ନିଆଳି: ନିଆଳି ବ୍ଲକ୍ ତଥା ଦେବୀ-କନ୍ଦଳ ଦ୍ବୀପାଞ୍ଚଳର ବିଶିଷ୍ଟ ରାଜନେତା, ସମାଜସେବୀ, ସାହିତ୍ୟିକ ତଥା ସାମ୍ବାଦିକ ଭବାନୀଶଙ୍କର ପରିଜା(୬୧)ଙ୍କର ଗତକାଲି ରାତିରେ ହୃଦ୍ଘାତରେ ପରଲୋକ ହୋଇଯାଇଛି। ବୁଧବାର ଭବାନୀଶଙ୍କରଙ୍କ ଏକମାତ୍ର ପୁଅର ବିବାହ ହେବାର ଥିବାର ମଙ୍ଗଳବାର ରାତିରେ ଘରେ ଗହଳିଚହଳି ଲାଗି ରହିଥିଲା। ରାତି ପ୍ରାୟ ୮ଟାରେ ଅଚାନକ ହୃଦ୍ଘାତ ଯୋଗୁଁ ସେ ଗାଧୁଆ ଘରେ ପଡ଼ି ଯାଇଥିଲେ। ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଉଥିଲାବେଳେ ବାଟରେ ସେ ପ୍ରାଣ ହରାଇଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁସଂଖ୍ୟାରେ ଶୁଭେଚ୍ଛୁ ଓ ରାଜନୈତିକ ବ୍ୟକ୍ତିବିଶେଷ ବରିଷଣସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ସ୍ବର୍ଗତ ଶରତ ଚନ୍ଦ୍ର ପରିଜାଙ୍କର ପୁଅ ଭବାନୀଶଙ୍କର ପରିଜା ଦେବୀ-କନ୍ଦଳ ଦ୍ବୀପାଞ୍ଚଳ ସୁରକ୍ଷା ସାମ୍ମୁଖ୍ୟ ଓ ସେଭ୍ ଓଡ଼ିଶା ଫୋରମ୍ର ଆବାହକ ଥିଲେ। କସର୍ଦ୍ଦା ସ୍ବାସ୍ଥ୍ୟକେନ୍ଦ୍ର ଓ କସର୍ଦ୍ଦା ବ୍ରିଜ୍ ନିର୍ମାଣରେ ତାଙ୍କର ବିଶେଷ ଭୂମିକା ରହିଥିଲା। ଜଣେ ସାମ୍ବାଦିକ ଭାବେ ମଧ୍ୟ ସେ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ନିଆଳି ବିଧାୟକ ତଥା କଟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସମଗ୍ର ନିର୍ବାଚନମଣ୍ଡଳୀ ଜଣେ ସାହସୀ ଓ ବାଗ୍ମୀ ପୁରୁଷଙ୍କୁ ହରାଇାଲା ବୋଲି ବିଧାୟକ ଡାକ୍ତର ମଲ୍ଲିକ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି। ତାଙ୍କ ପାର୍ଥିବ ଶରୀର ଗ୍ରାମ ପରିକ୍ରମା କରାଯିବା ପରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁତୁରା ଓମ୍ ମୁଖାଗ୍ନି ଦେଇଥିଲେ।