ରକ୍ତମୁଖା ପୁଅ: ପେଟ୍ରୋଲ ଢାଳିି ବାପାଙ୍କୁ ପୋଡ଼ିଦେଲା

କଟକ-ସିଡିଏ : ୧୫ ଲକ୍ଷ ଟଙ୍କା ପାଇଁ ବାପର ଜୀବନ ନେଇଛି ପୁଅ। ହତ୍ୟାକାରୀ ପୁଅ ବିରୋଧରେ ମା’ ଏତଲା ଦେବା ପରେ ପୁଲିସ ତାକୁ ଗିରଫ କରିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସିଡିଏ ଅଞ୍ଚଳରେ।

ସୂଚନା ଅନୁଯାୟୀ ସିଡିଏ ସେକ୍ଟର ୬ ରାମ ମନ୍ଦିରସ୍ଥିତ ପ୍ଲଟ୍‌ ନଂ ୭୧୭/ଏଫ୍‌ରେ ରୁହନ୍ତି ହାଇକୋର୍ଟର ପିଅନ ଭାବେ କାର୍ଯ୍ୟ କରୁଥିବା ମୂରଲୀଧର ସାହୁ। ଗତ ରବିବାର ରାତି ପ୍ରାୟ ୭ଟା ବେଳେ ଏକ ମହଲା କୋଠାରେ ଥିବା ଠାକୁର ଘରେ ମୂରଲୀ ପୂଜା କରୁଥିଲେ। ସେହି ସମୟରେ ତାଙ୍କ ପୁଅ ସନ୍ତୋଷ ସ୍କୁଟିରୁ ପେଟ୍ରୋଲ କାଢ଼ି ନେଇ ମୂରଲୀଙ୍କ ଉପରେ ଢାଳିବା ପରେ ନିଆଁ ଲଗାଇ ଜାଳି ଦେଇଥିଲା। ମୂରଲୀଙ୍କୁ ପୁଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରି ସିଡିଏର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍‌ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ଆଜି ସକାଳ ପ୍ରାୟ ୯ଟା ବେଳେ ମୂରଲୀଧରଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଶୈଳବାଳା ମର୍କତନଗର ଥାନାରେ ପୁଅ ପେଟ୍ରୋଲ ଢାଳି ମାରି ଦେଇଥିବା ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ଆଧାରରେ ଅଭିଯୁକ୍ତ ପୁଅ ସନ୍ତୋଷକୁ ଗିରଫ କରିଛି।

ସନ୍ତୋଷକୁ ତାଙ୍କ ବାପା ଚାକିରି କରାଇ ଦେବାକୁ ବାରମ୍ବାର କହିଥିଲେ। କିନ୍ତୁ ସନ୍ତୋଷ ରାଜି ହୋଇନଥିଲେ। ଏକ ବର୍ଷ ତଳେ ସେ ଘରୁ କେଉଁଆଡ଼େ ଗାଏବ ହୋଇଯାଇଥିଲେ। ହଠାତ୍‌ ପୁଣି କିଛି ମାସ ପରେ ଫେରି ଆସିଥିଲେ। ବିଭିନ୍ନ ସମୟରେ ଘରେ ଅଶାନ୍ତି ସୃଷ୍ଟି କରୁଥିଲେ। ଗତ ଚାରି ଦିନ ତଳେ ବାପାଙ୍କୁ ସେ ୧୫ ଲକ୍ଷ ଟଙ୍କା ମାଗିଥିଲେ। କିନ୍ତୁ ବାପା ଟଙ୍କା ନଦେବାରୁ ଘରେ ବିଶୃଙ୍ଖଳା ସୃଷ୍ଟି କରୁଥିଲେ। ଗତ ରବିବାର ରାତି ପ୍ରାୟ ୭ଟା ବେଳେ ସନ୍ତୋଷ ଘର ବାହାରେ ଥିବା ସ୍କୁଟିରୁ ପେଟ୍ରୋଲ ଏକ ବୋତଲରେ କାଢ଼ିଥିଲେ। ଏକ ବାଡ଼ିରେ କପଡ଼ା ଗୁଡ଼ାଇ ନିଆଁ ଲଗାଇଥିଲେ। ବୋତଲ ସହିତ ବାପାଙ୍କ ନିକଟକୁ ଯାଇ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁରେ ପୋଡ଼ି ଦେଇଥିଲା। ସେ ଚିତ୍କାର କରିବାରୁ ଘଟଣାସ୍ଥଳରେ ଶୈଳବାଳା ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେତେବେଳକୁ ମୂରଲୀଧରଙ୍କ ଶରୀରର ଅର୍ଦ୍ଧାଧିକ ଭାଗ ପୋଡ଼ିଯାଇଥିବା ସୂଚନା ମିଳିଛି। ମୂରଲୀଧରଙ୍କ ଦୁଇ ଝିଅ ବିବାହ କରିଥିବା ବେଳେ ଘରେ ସ୍ତ୍ରୀ ଓ ଏକ ମାତ୍ର ପୁଅ ସହିତ ରହୁଥିଲେ।

ସମ୍ବନ୍ଧିତ ଖବର