କଟକ: କଟକ ସହରକୁ ନୂଆ ରୂପ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ମାତ୍ର ପ୍ରଶାସନିକ ଅବ୍ୟବସ୍ଥ‌ା ଓ ଆନ୍ତରିକତା ଅଭାବ ଯୋଗୁଁ କିଛି କାମ ଅଧ‌ାରେ ଅଟକି ରହିଛି। ବିଜୁ ପଟ୍ଟନାୟକ ଛକ-କନିକା ଛକ ରାସ୍ତା ସଂପ୍ରସାରଣ କାମ ଦୀର୍ଘ ଦିନ ଧରି ସଂପୂର୍ଣ୍ଣ ହୋଇ ନ ପାରିବା ଘଟଣା ଏହାର ପ୍ରମାଣ ଦେଉଛି। ଜିଲ୍ଲାପାଳଙ୍କ ଆବାସକୁ ଲାଗି ରହିଥିବା ଏହି ରାସ୍ତା ନିର୍ମାଣ ଅଟକି ରହିଥିଲେ ବି ପ୍ରଶାସନ ଏ ଦିଗରେ ତ୍ବରାନ୍ବିତ ପଦକ୍ଷେପ ନେଇ ପାରୁ ନାହିଁ। ଦୀର୍ଘ ଦିନର ଦାବି ପରେ ବିଜୁ ପଟ୍ଟନାୟକ ଛକରୁ-କନିକା ଛକ ରାସ୍ତାକୁ ଫୋର ଲେନ୍ କରିବା ପାଇଁ ଯୋଜନା ହୋଇଥିଲା। ୨୦୧୮ ମସିହା‌‌ରେ ବିଜୁ ପଟ୍ଟନାୟକ ଛକରୁ କନିକା ଛକ ରାସ୍ତାର ସଂପ୍ରସ‌ାରଣ କାମ ଆରମ୍ଭ ହୋଇଥିଲା। ତେବେ ବିଜୁ ପଟ୍ଟନାୟକ ଛକରୁ ଜିଲ୍ଲାପାଳଙ୍କ ବାସଭବନ ପର୍ଯ୍ୟନ୍ତ ପ୍ରାୟ ୪୦୦ ମିଟର ରାସ୍ତା ସଂପ୍ରସାରିତ ହୋଇ ପାରିନଥିଲା। ଜମି ନ ମିଳିବାରୁ ଏଭଳି ସ୍ଥିତି ଉପୁଜିଥିଲା। ଦୀର୍ଘ ୫ ବର୍ଷ ହେବ ଏହାର ସଂପ୍ରସ‌ାରଣ ହୋଇ ପାରୁନଥିବାରୁ ଏହି ରାସ୍ତାଟି ଅଣଓସାରିଆ ହୋଇ ରହିଛି। ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ବି ଘଟୁଛି। ଏପରିକି ଏହି ରାସ୍ତାକୁ ଲାଗି ଏକ ଖୋଲା ଡ୍ରେନ୍ ରହିଛି। ରାସ୍ତା ସଂପ୍ରସାରିତ ହୋଇପାରି ନଥିବାରୁ ଡ୍ରେନରେ ସ୍ଲାବ୍ ପଡିପାରୁ ନାହିଁ। ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେଇଛି।

Advertisment

ରାଜ୍ୟ ସରକାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ତୁରନ୍ତ ଜମି ଅଧିଗ୍ରହଣ କରୁଥିବା ବେଳେ ଏହି ୪୦୦ ମିଟର ରାସ୍ତାକୁ ଅଧିଗ୍ରହଣରେ କାହିଁକି ପଛଘୁଞ୍ଚା ଦେଉଛନ୍ତି? ଜନସ୍ବାର୍ଥ ଜଡିତ ଥିବା ଏହି ରାସ୍ତାର ସଂପ୍ରସାରଣରେ କିଏ ବାଧକ ସାଜିଛି? ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଅନ୍ୟପଟେ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖ ଏହି ରାସ୍ତାରେ ଏ ପର୍ଯ୍ୟନ୍ତ ଆଲୋକୀକରଣ ମଧ୍ୟ କରାଯାଇନାହିଁ। କନିକା ଛକରୁ ସେଲଟର ଛକ ରାସ୍ତ‌ା ନିର୍ମାଣ ପାଇଁ ୧୨ କୋଟି ଟଙ୍କା ମଂଜୁର ହୋଇଥିଲେ ବି ଏହି ରାସ୍ତା ମଧ୍ୟ ସଂପ୍ରସାରଣ ହୋଇପାରୁନାହିଁ। ଜମି ଅଧିଗ୍ରହଣ ସମସ୍ୟା ରହୁଥିବାରୁ ଏହି କାମ ମଧ୍ୟ ଅଧାରୁ ଅଟକି ରହିଛି। ଏହି ରାସ୍ତା ସଂପ୍ରସାରଣ ପାଇଁ ୧୦ ଥର ମାପଚୁପ ହୋଇଥିଲେ ବି ଏହାର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇପାରୁ ନାହିଁ। ସୂଚନାଯୋଗ୍ୟ, ସିଏମସି ସ୍ମାର୍ଟ ରୋଡ ଯୋଜନାରେ ଏହି ରାସ୍ତାକୁ ସାମିଲ କରାଯାଇଛି। ଦୀର୍ଘ ୧୦ ବର୍ଷ ଧରି ପଡି ରହିଥିବା କନିକା ଛକ-ସେଲଟର ଛକ ରାସ୍ତା କିଭଳି ସ୍ମାର୍ଟ ଯୋଜନାରେ ସଫଳ ହେବ ତାକୁ ନେଇ ପ୍ରଶ୍ନ ଉଠିଛି। ‌ସିଏମ୍‌ସି ସ୍ମାର୍ଟରୋଡ ‌ଯୋଜନାରେ ବକ୍ସିବଜାରରୁ ଛଣ୍ଡୀ ଛକ, ଚଣ୍ଡୀ ଛକରୁ-କନିକା ଛକ ଓ କନିକା ଛକରୁ ସେଲ୍‌ଟଲ ଛକ ପର୍ଯ୍ୟନ୍ତ ରାସ୍ତ‌ା ସ୍ମାର୍ଟରୋଡରେ ସାମିଲ କରାଯାଇଥିଲା। ଏହି ରାସ୍ତାରେ ମଧ୍ୟ କେଁ ଦେଖ‌ା ଦେଇଛି।