କଟକ: ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ ସ୍କୁଲ୍। ଖୋଦ୍ ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷା ସୁସ୍ମିତା ବାଗ୍ଚି ଏହି ଅନୁଷ୍ଠାନର ପୂର୍ବତନ ଛାତ୍ରୀ ଓ ଏହି ଅନୁଷ୍ଠାନକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ତଥାପି ଅବହେଳିତ। ଆବଶ୍ୟକ ଶିକ୍ଷକ ନାହାନ୍ତି କି ଶ୍ରେଣୀ ଗୃହ ନାହିଁ। ଏଯାଏ ୫-ଟି ଯୋଜନାରେ ଖେଳପଡ଼ିଆ କାମ ସଂପୂ୍ର୍ଣ୍ଣ ହୋଇନି। ଏମିତିକା ସ୍ମାର୍ଟ ସ୍କୁଲ୍ ହେଉଛି, ପୁଲିସ୍ ବିଭାଗ ଦ୍ବାରା ପ୍ରତିଷ୍ଠିତ ଦେଶର ପ୍ରଥମ ବିଦ୍ୟାଳୟ ତଥା ସର୍ବପୁରାତନ ବିଦ୍ୟାଳୟ ତୁଳସୀପୁରସ୍ଥିତ ‘ଓଡ଼ିଶା ପୁଲିସ୍ ହାଇସ୍କୁଲ’। ରାଜ୍ୟ ପୁଲିସ୍ ବିଭାଗ ଦ୍ବାରା ପ୍ରତିଷ୍ଠିତ ତୁଳସୀପୁରସ୍ଥିତ ଓଡ଼ିଶା ପୁଲିସ ହାଇସ୍କୁଲ୍ରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସହଶିକ୍ଷା ବ୍ୟବସ୍ଥା ଉପଲବ୍ଧ। ସ୍କୁଲ୍ରେ ୫୭୦ରୁ ଅଧିକ ଛାତ୍ରଛାତ୍ରୀ ଅଧୟନରତ। ବିଦ୍ୟାଳୟର ଶିକ୍ଷକ କ୍ଷମତା ୧୭ଜଣ(ପ୍ରଧାନଶିକ୍ଷକଙ୍କୁ ମିଶାଇ)। କିନ୍ତୁ ଏବେ ଅଛନ୍ତି ୧୨ଜଣ। ଛାତ୍ର-ଶିକ୍ଷକ ଅନୁପାତରେ ବିଶେଷ କିଛି ଫରକ ରହୁନାହିଁ। କିନ୍ତୁ ବିଷୟ ଶିକ୍ଷକ ଅଭାବ ପାଇଁ ଉଭୟ ପ୍ରାଥମିକ ବିଭାଗ ଓ ହାଇସ୍କୁଲ ଶିକ୍ଷାଦାନରେ ଘୋର ଅନ୍ତରାୟ ସୃଷ୍ଟି ହେଉଛି। ବିଦ୍ୟାଳୟରେ ୨ଜଣ ବିଜ୍ଞାନଶିକ୍ଷକ(ପିସିଏମ୍)ଙ୍କ ଆବଶ୍ୟକତା ରହିଥିବା ବେଳେ ଏବେ ​ଜଣେ ନାହାନ୍ତି। ଜଣେ କଳା ଶିକ୍ଷକ ପଦ ଖାଲିପଡ଼ିଛି। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପଢ଼ାଇବାକୁ ଜଣେ ଟିଏମ୍(ଟ୍ରେନ୍ଡ ମାଟ୍ରିକ୍ୟୁଲେଟ୍) ଓ ୨ଜଣ ଟିଆଇ(ଟ୍ରେନଡ୍ ଇଣ୍ଟରମିଡିଏଡ୍) ଶିକ୍ଷକ ପଦ ଖାଲି ପଡ଼ିଛି। ତଳ ଶ୍ରେଣୀରେ ଶିକ୍ଷକ ଅଭାବ ଥିବାରୁ ହାଇସ୍କୁଲର କିଛି ଶିକ୍ଷକ ତଳ ଶ୍ରେଣୀ ପିଲାଙ୍କୁ ପଢ଼ାଉଛନ୍ତି।
ଏହା ଦ୍ବାରା ୯ମ ଓ ୧୦ମ ଶ୍ରେଣୀ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏବେ ନବମରେ ୧୨୦ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ଦଶମରେ ଶ୍ରେଣୀରେ ଅଛନ୍ତି ୧୧୦ଜଣ। ଉଭୟ ନବମ ଓ ଦଶମ ଶ୍ରେଣୀ ପାଇଁ ତିନି ତିନିଟି ସେକ୍ସନ୍ ଆବଶ୍ୟକ ଥିବା ବେଳେ ଶ୍ରେଣୀ ଗୃହ ଅଭାବ ପାଇଁ ନବମ ଶ୍ରେଣୀ ପାଇଁ ୨ଟି ସେକ୍ସନ୍ ଓ ଦଶମ ଶ୍ରେଣୀ ପାଇଁ ୨ଟି ସେକ୍ସନ୍ କରାଯାଇଛି। ହାଇସ୍କୁଲରେ ୪ଟି କ୍ଲାସ୍କୁ ମାତ୍ର ଜଣେ ବିଜ୍ଞାନ ଶିକ୍ଷକ(ପିସିଏମ୍) ରହିଥିବାରୁ ଗଣିତ ଓ ବିଜ୍ଞାନ ଶିକ୍ଷାଦାନ ଘୋର ବାଧାପ୍ରାପ୍ତ ହେଉଛି। ଅନ୍ୟ ପକ୍ଷରେ ତଳ ଶ୍ରେଣୀ(ଷଷ୍ଠରୁ ଅଷ୍ଟମ) ପାଇଁ ଟିଆଇ, ଟିଏମ୍ ଶିକ୍ଷକ ଅଭାବ ଥିବାରୁ ଅନେକ ସମୟରେ ହାଇସ୍କୁଲ ଶିକ୍ଷକ ସେଠାରେ ପଢ଼ାଉଛନ୍ତି। ଏମିତି କି ପ୍ରତି ଶିକ୍ଷକଙ୍କୁ ପ୍ରତିଦିନ ୬ଟା କ୍ଲାସ୍ କରିବାକୁ ପଡ଼ୁଥିଲେ ବି ତାହା ଯଥେଷ୍ଟ ହେଉ ନାହିଁ। ୫-ଟି ସ୍କୁଲ ହେତୁ କମ୍ପ୍ୟୁଟର୍ର ଅଭାବ ନାହିଁ, କିନ୍ତୁ କମ୍ପ୍ୟୁଟର ଶିକ୍ଷକ ନାହାନ୍ତି। ଦୁଃଖର ବିଷୟ, ପୁଲିସ ହାଇସ୍କୁଲ ଅଗ୍ରାଧିକାର ଭିତ୍ତିରେ ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ ସ୍କୁଲ ହୋଇଥିଲେ ମଧ୍ୟ ଏଯାଏ ଖେଳପଡ଼ିଆ କାମ ସରି ନାହିଁ। ମୋ ସ୍କୁଲ୍ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ ପୁଲିସ ହାଇସ୍କୁଲର ପୂର୍ବତନ ଛାତ୍ରୀ ଓ ଏହି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି। ତଥାପି ସ୍କୁଲ୍ର ମୌଳିକ ଆବଶ୍ୟତକା ପୂରଣ ହେଉ ନାହିଁ। ଶିକ୍ଷକ ଅଭାବ, ଶ୍ରେଣୀ ଗୃହ ଅଭାବ ପାଇଁ ପାଠପଢ଼ା ବାଧାପ୍ରାପ୍ତ ହେଉଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହିତ ତୁରନ୍ତ ଆବଶ୍ୟକତା ପୂରଣ କରିବାକୁ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/Odisha-Police-High-School.jpg)