କଟକ: ମହାନଗର ନିଗମରେ ଆରମ୍ଭ ହୋଇଥିବା ସେରୋ ସର୍ଭେ କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସିଏମସିର ୨୫ଟି ୱାର୍ଡରେ ଏହା କରାଯାଇଛି। କରୋନା ମୁକାବିଲା ପାଇଁ ନଭେମ୍ବର ୨ରୁ ୫ ତାରିଖ ମଧ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ୨ ହଜାର ଲୋକଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇ ଥିବାର ସିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଶେଷ ଦିନରେ ନିଜେ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ବି ରକ୍ତ ନମୁନା ଦେଇଛନ୍ତି।

Advertisment

ମହାନଗର ନିଗମ ଓ ଆର୍‌ଏମ୍‌ଆର୍‌ସି, ଭୁବନେଶ୍ବରର ମିଳିତ ସହଯୋଗରେ ଚଳିତ ମାସ ୨ରୁ ୫ ତାରିଖ ମଧ୍ୟରେ ସେରୋ ସର୍ଭେ କରାଯାଇଛି। ସିଏମସିର ୨୫ଟି ୱାର୍ଡରେ ଏହା କରାଯାଇଛି। ଏଥିସହିତ ପୁଲିସ, ସ୍ବାସ୍ଥ୍ୟ କର୍ମୀ, ସରକାରୀ ଚାକିରିଆ, ବ୍ୟାଙ୍କ କର୍ମଚାରୀ, ସିଏମସି କର୍ମଚାରୀ, ସଫେଇ କର୍ମଚାରୀଙ୍କ ଠାରୁ ମଧ୍ୟ ସେରୋ ସର୍ଭେରେ ରକ୍ତ ନମୁନା ସଂଗ୍ରହ କରାଯାଇଛି। ଆସନ୍ତା ୧୦ ତାରିଖ ସୁଦ୍ଧା ଆରଏମ୍‌ଆରସି ପକ୍ଷରୁ ସେରୋ ସର୍ଭେ ରିପେର୍ଟ ଆସିବାର ସୂଚନା ରହିଛି। ୨ରୁ ୪ ତାରିଖ ମଧ୍ୟରେ ୨୫ଟି ୱାର୍ଡ ବାସିନ୍ଦାଙ୍କ ସହିତ ପୁଲିସ୍‌, ସ୍ବାସ୍ଥ୍ୟକର୍ମୀ ସରକାରୀ ଚାକିରିଆ ଓ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ନମୁନା ସଂଗ୍ରହ କରାଯାଇ ଥିବା ବେଳେ ‌ଆଜି ଅର୍ଥାତ ଶେଷ ଦିନରେ ସହିଦ ଭବନଠାରେ ସିଏମସି କର୍ମଚାରୀ ଓ ସଫେଇ କର୍ମଚାରୀଙ୍କ ଠାରୁ ରକ୍ତ ନମୁନା ନିଆଯାଇଛି।

ସେରୋ ସର୍ଭେ ପାଇଁ ସିଏମସି ତରଫରୁ ନମୁନା ସଂଗ୍ରହ ପାଇଁ ୫ଟି ଟିମ ଗଠନ କରାଯାଇଥିଲା। ପ୍ରତ୍ୟେକ ଟିମରେ ୫ଜଣ ସଦସ୍ୟ ଥିବା ବେଳେ ପ୍ରତି ଟିମକୁ ୫ଟି ୱାର୍ଡର ଦାୟିତ୍ବ ଦିଆଯାଇଥିଲା। ଜଣେ ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି-ଆଣ୍ଟିବଡି କେତେ ପରିମାଣରେ ଅଛି ତାହା ସେରୋ ସର୍ଭେରୁ ଜଣାପଡିବ। ଯେଉଁ ବକ୍ତିଙ୍କଠାରେ ଆଣ୍ଟିବଡି ଅଧିକ ପରିମାଣର ଥିବ ସେମାନଙ୍କଠାରେ ସଂକ୍ରମଣ ହାର କମ୍ ରହିବ। ବିଶେଷ ଭାବେ ଅଧିକ ସଂଖ୍ୟାରେ ସଂକ୍ରମଣ ବ୍ୟାପିଥିବା ଅଞ୍ଚଳକୁ ସିଏମ୍‌ସି ପକ୍ଷରୁ ଏଥିରେ ଅଧିକ ଗୁରୁତ୍ବ ଦିଆଯାଇଛି। ‌ଏଥିରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ରକ୍ତ ପରୀକ୍ଷା ପାଇଁ ନିଆଯାଇଥିବା ବେଳେ ଗର୍ଭବତୀ ମହିଳାଙ୍କୁ ସେରୋ ସର୍ଭେରୁ ବାଦ ଦିଆଯାଇଛି। ସିଏମସି ଅଞ୍ଚଳରେ ୪ ଦିନ ଧରି ସେରୋ ସର୍ଭେ କରାଯାଇଛି। ଏଥିରେ ୨ ହଜାର ଲୋକଙ୍କ ଠାରୁ ନମୁନା ସଂଗ୍ରହ ହୋଇଥିବାର ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର କହିଛନ୍ତି। ।