ୍ତର-ଆଟେଣ୍ଡାଣ୍ଟ ବିବାଦ ବର୍ଷସାରା ଲାଗି ରହୁଛି। ଅଳ୍ପ କର୍ମଚାରୀଙ୍କୁ ନେଇ ଫାଣ୍ଡି ଏତେ ସବୁ ସମସ୍ୟା ବୁଝିବାରେ ସମସ୍ୟା ହେଉଥିବା କୁହାଯାଉଛି। ସୂଚନା ଅନୁଯାୟୀ, ୨୦୧୬ ମସିହାରେ ସା˚ସଦଙ୍କ ପାଣ୍ଠିରୁ ଶିଶୁଭବନ ଵାର୍ଡ ୨ ପଛପଟେ ଏକ ଫାଣ୍ତି ଖୋଲିଥିଲା। ଲାଲବାଗ ଥାନା ଅଧୀନରେ କାମ କରୁଥିବା ଦୈନିକ ୪୦୦ରୁ ୫୦୦ ରୋଗୀ ଶିଶୁଭବନକୁ ଆସୁଥିବାରୁ ଡାକ୍ତର ଓ ରୋଗୀଙ୍କ ସୁରକ୍ଷା, ଦଲାଲଙ୍କ ଉପରେ ନଜର ରଖିବା ଓ ବେଆଇନ ପାର୍କିଂ ରୋକିବା ଦିଗରେ ଦୃଷ୍ଟି ଦେବାକୁ ଏହା ଖୋଲାଯାଇଥିଲା। ଉଦ୍‌ଘାଟନର ପ୍ରଥମ ଦୁଇବର୍ଷ ଫାଣ୍ତିରେ ଲାଲବାଗ ଥାନାରୁ ପୁଲିସ କର୍ମଚାରୀ ସ୍ଥାୟୀ ଭାବେ ଡ୍ୟୁଟି କରୁଥିଲେ। ୪ ଜଣ କନ୍‌ଷ୍ଟେବଳ ଓ ହାବିଲ୍‌ଦାର ୨୪ ଘଣ୍ଟିଆ ଡ୍ୟୁଟି କରୁଥିଲେ। ଏମାନଙ୍କୁ ଶିଶୁଭବନ କ୍ୟାମ୍ପସ୍‌ ସମେତ ଚୌଧୁରୀବଜାର, ହାଇକୋର୍ଟ ଛକ, ବୋର୍ଡ ଅଫ୍‌ ରେଭିନ୍ୟୁ ଅଞ୍ଚଳରେ ପାଟ୍ରୋଲିଂ ଡ୍ୟୁଟି ବଣ୍ଟାଯାଉଥିଲା। ଏହାସହିତ ସେମାନେ ଶିଶୁଭବନ ଆଉଟ୍‌ଡୋର୍‌ରେ ନିୟମିତ ସକାଳ ୬ଟାରୁ ଦିନ ୨ଟା, ଦିନ ୨ଟାରୁ ରାତି ୧୦ଟା, ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ତିନୋଟି ସିଫ୍ଟରେ ୮ ଘଣ୍ଟା ଲେଖାଏ ଡ୍ୟୁଟି କରୁଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ରାଜ୍ୟ ସରକାର ଫାଣ୍ତି ପାଇଁ କୌଣସି ପଦବି ସୃଷ୍ଟି କଲେ ନାହିଁ। ଅର୍ଥାତ ବିନା ପଦବିରେ ଫାଣ୍ତି ୨୦୧୯ ପର୍ଯ୍ୟନ୍ତ ଠେଲାପେଲାରେ ଚାଲିଲା। ଗଲା ଦୁଇବର୍ଷ ହେବ ଅଚଳାବସ୍ଥା ଲାଗି ରହିଥିଲା। ଏବେ ଫାଣ୍ଡିରେ ସମ୍ପୂର୍ଣ୍ଣ ତାଲା ଝୁଲିଛି। କୌଣସି ପୁଲିସ କର୍ମଚାରୀଙ୍କ ଦେଖା ନାହିଁ।

ଶିଶୁଭବନ ଆଉଟଡୋର୍ ଓ ଇନଡୋର୍‌ରେ ନିୟମିତ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେଉଛି। ରୋଗୀ ଚିକିତ୍ସାକୁ ନେଇ ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କ ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି। ଜାପାନ କୋଠା, ନ୍ୟୁ ମେଡିକାଲ୍‌, ସର୍ଜରି ଓ୍ବାର୍ଡରେ ତ ମୋବାଇଲ୍ ଚୋରି ନିୟମିତ ଘଟଣା ହୋଇଗଲାଣି। ଦିନକୁ ପ୍ରାୟ ୪ରୁ ୫ ମୋବାଇଲ୍ ଚୋରି ହେଉଛି। ବିଳମ୍ବିତ ରାତିରେ ଚିକିତ୍ସା ପାଇଁ କାଜୁଆଲିଟିକୁ ଆସୁଥିବା ଶିଶୁରୋଗୀଙ୍କ ଅଭିଭାବକମାନେ ଚିକିତ୍ସାକୁ ନେଇ ପାଟିତୁଣ୍ଡ କରୁଛନ୍ତି। ଓ୍ବାର୍ଡରେ ମାତ୍ର ଜଣେ ଲେଖାଏ ଘରୋଇ ସୁରକ୍ଷାକର୍ମୀ ଡ୍ୟୁଟି କରୁଥିବା ବେଳେ ସେମାନେ ସ୍ଥିତି ନିୟନ୍ତ୍ରଣ କରିବାରେ ନାକେଦମ୍‌ ହେଉଛନ୍ତି। ଲାଲବାଗ ଥାନାକୁ ଫୋନ୍ କଲେ ପିସିଆର୍ ଭ୍ୟାନ୍ ଯଦି ଦୂରରେ ଥିବ ପହଞ୍ଚିବାକୁ ବିଳମ୍ବ ହେଉଛି। ଶିଶୁଭବନରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ତୁରନ୍ତ ଲାଲବାଗ ଥାନା ପୁଲିସର ସହଯୋଗ ମିଳିପାରୁ ନଥିବା ଘଟଣାକୁ ନେଇ ଶିଶୁଭବନ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ବଡ଼ ଡାକ୍ତରଖାନାର ଫାଣ୍ଡି ସ୍ଥିତି ବି ସେହିଭଳି। ଏଠାକାର ଫାଣ୍ଡିରେ ଜଣେ ଏସ୍‌ଆଇ ଓ ଦୁଇ ଏଏସ୍‌ଆଇ ଯଦିଓ ଧାର୍ଯ୍ୟ ମୁତାବକ ଅଛନ୍ତି, ଏମାନଙ୍କ ମଧ୍ୟରୁ ଦୈନିକ ଡିସିଓ(ଡାଏରି ଚାର୍ଜ ଅଫିସର), ନାଇଟ୍ ପାଟ୍ରୋଲିଂ ଓ ଶବ ବ୍ୟବଚ୍ଛେଦରେ ଜଣେ ଲେଖାଏ ଅଫିସର ନିୟୋଜିତ ହେଉଛନ୍ତି। ଏଭଳି ପରିସ୍ଥିତିରେ ଜଣେ ଅଫିସର ୧୭ରୁ ୧୮ ଘଣ୍ଟା ଡ୍ୟୁଟି କରିବାକୁ ପଡ଼ୁଛି। ଯଦି ଏହି ତିନିଜଣଙ୍କ ମଧ୍ୟରୁ କେହି ଜଣେ ଅଫିସର ଛୁଟିରେ ରହୁଛନ୍ତି ତେବେ ସ୍ଥିତି ଆହୁରି ଜଟିଳ ହୋଇପଡ଼ୁଛି। ଅଫିସର୍ ବାଦ କନଷ୍ଟେବଳ ୧୨ ଜଣ ସ୍ଥାନରେ ମାତ୍ର ୨ଜଣ ଅଛନ୍ତି। ହାବିଲଦାର ଦୁଇଟି ପଦବିରୁ ଅଛନ୍ତି ଜଣେ। ହୋମଗାର୍ଡ ୧୫ ଜଣରୁ ଅଛନ୍ତି ୭ ଜଣ। ଓଏପିଏଫ୍ ୫ ଜଣ ନିଯୁକ୍ତ ହୋଇଛନ୍ତି। ପାଖାପାଖି ୧୬ଟି ପଦବି ବଡ଼ ଡାକ୍ତରଖାନା ଫାଣ୍ଡିରେ ଖାଲି ପଡ଼ିଛି। ପୁଲିସ କର୍ମଚାରୀ ଅଭାବରୁ ବଡ଼ ଡାକ୍ତରଖାନାରେ ପାଟ୍ରୋଲିଂ ଏକ ବଡ଼ ସମସ୍ୟା ହୋଇଛି। ଉଭୟ ଶିଶୁଭବନ ଓ ବଡ଼ ଡାକ୍ତରଖାନା ଫାଣ୍ଡିରେ ରୋଗୀ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏବେ ଖାଲି ପଦବି ପୂରଣ ଓ ସ୍ଥାୟୀ ନିଯୁକ୍ତିର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର