ଭଲ ମଣିଷ ହୋଇ ବାପା-ମା’ଙ୍କ ସ୍ବପ୍ନକୁ ସାକାର କର: ମୁଖ୍ୟମନ୍ତ୍ରୀ
ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାର ୧୩୫ ହାଇସ୍କୁଲ୍ ହେଲା ସ୍ମାର୍ଟ
କଟକ: ତୁମେମାନେ ପାଠ ପଢ଼। ଭଲ ମଣିଷ ହୁଅ। ବାପା-ମା’ଙ୍କ ସ୍ବପ୍ନକୁ ସାକାର କର। ଛାତ୍ରଛାତ୍ରୀଙ୍କୁ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦ୍ବିତୀୟ ପର୍ଯ୍ୟାୟ ୫-ଟି ରୂପାନ୍ତରଣ ପ୍ରକ୍ରିୟାରେ କଟକ ଜିଲ୍ଲାର ୧୩୫ଟି ହାଇସ୍କୁଲକୁ ସ୍ମାର୍ଟ ସ୍କୁଲ ଭାବେ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷିକା, ଅଭିଭାବକ, ନେତାମନ୍ତ୍ରୀଙ୍କୁ ଜୀବନରେ ୫-ଟିର ଆବଶ୍ୟକତା ବିଷୟରେ ବୁଝାଇଥିଲେ। କହିଲେ, ଟେକ୍ନୋଲୋଜି(ବୈଷୟିକ ଜ୍ଞାନ), ଟିମ୍ ୱାର୍କ(ସମସ୍ତଙ୍କୁ ନେଇ କାର୍ଯ୍ୟ କରିବା), ଟାଇମ୍(ସମୟ ଅନୁସାରେ କରିବା), ଟ୍ରାନସ୍ପରେନ୍ସି(କାର୍ଯ୍ୟରେ ସ୍ବଚ୍ଛତା), ଟ୍ରାନ୍ଫରମେସନ୍(ପରିବର୍ତ୍ତନ/ରୂପାନ୍ତର) ଦ୍ବାରା ବ୍ୟକ୍ତିଗତ ତଥା ଗୋଷ୍ଠୀଗତ ଉନ୍ନତି ସମୟ ଅନୁସାରେ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଭାସୀ ମାଧ୍ୟମରେ ପିଲାଙ୍କୁ ବୁଝାଇଥିଲେ। ସୟଦ୍ ସେମିନାରୀ ହାଇସ୍କୁଲ ପରିସରରେ ଆୟୋଜିତ ୧୩୫ଟି ହାଇସ୍କୁଲର ଉଦ୍ଘାଟନୀ ସମାରୋହରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସ୍ବାଗତ ଭାଷଣରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୩୦ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାର ୧୩୫ଟି ହାଇସ୍କୁଲ ୫-ଟି ରୂପାନ୍ତରଣ ପ୍ରକ୍ରିୟାରେ ସ୍ମାର୍ଟ ସ୍କୁଲ ହୋଇଥିବା ସୂଚନା ଦେଇଥିଲେ। ଏହା ଦ୍ବାରା ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷାଦାନ ସମ୍ଭବ ହେଉଥିବାରୁ ଜିଲ୍ଲାପାଳ ଶ୍ରୀ ଚୟନୀ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ଙ୍କୁ ଆନ୍ତରିକ କୃତଜ୍ଞତା ପ୍ରଦାନ କରିଥିଲେ। ବିଦ୍ୟାଳୟର ଶୈକ୍ଷିକ ଓ ଭୌତିକ ପରିବେଶ ସମେତ ଉପଲବ୍ଧ ସୁବିଧାସୁଯୋଗ ବିଷୟରେ ସେମିନାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରୀ ସାନିଆ ଛାବ୍ରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭିକେ. ପାଣ୍ଡିଆନ୍ଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏଭଳି ରୂପାନ୍ତର ପାଇଁ ଉଭୟ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସବୁ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଛାତ୍ରୀ ସାନିଆଙ୍କ ବକ୍ତବ୍ୟଙ୍କୁ ପ୍ରଶଂସା କରିବା ସହିତ ସାନିଆଙ୍କୁ ଜୀବନର ଲକ୍ଷ୍ୟ ବିଷୟରେ ପଚାରିଥିଲେ। ସାନିଆ ଭବିଷ୍ୟତରେ ଜଣେ ପ୍ରଫେସର ହେବାକୁ ଲକ୍ଷ୍ୟ ରଖିଥିବା ଓ ଏଥିପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏଥିରେ ଆନନ୍ଦ ପ୍ରକଟ କରିବା ସହିତ ସାନିଆଙ୍କୁ ଉତ୍ସାହିତ କରିଥିଲେ।
ଉଦ୍ଘାଟନୀ ସମାରୋହରେ ଅଭିଭାଷଣ ଦେଇ ବଡ଼ମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଲେ, ସ୍କୁଲର ନବକଳେବର କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ଏକ ବିରାଟ ସ୍ବପ୍ନ ଦେଖିଛନ୍ତି। ଏହାଦ୍ବାରା ରାଜ୍ୟରେ ମେଧାର ବିକାଶ ସମ୍ଭବ ହେବ। ଏଥିପାଇଁ ଓଡ଼ିଶାର ଉତ୍ତରପିଢ଼ି ମୁଖ୍ୟମନ୍ତ୍ରୀଙ୍କୁ ଆଦର୍ଶ ଭାବେ ଗ୍ରହଣ କରିବେ ବୋଲି ଶ୍ରୀ ମିଶ୍ର କହିଥିଲେ। ଏଭଳି ଅଭିନବ ପ୍ରୟାସ ପାଇଁ ଶ୍ରୀ ମିଶ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍ଙ୍କୁ କୃତଜ୍ଞତା ଜଣାଇଥିଲେ। ସମାରୋହରେ ସମ୍ମାନିତ ଅତିଥି ଭାବେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ମେୟର୍ ସୁବାସ ସିଂହ, ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ବାରବାଟୀ-କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍, ଚୌଦ୍ବାର-କଟକ ବିଧାୟକ ସୌଭିକ୍ ବିଶ୍ବାଳ, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲ, ସିଏମ୍ସି କମିସନର ଅନନ୍ୟା ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। କଟକ ମହାନଗର ଅନ୍ତର୍ଗତ ୧୧ଟି ହାଇସ୍କୁଲ ସମେତ ୧୩୫ଟି ହାଇସ୍କୁଲର ବର୍ତ୍ତମାନ ଛାତ୍ରଛାତ୍ରୀ, ପ୍ରାକ୍ତନ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷିକା, ଅଭିଭାବକ ଆଦି ୬ଶହରୁ ଅଧିକ ବ୍ୟକ୍ତି ଉଦ୍ଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ପ୍ରଶାସନ, ସିଏମ୍ସି, ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ, ସେମିନାରୀସ୍କୁଲ ଶିକ୍ଷକଶିକ୍ଷିକା, ପରିଚାଳନା କମିଟି ସଭ୍ୟସଭ୍ୟା ଉଦ୍ଘାଟନୀ ଉତ୍ସବ ପରିଚାଳନାରେ ସହାୟତା କରିଥିଲେ।