‘ସ୍ମାର୍ଟ ରୋଡ୍‌’ ରୂପ ନେବ ସହରର ୫ କିଲୋମିଟର ରାସ୍ତା, ବେଙ୍ଗାଲୁର୍‌ ଏମ୍‌ଜି ରୋଡ୍‌ ଢାଞ୍ଚାରେ ହେବ ରାସ୍ତା

କଟକ: କଟକ ସହର ରାସ୍ତାର ଚିତ୍ର ବଦଳିବ। ରାସ୍ତା କଡ଼ରେ ଆଉ ଦେଖିବାକୁ ମିଳବ ନାହିଁ ଖୋଲା ଡ୍ରେନ। ସହରବାସୀଙ୍କୁ ମିଳିବ ବେଙ୍ଗାଲୁର ସ୍ମାର୍ଟ ସିଟିର ସ୍ମାର୍ଟ ରୋଡର ସୁବିଧା। ମହାନଗର ନିଗମ ପକ୍ଷରୁ ସହର ମଧ୍ୟରେ ନିର୍ମାଣ ହେବ ‘ସ୍ମାର୍ଟ ରୋଡ୍‌’। ପ୍ରଥମ ପ୍ରର୍ଯ୍ୟାୟରେ ପାଇଲଟ ପ୍ରୋଜେକ୍ଟରେ ସହରର ୫ଟି ସ୍ଥାନରେ ଏକ କିଲୋମିଟର କରି ମୋଟ ୫ କିଲୋମିଟର ରାସ୍ତାକୁ ସ୍ମାର୍ଟ ରୋଡରେ ପରିଣତ କରିବ ସିଏମ୍‌ସି। ଗୋଟିଏ କିଲୋମିଟର ସ୍ମାର୍ଟ ରୋଡ ନିର୍ମାଣ ପାଇଁ ୫ରୁ ୭ କୋଟି ଟଙ୍କା ଖର୍ଚ୍ଚ ହେବ। ସ୍ମାର୍ଟ ରୋଡରେ ଗାଡି ଚାଳିକଙ୍କ ପାଇଁ ରାସ୍ତା ରହିବା ସହିତ ପଥଚାରୀଙ୍କ ପାଇଁ ଫୁଟ୍‌ପାଥ୍‌ର ‌ବ୍ୟବସ୍ଥା ରହିବ। ମହାନଗର ନିଗମ ପକ୍ଷରୁ ସହର ରାସ୍ତାକୁ ସ୍ମାର୍ଟ ରୋଡରେ ପରିଣତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। କଟକ ସହରର ରାସ୍ତାକୁ ବେଙ୍ଗାଲୁର ସହରର ମହାତ୍ମା ଗାନ୍ଧୀ (ଏମ୍‌ଜି) ରୋଡର ରୂପ ଦିଆଯିବ। ପ୍ରଥମେ ସହରର ୫ଟି ସ୍ଥାନ ଯଥା ପିଠାପୁର, ମହାନଦୀବିହାର, ଉତ୍ତମାପୁର ସହିତ ସିଡିଏର ଦୁଇଟି ସ୍ଥାନରେ ସ୍ମାର୍ଟ ରୋଡ ନିର୍ମାଣ ହେବ। ପ୍ରତ୍ୟେକ ସ୍ଥାନରେ ଏକ କିଲୋମିଟର କରି ମୋଟ ୫ କିଲୋମିଟର ରାସ୍ତାର ଚିତ୍ର ବଦଳିବ। ପ୍ରତି ଏକ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୫ରୁ ୭ କୋଟି ଟଙ୍କାର ଖର୍ଚ୍ଚ ହେବ। ସ୍ମାର୍ଟ ରାସ୍ତା ପାର୍ଶ୍ବରେ ଖୋଲା ଡ୍ରେନ ରହିବ ନାହିଁ। ଡ୍ରେନ ବଦଳରେ ହ୍ୟୁମ ପାଇପ୍‌ରେ ବର୍ଷା ଜଳ ଆବଶ୍ୟକ ହେଲେ ଲୋକଙ୍କ ଘରର ପାଣି ଏଥିରେ ପ୍ରବାହିତ ହେବ। ସ୍ମାର୍ଟ ରୋଡ ନିର୍ମାଣ ସମୟରେ ରାସ୍ତା କଡରେ ୫୦ରୁ ଅଧିକ ବିଭିନ୍ନ ସାଇଜର ପାଇପ୍‌କୁ ମାଟି ତଳେ ପୋତାଯିବ।

ଭବିଷ୍ୟତରେ ଦରକାର ଅନୁଯାୟୀ ବିଭିନ୍ନ ପ୍ରକାରର କେବୁଲକୁ ମାଟି ତଳେ ଟଣାଯାଇ ପାରିବ। ଏପରି କରିବା ଦ୍ବାରା ରାସ୍ତାକୁ ବାରମ୍ବାର ଖୋଳିବାକୁ ପଡିବ ନାହିଁ। ସ୍ମାର୍ଟ ରୋଡ୍‌ରେ ଗାଡି ମଟର ଯିବା ସହିତ ଏହାର ପାର୍ଶ୍ବରେ ପଥଚାରୀ ଓ ସାଇକେଲ ଚାଳକଙ୍କ ପାଇଁ ଫୁଟ୍‌ପାଥ୍‌ର ବ୍ୟବସ୍ଥା କରାଯିବ। ରାସ୍ତାର ଓସାରକୁ ଦେଖି ଏହାକୁ ପିଚୁ, କଂକ୍ରିଟ କିମ୍ବା ଫେବର ବ୍ଲକ୍‌ରେ ନିର୍ମାଣ ହେବ। ମାତ୍ର ସମସ୍ତ ଫୁଟଫାଥ୍‌କୁ ଫେବର ବ୍ଲକରେ ନିର୍ମାଣ କରାଯିବା ସହିତ ଏହା ଉପରେ ମଟର ସାଇକେଲ ଯେପରି ଯାଇ ନପାରେ ଏଥିପାଇଁ ବିଭିନ୍ନ ସ୍ଥାନରେ ବୋଲାରଡ୍‌ ବା ଲୁହା ଖୁଣ୍ଟି ଦିଆଯିବ। ସ୍ମାର୍ଟ ରୋଡ୍‌ ପାର୍ଶ୍ବରେ ‌ଖାଲି ସ୍ଥାନ ଥିଲେ ସେଠାରେ ‘ପେ ଆଣ୍ଡ ପାର୍କ’ର ବ୍ୟବସ୍ଥା କରାଯିବା ସହିତ ରାସ୍ତାର ବିଭିନ୍ନ ସ୍ଥାନରେ ଡଷ୍ଟବିନ ରଖାଯିବ। ସ୍ମାର୍ଟ ରୋଡ୍‌ ଓ ଫୁଟ୍‌ପାଥ୍‌ ମଧ୍ୟାର ବିଭିନ୍ନ ପ୍ରକାର ଛୋଟ ଛୋଟ ଗଛ ଲଗାଯିବ। ଏଥିରେ ବର୍ଷା ଜଳ ଯେପରି ମାଟି ଭିତରକୁ ଯିବ ଏଥିପାଇଁ ବ୍ୟବସ୍ଥା ହେବ। ସ୍ମାର୍ଟ ରୋଡ୍‌ ଦେଇ ଯାଇଥିବା ହ୍ୟୁମ ପାଇପର ବିଭିନ୍ନ ସ୍ଥାନରେ ଲୁହା ଜାଲି ରହିବ। ଯେପରି ଏହା ମଧ୍ୟକୁ ବର୍ଷା ପାଣି ସହଜରେ ନି‌ଷ୍କାସନ ହୋଇାପରିବ। ସ୍ମାର୍ଟ ରୋଡ୍‌ ନିର୍ମାଣ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ନିଗମର ସିଟି ଡିଭିଜନ୍‌ ୧ ଓ ୨ର ଦୁଇ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ତିନିଜଣ ଇଂଜିନିୟର ବେଙ୍ଗାଲୁରର ସ୍ମାର୍ଟ ରୋଡ ଅନୁଧ୍ୟାନ କରି ଫେରିଛନ୍ତି। ଆସନ୍ତା ଦିନରେ ସହରର ୫ଟି ରାସ୍ତାରୁ କେଉଁ ସ୍ଥାନରେ ଏହା ନିର୍ମାଣ କାମ ଆରମ୍ଭ ହେବ ତାହା ଖୁବ୍ ଶୀଘ୍ର ସ୍ଥିର କରାଯିବ ବୋଲି ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର