କଟକ: ବିଶ୍ବସ୍ତରୀୟ ଏସ୍ସିବି ମେଡିକାଲର ନିର୍ମାଣ କାର୍ଯ୍ୟ ପାଇଁ ସର୍ଭେ ସହ ଏହାର ମୃତ୍ତିକା ପରୀକ୍ଷା(ସଏଲ୍ ଟେଷ୍ଟିଂ) କାର୍ଯ୍ୟ ଆରମ୍ଭ ହୋଇଛି। ତେବେ କେମିତି ଓ କିପରି ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା କ୍ଲିନିକାଲ କୋଠା କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବ ସେ ସଂପର୍କରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଆଜି କଟକ ଗସ୍ତରେ ଆସିଥିଲେ। ଓଡ଼ିଶା ସେତୁ ଓ ନିର୍ମାଣ ନିଗମ(ଓବିସିସି)ର ମୁଖ୍ୟମନ୍ତ୍ରୀ ଦୁଃଖବନ୍ଧୁ ବେହେରା, ଏମ୍ଡି ଜୟକୃଷ୍ଣ ଦାସ, ଜେନେରାଲ ମ୍ୟାନେଜର ପ୍ରକାଶ କୁମାର ବେହେରା, ଏଲ୍ଏଣ୍ଡଟି ଓ ଏଇକମ୍ କନ୍ସଲଟାଣ୍ଟର ଉଚ୍ଚପଦାଧିକାରୀମାନେ କ୍ଲିନିକାଲ କୋଠା ନିର୍ମାଣ ହେବାକୁ ଥିବା ସ୍ଥାନ ତଥା ତାଳଦଣ୍ଡା କେନାଲ ରାସ୍ତା ପାର୍ଶ୍ବବର୍ତ୍ତୀ ଅଞ୍ଚଳ ବୁଲି ଦେଖିଥଲେ। ଏଲ୍ଏଣ୍ଡଟି ସଂସ୍ଥାକୁ ବିଶ୍ବସ୍ତରୀୟ ଏସ୍ସିବି ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୬ଶହ କୋଟି ଟଙ୍କାର କ୍ଲିନିକାଲ କୋଠା ପାଇଁ ମାଟି ପରୀକ୍ଷା କାର୍ଯ୍ୟ ଆରମ୍ଭ ହୋଇଛି। ଓଡ଼ିଶା ସେତୁ ଓ ନିର୍ମାଣ ନିଗମ(ଓବିସିସି)ପକ୍ଷରୁ ଏସ୍ସିବି ଏମ୍ସ ପ୍ଲସ୍ ଯୋଜନାରେ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ କ୍ଲିନିକାଲ କୋଠା ପାଇଁ ୧୧ମହଲା ବିଶିଷ୍ଟ ୪ଟି ବ୍ଲକ୍ ତିଆରି କରାଯିବ। ଅନ୍ୟପଟେ ରେସିଡେନ୍ସିଆଲ କୋଠା ପାଇଁ ପୁନଃ ଟେଣ୍ଡର କରାଯାଇଥିବାବେଳେ ଏହାର ଟେଣ୍ଡର ମଧ୍ୟ ଖୋଲା ସରିଛି। କିଏ ପାଇବ ଏହାର ଟେଣ୍ଡର ସେ ନେଇ ସମୀକ୍ଷା କରାଯାଇଥିବାବେଳେ ଏହାର କାର୍ଯ୍ୟ ମଧ୍ୟ କିପରି ଶୀଘ୍ର ଆରମ୍ଭ କରାଯିବ ସେ ନେଇ ପଦକ୍ଷେପ ନିଆଯାଇଛି। ନିର୍ମାଣ ପାଇଁ ନକ୍ସା, ପ୍ଲାନ୍ ଅନୁମୋଦନ ଓ ଲେ-ଆଉଟ୍ ଇତ୍ୟାଦି ସିଏମ୍ସି ଅନୁମୋଦନ କରି ସାରିଛି। ନୂଆ ଏସ୍ସିବି ଯୋଜନାରେ ତାଳଦଣ୍ଡା କେନାଲ ରାସ୍ତାରେ ପ୍ରଥମ ପର୍ଯ୍ୟାୟରେ କ୍ଲିନିକାଲ କୋଠା ପାଇଁ ୧୧ମହଲା ବିଶିଷ୍ଟ ୪ଟି ଟାୱାର୍ ନିର୍ମାଣ କରାଯିବାର ଯୋଜନା ରହିଛି। ଏହି ଯୋଜନା ଅନୁସାରେ ଏହି ପ୍ରକଳ୍ପ ପାଇଁ ସିଏମ୍ସି ଆର ଏଣ୍ଡ ବି -୧ ବିଭାଗକୁ ପ୍ଲାନ୍ ଅନୁସାରେ ଲେ-ଆଉଟ୍ ପାଇଁ ଅନୁମତି ପ୍ରଦାନ କରିଛି।
ଏହି ଅନୁମତି ୩ବର୍ଷ ପାଇଁ ପ୍ରଦାନ କରାଯାଇଥିବାବେଳେ ଲେ-ଆଉଟ୍ ପ୍ଲାନ୍ ପାଇଁ ୨୭ ଲକ୍ଷ ୬୬ ହଜାର ୫୬୬ ସିକ୍ୟୁରିଟି ଫି’ ଗ୍ରହଣ କରାଯାଇଛି। ଶହେ ଏକର ଅଂଚଳରେ ପରିବ୍ୟାପ୍ତ କଟକ ବଡ଼ ଡାକ୍ତରଖାନା ବିଶ୍ବସ୍ତରୀୟ ପାଇଁ ଘୋଷଣା ହେବା ପରେ ପରିସୀମା ବଢ଼ି ୧୩୬ ଏକରରେ ପହଞ୍ଚିଛି। ଓଡ଼ିଶା ସେତୁ ଓ ନିର୍ମାଣ ନିଗମ(ଓବିସିସି) ପକ୍ଷରୁ ନିର୍ମାଣ କାର୍ଯ୍ୟ ପାଇଁ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଚଳିତମାସ ଶେଷ ସୁଦ୍ଧା କରିବା ପାଇଁ ଯୋଜନା ରଖାଯାଇଛି। ତେବେ ଏସ୍ସିବିରେ କ୍ଲିନିକାଲ କୋଠା ପାଇଁ ୩୩.୮ଏକର ସ୍ଥାନ ପ୍ଲାନ୍ରେ ରହିଛି। ଏକାଡେମିକ୍ ପାଇଁ ୭.୯ ଏକର, ରେସିଡେନ୍ସିଆଲ ପାଇଁ ୨୫.୬ ଏକର, ରାସ୍ତା ପାଇଁ ୨୫.୪, ପାର୍କିଂ ପାଇଁ ୩.୧, ଓପନ୍ ସ୍ପେସ୍ ପାଇଁ ୨୯.୮ ଏକର, ୱାଟର୍ବଡି ପାଇଁ ୦.୬ ଏହିପରି ବିଭିନ୍ନ ଅଂଚଳ ଭାଗ ଭାଗ କରାଯାଇଥିବା ପ୍ଲାନ୍ରେ ଦର୍ଶାଯାଇଛି। ଏହାର କାର୍ଯ୍ୟକୁ କିପରି ତ୍ବରାନ୍ବିତ କରାଯିବ ସେଥିପାଇଁ ଏହି ପ୍ରତିନିଧିମଣ୍ଡଳୀ ଆଜି ପରିଦର୍ଶନ ସହ ନିର୍ମାଣ କାର୍ଯ୍ୟର ରୂପରେଖ ସଂପର୍କରେ ଆଲୋଚନା କରିଥିଲେ।