ବାଲିଯାତ୍ରାରେ ୬ ଯୁବକଙ୍କ ଉତ୍ପାତ

କଟକ : ବାଲିଯାତ୍ରା ପଡ଼ିଆରେ ୬ ଜଣ ଦୁର୍ଦ୍ଦାନ୍ତ ଯୁବକ ଆତଙ୍କ ସୃଷ୍ଟି କରିଛନ୍ତି। ୫ ହଜାର ଟଙ୍କା ବଟି ନଦେବାରୁ ଜଣେ ଓଟ ମାଲିକଙ୍କୁ ପଡ଼ିଆରେ ନିସ୍ତୁକ ପିଟିଛନ୍ତି। ମହାନଦୀ ପଠାରେ ବନ୍ଧା ହୋଇଥିବା ତାଙ୍କ ଓଟ ଏବଂ ଘୋଡ଼ାଙ୍କ ବେକ କାଟିବାକୁ ଉଦ୍ୟମ କରିଛନ୍ତି। ଆହତ ଓଟ ମାଲିକ ହେଉଛନ୍ତି ପୁରୀ ଜିଲ୍ଲା ବଳିଆପଣ୍ଡାର ମାର୍କଣ୍ଡ ଷଢ଼ଙ୍ଗୀ। ମାର୍କଣ୍ଡ ଏ ସଂକ୍ରାନ୍ତରେ କ୍ୟାଣ୍ଟନ୍‌ମେଣ୍ଟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏହି ଘଟଣାରେ ୨ ଅପରାଧୀଙ୍କୁ ଗିରଫ କରିଛି। ଅନ୍ୟ ୪ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଗିରଫ ଅଭିଯୁକ୍ତ ହେଉଛନ୍ତି ଲାଲବାଗ ଥାନା ଦିଓ୍ଵାନବଜାର ଅଞ୍ଚଳର ସେକ୍‌ ଆକବର(୧୯) ଏବଂ ଓଡ଼ିଆ ବଜାର ଅଞ୍ଚଳର ସେକ୍‌ ସାରୁଖ(୧୯)।

ବାଲିଯାତ୍ରାକୁ ଚଳିତ ବର୍ଷ ପୁରୀରୁ ୧୮ଟି ଓଟ ଓ ଘୋଡ଼ା ଆସିଥିବା ବେଳେ ସେମାନଙ୍କ ସହ ୨୨ ଜଣ ଆସିଛନ୍ତି । ସେମାନେ ସମସ୍ତେ ତଳ ବାଲିଯାତ୍ରା ପଡ଼ିଆର ମହାନଦୀ ପଠାରେ ରହୁଛନ୍ତି। କିନ୍ତୁ ବାଲିଯାତ୍ରା ଆରମ୍ଭ ପରଠାରୁ କିଛି ଦୁର୍ଦ୍ଦାନ୍ତ ଯୁବକ ରାତିରେ ମହାନଦୀ ପଠାରେ ପହଞ୍ଚି ସେମାନଙ୍କୁ ୫ ହଜାର ଟଙ୍କା ଲେଖାଏ ବଟି ମାଗୁଥିଲେ । ଟଙ୍କା ନଦେବାରୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିଲେ। କିନ୍ତୁ ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ଗ୍ୟାଙ୍ଗର ଦୁଇ ଜଣ ଦୁର୍ବୃତ୍ତ କଳା ରଙ୍ଗର ନମ୍ବରବିହୀନ ଆକ୍ଟିଭା ଗାଡ଼ିରେ ଆସି ବଟି ମାଗିଥିଲେ । କିନ୍ତୁ ସମସ୍ତେ ଟଙ୍କା ଦେବାକୁ ମନା କରିଦେଇଥିଲେ। ଉତ୍ତ୍ୟକ୍ତ ହୋଇ ଦୁର୍ବୃତ୍ତମାନେ ପୁରୀ ବଳିଆପଣ୍ଡା ଅଞ୍ଚଳରୁ ଆସିଥିବା ମାର୍କଣ୍ଡ ଷଢ଼ଙ୍ଗୀ(୨୩)ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଘୋଡ଼ା ଏବଂ ଓଟଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଘଟଣା ସମ୍ପର୍କରେ କ୍ୟାଣ୍ଟନ୍‌ମେଣ୍ଟ ଥାନାରେ ମାର୍କଣ୍ଡ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଦଫା ୩୮୬ରେ ମାମଲା(କେସ୍‌ ନଂ ୯୬) ରୁଜୁ କରିଥିବା ଡିିସିପି ଅଖିଳେଶ୍ୱର ସିଂହ କହିଛନ୍ତି ।

ସମ୍ବନ୍ଧିତ ଖବର