ଚୌଦ୍ବାରରେ ଚାଞ୍ଚଲ୍ୟକର ହତ୍ୟାକାଣ୍ତ : ବାପାକୁ ମାରି ପୁଅର ଆତ୍ମହତ୍ୟା, ବାପାକୁ ଛେଚି ମାରିବା ପରେ ନିଜ ତଣ୍ଟି କାଟି ଦେଲା

ଚୌଦ୍ବାର : ଚୌଦ୍ବାର ଓଟିଏମ୍ କଲୋନି ଅଞ୍ଚଳରେ ଗତକାଲି ରାତିରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ସାମନ୍ୟ ଅର୍ଥକୁ ନେଇ ବଚସା ହେବାରୁ ଉତ୍ତ୍ୟକ୍ତ ପୁଅ ବାପାର ମୁଣ୍ଡକୁ ଛେଚି ହତ୍ୟା କରିଛି। ପରେପରେ ନିଜର ତଣ୍ଟି କାଟି ଦେଇଛି। ଘରେ ବାପାର ମୃତ୍ୟୁ ଘଟିଥିବା ବେଳେ କଟକ ବଡ ଡାକ୍ତରଖାନାରେ ପୁଅର ମୃତ୍ୟୁ ଘଟିଛି।

ଚୌଦ୍ବାର ପୌରପାଳିକା ୧୧ନମ୍ବର ୱାର୍ଡ ଅନ୍ତର୍ଗତ ଓଟିଏମ୍ କଲୋନିସ୍ଥିତ କ୍ବାର୍ଟର ନମ୍ବର ୬୪/୨ରେ ରହୁଥିବା ଖୋର୍ଦ୍ଧା ଜିଲ୍ଲା ନିରାକରପୁର ଗ୍ରାମର କାଳୁ ଚରଣ ବେହେରା (୬୨) ଓଟିଏମରେ କାର୍ଯ୍ୟ କରୁଥିଲେ। ସେହି କ୍ବାର୍ଟରରେ ସେ ପରିବାର ସହ ରହୁଥିଲେ। ଗତକାଲି ଟଙ୍କା ମଗାମଗି ଘଟଣାରୁ ସାନ ପୁଅ ମୁନି ଓରଫ ବିଜୟ ବେହେରା (୩୩) ଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ବୋଉ ନୟନୀ ବେହେରା ଏହି ଝଗଡ଼ାକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ବି ସେଥିରେ ବିଫଳ ହୋଇଥିଲେ। ରାତି ପ୍ରାୟ ୯ଟା ସମୟରେ ପୁଅ ମୁନି ଉତ୍ତ୍ୟକ୍ତ ହୋଇ ଏକ ଲୁହା ଆଙ୍ଗେଲରେ ବାପା କାଳୁ ଚରଣଙ୍କ ମୁଣ୍ତକୁ ଶକ୍ତ ପ୍ରହାର ଦେଇଥିଲା। ଫଳରେ ଘଟଣାସ୍ଥଳରେ କାଳୁ ଚରଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ଦେଖି ମା’ ନୟନୀ ବିଚଳିତ ହୋଇଯାଇଥିବାବେଳେ ମୁନି ଏଭଳି କାଣ୍ଡ କରିବାର ମାତ୍ର ୧୦ମିନିଟ୍ ମଧ୍ୟରେ ଏକ ଧାରୁଆ ଅସ୍ତ୍ରରେ ନିଜର ତଣ୍ଟି ଗାଲକୁ କାଟି ପକାଇଥିଲା। ନୟନୀଙ୍କ ଡାକ ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ପୁଲିସକୁ ଖବର ଦେବା ସହ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ମୁନିକୁ କଟକ ବଡମେଡିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ମୃତ କାଳୁ ଚରଣଙ୍କ ବଡପୁଅ ସୁଧାଂଶୁ ବେହେରା କଲିକତାରେ ଚାକିରି କରୁଥିବାବେଳେ ତାଙ୍କର ୨ ଝିଅ ବାହା ହୋଇ ଢେଙ୍କାନାଳ ଓ କଟକରେ ରହୁଛନ୍ତି। ସାନ ଜ୍ବାଇଁ ଗୁରୁଚରଣ ପରିଡା ଏହି ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିବାପରେ ଥାନା ଅଧିକାରୀ ପଦ୍ମନାଭ ପ୍ରଧାନଙ୍କ ନି‌େର୍ଦ୍ଦଶକ୍ରମେ ଏ ସଂକ୍ରାନ୍ତରେ ଦଫା ୩୦୨ରେ ମାମଲା ରୁଜୁ ହୋଇଛି। ଆଜି ସକାଳେ ଫରେନସିକ୍ ଟିମ୍‌ର ଛାନଭିନ୍ ପରେ ମୃତ କାଳୁ ଚରଣଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ଉଭୟ ବାପ ପୁଅଙ୍କ ଶବକୁ ଖାନନଗର ଶ୍ମଶାନରେ ଦାହ କରାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର