ଏସ୍‌ସିବିରେ ହଜିଥିଲେ, ଦେଢ଼ମାସ ପରେ ଅସହାୟ ୱାର୍ଡରୁ ମା’ଙ୍କୁ ପାଇଲା ପୁଅ

କଟକ: କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସି ନିଖୋଜ ହୋଇଥିବା ବୃଦ୍ଧା ମା’ଙ୍କୁ ଦେଢମାସ ପରେ ସେହି ଏସ୍‌ସିବି ଅସହାୟ ୱାର୍ଡରୁ ପାଇଛନ୍ତି ପୁଅ। ଦେଢମାସ ହେଲା ମା’ଙ୍କୁ ଖୋଜି ଖୋଜି ନୟାନ୍ତ ହୋଇପଡିଥିବା ପୁଅ ମା’ର ନିଖୋଜ ସଂକ୍ରାନ୍ତରେ ପୁଲିସରେ ଅଭିଯୋଗ କରିଥିଲେ ସୁଦ୍ଧା ନିଜେ ଦିନଟିଏ ପାଇଁ ଖୋଜିବା ବନ୍ଦ କରି ନଥିଲେ। ଆଜି ଏସ୍‌ସିବି ଅସହାୟ ୱାର୍ଡରୁ ତାଙ୍କୁ ପାଇଛନ୍ତି। ମହିଳାଜଣକ ମେଡିସିନ୍‌ ୱାର୍ଡରେ ଚିକିତ୍ସାଧୀନ ଥିବାବେଳେ ସେଠାରୁ ‌ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ତାଙ୍କୁ ସେଠାରେ ଠିକ୍‌ଭାବରେ ଖାଇବାକୁ ଦିଆଯାଉନଥିବା ଓ ଚିକିତ୍ସା ମଧ୍ୟ ମିଳୁ ନଥିବାରୁ ‌ସୁଲୋଚନା ନାୟକଙ୍କ ଅବସ୍ଥା ଅତି ଦୁର୍ବଳ ହୋଇଯାଇଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି। ବଡମ୍ବା ଥାନା ଅନ୍ତର୍ଗତ ଶଙ୍ଖାମେରୀ ଅଞ୍ଚଳର ବିଧବା ସୁଲୋଚନା ନାୟକ(୬୩) କିଛିଦିନ ପୂର୍ବେ କାହାକୁ ନଜଣାଇ ମାନପୁର ଅଞ୍ଚଳରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିଲେ। ସେଠାରୁ ମଧ୍ୟ କିଛିଦିନ ପରେ କାହାକୁ କିଛି ନ କହି ବାହାରକୁ ପଳାଇ ଆସିଥିଲେ।

ଗତ ମେ’ ୧ ତାରିଖ ଦିନ ତିଗିରିଆ ଗଦାଧରପୁର ଅଞ୍ଚଳର କିଛି ଲୋକେ ତାଙ୍କୁ ରାସ୍ତାକଡ଼ରୁ ଉଦ୍ଧାର କରି ପୁଲିସ ସାହାଯ୍ୟରେ ଏସସିବି ମେଡିକାଲକୁ ପଠାଇଥିଲେ। ଇତିମଧ୍ୟରେ କଲିକତାରେ ରହୁଥିବା ତାଙ୍କ ପୁଅ ପ୍ରଫୁଲ୍ଲ ଘରକୁ ଫେରି ମା’ଙ୍କୁ ଖୋଜାଖୋଜି କରିଥିଲେ। ସୁଲୋଚନା ଏସ୍‌ସିବି ନ୍ୟୁ ମେଡିସିନ୍‌ ୱାର୍ଡରେ ଅସହାୟ ରୋଗୀ ଭାବେ ଚିକିତ୍ସିତ ହେଉଛନ୍ତି ବୋଲି ଥାନାରୁ ଜାଣିବା ପରେ ସେ ୨ ତାରିଖ ସକାଳେ ସେଠାକୁ ଯାଇଥିଲେ। ହେଲେ, ସେଠାରେ ମା’ଙ୍କୁ ପାଇ ନଥିଲେ। ପ୍ରଫୁଲ୍ଲ ଅଭିଯୋଗରେ ଜଣାଇଛନ୍ତି ଯେ, ବଡ଼ ମେଡ଼ିକାଲରେ ପହଞ୍ଚିବା ପରେ ତାଙ୍କଠାରୁ ସୁଲୋଚନାଙ୍କ ଆଧାରକାର୍ଡର ଜେରକ୍ସ ମାଗି ନିଆଯାଇଥିଲା। ‘ଅପେକ୍ଷା କର, ମା’ଙ୍କୁ ଭେଟିବ’ ବୋଲି ଏସ୍‌ସିବି କର୍ମଚାରୀ କହିଥିଲେ। ହେଲେ, କିଛି ସମୟ ପରେ ‘ସେ କେଉଁଆଡେ ଚାଲିଯାଇଛନ୍ତି’ ବୋଲି ତାଙ୍କୁ କୁହାଯାଇଥିଲା। ଶେଷରେ ସେ ପୁଲିସରେ ଅଭିଯୋଗ କରି ବିଭିନ୍ନ ସ୍ଥାନରେ ଖୋଜିବାର ଦେଢ଼ମାସ ପରେ ଆଜି ପୁଣି ତାଙ୍କ ମା’ଙ୍କୁ ଏସ୍‌ସିବିରୁ ପାଇଛନ୍ତି। ଏସ୍‌ସିବିରେ ଅସହାୟ ରୋଗୀମାନଙ୍କ ପ୍ରତି ଅବହେଳା ହେଉଛି ବୋଲି ଅନେକ ସମୟରେ ଅଭିଯୋଗ ଆସୁଥିବା ବେଳେ ଏବେ ସୁଲୋଚନାଙ୍କ ନିଖୋଜ ଘଟଣା ଉକ୍ତ ଅଭିଯୋଗକୁ ପ୍ରମାଣିତ କରୁଛି।

ସମ୍ବନ୍ଧିତ ଖବର