ସହରରେ ଦକ୍ଷିଣୀ ଫୁଲଝରି ସୋଡ଼ା, ଡିମାଣ୍ତରେ କୋକା-କୋଲା ଫ୍ଲେଭର୍‌ ଫୁଲଝରି ସୋଡ଼ା

ଥଣ୍ତା ଗ୍ଲାସ୍‌ରେ ମିଳୁଛି ‘ଟକିଲା ସର୍ଟ‌’ର ମଜା

କଟକ: କେରଳ ଓ ହାଇଦ୍ରାବାଦ୍‌ର ଫୁଲଝରି ସୋଡ଼ା ଏବେ କଟକ ସହରର ନୂଆ ଆକର୍ଷଣ। ସହରରେ ପ୍ରଚଣ୍ଡ ଖରା ଓ ଅସହ୍ୟ ଗରମ ରହିଥିବା ବେଳେ ସହରରେ ନୂଆ କରି ଆସିଛି ଫୁଲଝରି ସୋଡ଼ା। ଯାହାର ଦର ରହିଛି ଗ୍ଲାସ୍‌ ପିଛିା ୨୫ ଟଙ୍କା। ଏଥିରେ ରହିଛି ୧୪ଟି ଫ୍ଲେଭର୍‌ ଯଥା- ପୁଦିନା, କମଳା, ଆମ୍ବ, ସପୁରି, ଜିରା ମସଲା, ଲେମନ୍‌-ଲାଇମ୍‌, କୋକା-କୋଲା, ଫୁଡ୍‌ ବିଅର୍‌, ସ୍ପ୍ରାଇଟ୍‌, ଜଲ୍‌ଜିରା, କ୍ରେଜି ବବଲ୍‌, ଦହି ସୋଡ଼ା, ଆମ୍‌ଲା ଲେମନ୍‌ ସୋଡ଼ା ଇତ୍ୟାଦି ରହିଛି। କୋକା-କୋଲା ଫୁଲ୍‌ଝରି ସୋଡ଼ା ଫ୍ଲେଭର୍‌ର ରହିଛି ଡ଼ିମାଣ୍ତ। ଫୁଲଝରି ସୋଡ଼ା ସହ ରହିଛି ସାଦା ଓ ମସଲା ସୋଡ଼ା; ଯାହାର ମୂଲ୍ୟ ଗ୍ଲାସ୍‌ ପିଛା ୧୫ ଓ ୨୫ ଟଙ୍କା ରହିଛି। ଫୁଲଝରି ସୋଡ଼ାକୁ ପ୍ରସ୍ତୁତ କରିବା ଲାଗି ପ୍ରଥମେ ଏକ ବଡ଼ ଗ୍ଲାସ୍‌ରେ ପାଣି ଓ କାର୍ବନ୍‌ ଡାଏ-ଅକ୍ସାଇଡ୍‌ ଗ୍ୟାସ୍‌ ମିଶାଯାଏ। ଏହା ସୋଡ଼ାରେ ପରିଣତ ହେବା ପରେ ସେଥିରେ ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ଫ୍ଲେଭର୍‌ ମିଶାଯାଏ। ପରେ ଅନ୍ୟ ଏକ ଛୋଟ ଗ୍ଲାସ୍‌ ବା ଟକିଲା ସର୍ଟ ଗ୍ଲାସ୍‌ରେ ଲେମ୍ବୁ, ଅଦା, ପୁଦିନା ରସ ସହ ବିଟ ଲୁଣ ଓ ଜଲ୍‌ଜିରାକୁ ମିଶାଯାଇଥାଏ। ପରେ ବଡ଼ ଗ୍ଲାସରେ ମିଶାଯାଇଥିବା ଫ୍ଲେଭର୍‌ ଓ ସୋଡ଼ା ଗ୍ରାହକଙ୍କୁ ପିଇବାକୁ ଦେବା ସମୟରେ ଛୋଟ ଗ୍ଲାସ୍‌ଟିକୁ ବଡ଼ ଗ୍ଲାସ୍‌ ଭିତରକୁ ଛଡ଼ାଯାଇଥାଏ। ଫଳରେ ଏହା ଫ୍ଲେଭର୍‌କୁ ଅଧିକ ସୁଆଦିଆ କରିଥାଏ।

Sambad

କଟକରେ ପ୍ରଥମ କରି ଏଭଳି ଫୁଲ୍‌ଝରି ସୋଡ଼ା ରାଜାବଗିଚା ଗଡ଼ା(ବାଦାମବାଡ଼ିରୁ ମଲାଚଣ୍ତିଆ ଛକ ଯିବା ରାସ୍ତା) ଅଞ୍ଚଳରେ ବିକ୍ରି କରୁଛନ୍ତି ଚତୁର୍ଭୁଜ ବାଡ଼ତିଆ। ଶ୍ରୀ କାଳେଶ୍ବର ସୋଡ଼ା ନାମରେ ଦୋକାନ ଖୋଲି ଗତ ୬ ମାସ ହେଲା ‌ଏହି ଫୁଲ୍‌ଝରି ସୋଡ଼ା ବିକ୍ରି କରି ଆସୁଥିବାବେଳେ ଦିନକୁ ୨ ହଜାରରୁ ଅଧିକ ରୋଜଗାର କରୁଛନ୍ତି ସେ। ମାଟ୍ରିକ ପାସ୍‌ କରିବା ପ‌ରେ ହାଇଦ୍ରାବାଦ୍‌ ଓ କେରଳରେ ଯାଇ କାମ କରୁଥିବା ସମୟରେ ଏହି ଫୁଲ୍‌ଝରି ସୋଡ଼ାର ପ୍ରସ୍ତୁତି ସେଠାରୁ ଶିଖି ଏବେ କଟକବାସୀଙ୍କୁ ଚଖାଉଛନ୍ତି ତାହାର ସ୍ବାଦ।‌ ଏହି ଫୁଲଝରି ସୋଡ଼ା ପିଇବା ପାଇଁ ତାଙ୍କ ପାଖରେ ଗ୍ରାହକଙ୍କ ନାହିଁ ନଥିବା ଭିଡ଼ ଜମୁଛି।

Sambad

ଏ ନେଇ ଚତୁର୍ଭୁଜ କହନ୍ତି…
ବର୍ଷକ ତଳେ ଏହା ବିକ୍ରି ଆରମ୍ଭ କରିଥିଲି। ହେଲେ, ଲକ୍‌ଡାଉନ୍‌ ଯୋଗୁଁ ଦୋକାନ ବନ୍ଦ ରହିଥିଲା। ଏବେ ୬ ମାସ ହେବ ପୁଣି ବେପାର ଆରମ୍ଭ କରିଛି। କଟକ ସହରରେ ନୂଆ କରି ମିଳୁଥିବାରୁ ଲୋକେ ବହୁମାତ୍ରାରେ ଫୁଲ୍‌ଝରି ସୋଡ଼ା ପିଇବାକୁ ପସନ୍ଦ କରୁଛନ୍ତି। କୋକା-କୋଲା ଫ୍ଲେଭର୍‌ର ଗ୍ରାହକଙ୍କ ଡିମାଣ୍ତ ରହିଛି। ଆଗମୀ ଦିନରେ ଭଳି କି ଭଳି ନୂଆ ଜିନିଷ ତିଆରି କରି ବିକିବା ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର