ସ୍ବାୟତ୍ତ ଶାସନ ଦିବସରେ ସିଏମ୍‌ସିର ୬ଟି ପ୍ରକଳ୍ପ ଉଦ୍‌ଘାଟନ ହେବ

କଟକ: ମହାନଗର ନିଗମ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ଅଗଷ୍ଟ ୩୧ ତାରିଖରେ କୋଭିଡ୍ କଟକଣା ମଧ୍ୟରେ ପାଳନ କରାଯିବ। କରୋନା ସଂକ୍ରମଣ ପାଇଁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କୌଣସି ସଭାସମିତିର ଆୟୋଜନ କରାଯାଇ ନାହିଁ। ସିଏମ୍‌ସିର ୬ଟି ପ୍ରକଳ୍ପକୁ ଅତିଥିଙ୍କ ଦ୍ବାରା ଉଦ୍‌ଘାଟନ କରାଯିବା ସହିତ ୧୩ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ କରାଯିବାର ସିଏମ୍‌ସି ପକ୍ଷରୁ ଏଥିରେ ସ୍ଥିର ହୋଇଛି। କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ଅତିଥି ଭାବେ ରାଜ୍ୟସଭା ସାଂସଦ ସୁବାସ ସିଂହ, ବିଧାୟକ ଚନ୍ଦ୍ରସାରଥି ବେହେରା, ବିଧାୟକ ଇଂଜିନିୟର ମହମ୍ମଦ ମୋକିମ, ବିଧାୟକ ସୌଭିକ ବିଶ୍ବାଳ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ପୂର୍ବତନ ବିଧାୟକ ତଥା ସିଏମ୍‌ସି କର୍ମଚାରୀ ସଂଘ ସଭାପତି ରାଜେନ୍ଦ୍ର ପ୍ରସାଦ ସିଂହ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟମାନଙ୍କ ମଧ୍ୟରେ ସିଏମ୍‌ସି ପ୍ରଶାସକ ତଥା କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନୀଲ କୁମାର ସାମଲ, ସିଏମ୍‌ସି ଆୟୁକ୍ତ ଅନନ୍ୟା ଦାସଙ୍କ ସମେତ ନିଗମର ସମସ୍ତ ଅଧିକାରୀ ଉପସ୍ଥିତ ରହ‌ିବେ। କାର୍ଯ୍ୟକ୍ରମରେ ଟାଉନହଲ୍‌ସ୍ଥିତ ଚନ୍ଦନ ପୋଖରୀ ଠାରେ ନିର୍ମାଣ ହୋଇଥିବା ସିଏମ୍‌ସି ସର୍ଭିସ ପାଭିଲିୟନ୍‌, ଜଗତପୁର ପାର୍କ, ଚହଟାନଗର ଶିଶୁ ଉଦ୍ୟାନ, ସାଆନ୍ତସାହି ଚନ୍ଦନ ପୋଖରୀ, ସିଡିଏସ୍ଥିତ ଏମ୍‌ସିସି ପଏଣ୍ଟ୍‌ ଓ ଥୋରିଆସାହି ଶୌଚାଳୟକୁ ଅତିଥିଙ୍କ ଦ୍ବାରା ଉଦ୍‌ଘାଟନ କରାଯିବାର ଯୋଜନା ହୋଇଛି। ଏଥିସହ ସହରର ବିଭିନ୍ନ ସ୍ଥାନରେ ୧୩ରୁ ଅଧିକ ନୂତନ ପ୍ରକଳ୍ପର ଶିଳାନ୍ୟାସ କରାଯିବ।

ସମ୍ବନ୍ଧିତ ଖବର