ପୌର ନିର୍ବାଚନ ପ୍ରଚାର ଗୀତ ପାଇଁ ଷ୍ଟୁଡିଓରେ ଭିଡ଼, ଖେଲା ହୋବେ, ଆପଣମାନେ ଖୁସି ତ, ନବୀନ ନବୀନ…

କଣ୍ଠଶିଳ୍ପୀ ମୋନାଲି ମଧୁସ୍ମିତା, ତାରିକ୍‌ ଅଜିଜ୍‌, ସତ୍ୟଜିତ୍‌ ପ୍ରଧାନ, ସୁନୀଲ କୁମାରଙ୍କୁ ଫୁରସତ୍ ନାହିଁ

କଟକ: ପୌରନିର୍ବାଚନକୁ ନେଇ ସରଗରମ ହେଲାଣି କଟକ ସହର। ନିର୍ବାଚନକୁ ଆଉ ମାତ୍ର କିଛି ଦିନ ରହିଥିବା‌‌ ବେଳେ ଏବେ ପ୍ରଚାର ପ୍ରତି ଅଧିକ ଗୁରୁତ୍ବ ଦେଉଛନ୍ତି ପ୍ରାର୍ଥୀ। ନୂଆ ଢ଼ଙ୍ଗରେ ପ୍ରଚାର କରି ଜନସାଧାରଣଙ୍କୁ ନିଜ ପ୍ରତି ଆକର୍ଷିତ କରିବାକୁ ଚାହୁଁଛନ୍ତି ପ୍ରାର୍ଥୀ। ତେବେ ନିର୍ବାଚନକୁ ନଜରରେ ରଖି ସହରରେ ଥିବା ଷ୍ଟୁଡ଼ିଓ ମାନଙ୍କରେ ଆରମ୍ଭ ହୋଇଛି ଭଳି କି ଭଳି ଗୀତ ରେକର୍ଡିଂ। କେବଳ ଗୀତ ନୁହେଁ ଏଥିରେ ରହିଛି ସ୍ଳୋଗାନ୍‌, ଇଣ୍ଟ୍ରୋଡକ୍ସନ, ପ୍ରାର୍ଥୀଙ୍କ ଭାଷଣ.. ଇତ୍ୟାଦି। ତେବେ ଜଣେ ପ୍ରାର୍ଥୀ କେବେଳ ଗୀତ ନୁହେଁ ବରଂ ନିର୍ବାଚନ ପାଇଁ ଏହିସବୁ ରେକର୍ଡ କରି ଜନସାଧାରଣଙ୍କ ପାଖରେ ସିଧାସଳଖ ପହଞ୍ଚି ଭୋଟ ପାଇଁ ନିବେଦନ କରିପାରିବେ। ନିର୍ବାଚନ ପ୍ରଚାର ପାଇଁ ଗୁଆଘିଅ, ହାଏରେ ମୋର ସୁନ୍ଦରୀ ଗୋରୀ, ଆମର ଗାଁ ବୁଲେଇ ନେବି ତତେ, ନନୀ ତୋର ମୁର୍‌କି ହସି ପାଗଲ କଲା, ଖେଲା ହୋବେ, ହେ ନବୀନ ବାବୁ, ପାଣି ମାରି ଦେଲା ଝାଇଁ, ଚକୁଳିଆ ପଣ୍ତା, ରଙ୍ଗେଇ ଲୁଣ୍ତା, ତୁ ମୋ ଡ଼ାର୍ଲିଂ, ନବୀନ ନବୀନ, ଆପଣ ମାନେ ଖୁସି ତ, ବଉଳ ଲୋ… ଗୀତ ଶୈଳୀରେ ପ୍ରଚାର ଗୀତ ରେକର୍ଡିଂ ହେଉଛି।

Sambad

ଏହି ଗୀତ ମଧ୍ୟରୁ ଗୁଆଘିଅ, ଆମର ଗାଁ ବୁଲେଇ ନେବି ତତେ, ଖେଲା ହୋବେ, ଆପଣ ମାନେ ଖୁସି ତ.. ଗୀତର ରହିଛି ଅଧିକ ଡିମାଣ୍ତ। ସେହିପରି କଣ୍ଠଶିଳ୍ପୀ ତାରିକ୍‌ ଅଜିଜ୍‌, କରୁଣାକର, ଟି ସୌରୀ, ଶ୍ରୀଚରଣ ମହାନ୍ତି, ମାନସୀ ପାତ୍ର, ମୋନାଲି ମଧୁସ୍ମିତା, ଅମ୍ରିତା ନାୟକ, ବିଶ୍ବଜିତ ଆଚାର୍ଯ୍ୟ, ସୁନୀଲ କୁମାର, ସତ୍ୟଜିତ୍‌ ପ୍ରଧାନ ଗୀତ ଗାଉଛନ୍ତି। ତେବେ କଣ୍ଠଶିଳ୍ପୀଙ୍କ ମଧ୍ୟରେ ମୋନାଲି ମଧୁସ୍ମିତା, ତାରିକ୍‌ ଅଜିଜ୍‌, ସତ୍ୟଜିତ୍‌ ପ୍ରଧାନ, ସୁନୀଲ କୁମାରଙ୍କର ରହିଛି ଅଧିକ ଡ଼ିମାଣ୍ତ। ଏହାସହ ସ୍ଳୋଗାନ୍‌ ପ୍ରାର୍ଥୀଙ୍କ ନାମ ଓ ଚିହ୍ନ ରେକର୍ଡ଼ କରାଯାଏ। ସେହିପରି ଇଣ୍ଟ୍ରୋଡକ୍ସନରେ ପ୍ରାର୍ଥୀଙ୍କ ନାମ, ଚିହ୍ନ, ୱାର୍ଡ ନମ୍ବର ରେକର୍ଡ଼ କରାଯାଏ। ଏହାସହ ରହିଛି ପ୍ରାର୍ଥୀଙ୍କ ଭାଷଣ ଯାହା ପ୍ରାର୍ଥୀ ନିଜ କଣ୍ଠରେ ଭାଷଣକୁ ରେକର୍ଡ଼ କରିବେ। ଏହି ଗୀତ ଗୁଡ଼ିକୁ ଲେଖିଛନ୍ତି ଗୀତିକାର ବାପୁ ଗୋସ୍ବାମୀ, ଅରୁଣ ମନ୍ତ୍ରୀ, ଅରୁଣ ନାୟକ। ତେବେ ଏହି ସବୁ ରେକର୍ଡିଂର ମୂଲ୍ୟ ରହିଛି ୭ ହଜାରରୁ ୮ ହଜାର ଟଙ୍କା। ପ୍ରାର୍ଥୀ ନିଜ ସମ୍ପୂର୍ଣ୍ଣ ତଥ୍ୟ ଦେବାର ଗୋଟିଏ ଦିନ ମଧ୍ୟରେ ପ୍ରଚାର ପାଇଁ ରେକର୍ଡିଂ ହୋଇଥାଏ। କଟକ ସହରରେ ୬ ରୁ ୮ ଟି ଷ୍ଟୁଡ଼ିଓରେ ଏବେ ନିର୍ବାଚନ ପାଇଁ ହେଉଛି ଏହି ଗୀତ ରେକର୍ଡିଂ କାମ।

ସମ୍ବନ୍ଧିତ ଖବର