କଟକ: ମହାନଗର ନିଗମରେ ଆଜିଠାରୁ ସେରୋ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ଦିନରେ ସିଏମସିର ୧୦ଟି ୱାର୍ଡରେ ଏହାକୁ ଆରମ୍ଭ କରାଯାଇଥିବା ବେଳେ ୬୩୦ରୁ ଅଧିକ ଲୋକଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଛି। ସିଏମସି ଓ ଆରଏମଆରସି ଭୁବନେଶ୍ବରର ମିଳିତ ସହଯୋଗରେ ସହରରେ ଏହା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମହାନଗର ନିଗମର ୨୫ଟି ୱାର୍ଡରେ ନଭେମ୍ବର ୫ ତାରିଖ ମଧ୍ୟରେ ସେରୋ‌ ସର୍ଭେ କରାଯିବ।

Advertisment

ଏଥିରେ ସିଏମସି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ କରୋନା ଆଣ୍ଟିବଡି ବା ରୋଗ ପ୍ରତିରୋଧକ ଶକ୍ତି କେତେ ପରିମାଣରେ ତିଆରି ହୋଇଛି ତାହା ଜଣାପଡିବ। ସାଧାରଣ ଲୋକଙ୍କ ସହିତ ସ୍ବାସ୍ଥ୍ୟକର୍ମୀ, ସିଏମସି କର୍ମଚାରୀ, ସରକାରୀ ଚାକିରିଆ, ବ୍ୟାକଙ୍କ କର୍ମଚାରୀ ଆଦିଙ୍କୁ ମଧ୍ୟ ଏଥିରେ ଗୁରୁତ୍ବ ଦିଆଯାଇଛି। ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ସେରୋସର୍ଭେ ପାଇଁ ଲୋକଙ୍କ ଠାରୁ ରକ୍ତ ସଂଗ୍ରହ କରାଯିବା ଓ ୧୦ ତାରିଖ ମଧ୍ୟରେ ଏହାର ରିପୋର୍ଟ ଆସିବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି। ମହାନଗର ନିଗମରେ କରୋନା ମୁକାବିଲା ପାଇଁ ଆଜିଠାରୁ ଆରମ୍ଭ ହୋଇଛି  ସେରୋ ସର୍ଭେ।

publive-image Sambad

ଏଥିପାଇଁ ସିଏମସି ତରଫରୁ ୫ଟି ଟିମ୍ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍‌ରେ ଆରଏମ୍‌ଆରସିର ଡାକ୍ତର, ଲାବୋରେ‌ାଟୋରି ଟେକନିସିଆନ୍‌, ୱାର୍ଡ ଅଫିସର, ସାନିଟାରି ଇନସ୍ପେକ୍ଟର ଆଦି ରହିଛନ୍ତି। ସେରୋ ସର୍ଭେରେ ସହରରେ କେତେ ଲୋକ କରୋନା ଭୂତାଣୁର ସଂସ୍ପର୍ଶରେ ଆସିଛନ୍ତି ଓ କେତେ ଜଣଙ୍କ ଶରୀର ଏହାକୁ ପ୍ରତି‌େରାଧ କରିପାରିଛି ଏହାର ଏକ ଆନୁମାନିକ ତଥ୍ୟ ଏଥିରୁ ମିଳି ପାରିବ। ଆଜି ସିଏମସି ତରଫରୁ ୧୦ଟି ୱାର୍ଡ ଯଥା ୱାର୍ଡ ନମ୍ବର୨, ୫, ୭, ୯, ୧୨, ୧୪, ୧୬, ୧୮, ୨୦ ଓ ୨୩ରେ ଏହା କରାଯାଇଛି। ଅ‌ାସନ୍ତାକାଲି ୧୦ଟି ୱାର୍ଡରେ ଏହାକୁ କରାଯିବ। ସେମାନଙ୍କ ମଧ୍ୟରେ ୱାର୍ଡ ନମ୍ବର ୨୫, ୨୮, ୩୦, ୩୨, ୩୪, ୩୮, ୪୦, ୪୨, ୪୫ ଓ ୪୭ ରହିଛି। ସକାଳ ୮ରୁ ସଂଧ୍ୟା ୫ଟା ମଧ୍ୟରେ ଲୋକଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯିବ। ୱାର୍ଡଗୁଡିକର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଲୋକଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯିବ। ୱାର୍ଡ ଅଫିସର ଓ ସାନିଟାରି ଇନସ୍ପେକ୍ଟର ପୂର୍ବରୁ ସ୍ଥାନ ଚିହ୍ନଟ କରିବା ସହିତ ‌ମନୋନୀତ ପରିବାର ଓ ଲୋକଙ୍କୁ କହିବାକୁ କୁହାଯାଇଛି।

publive-image Sambad

ମହାନଗର ନିଗମର ୱାର୍ଡର ଲୋକସଂଖ୍ୟା ଓ ସାହିର ପରିବାରର ସଂଖ୍ୟା ଦେଖି ରକ୍ତ ନମୁନା ସଂଗ୍ରହ କରାଯିବ। ଯେଉଁ ୱାର୍ଡରେ ଅଧିକ ଲୋକ ଥିବେ ସେଠାରେ ‌୫ଟି ପରିବାରରୁ ଗୋଟିଏ ପରିବାରର ଜଣେ ସଦସ୍ୟଙ୍କ ନମୁନା ନିଆଯିବ। ସେହିପରି ‌ସାହିର ପରିବାର ସଂଖ୍ୟା ଦେଖି ୩ଟି ପରିବାରରୁ ଗୋଟିଏ ପରିବାରର ଜଣେ ସଦସ୍ୟଙ୍କ ରକ୍ତ ନମୁନା ସଂଗ୍ରହ କରାଯିବ। ଏଥିରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ରକ୍ତ ପରୀକ୍ଷା ପାଇଁ ନିଆଯିବ। ଗର୍ଭବତୀ ମହିଳାଙ୍କୁ ସେରୋ ସର୍ଭେରୁ ବାଦ ଦିଆଯାଇଛି।

ସେରୋ ସର୍ଭେରେ କରୋନା ଭୂତାଣୁକୁ ମୁକାବିଲା କରିବା ପାଇଁ ଲୋକଙ୍କ ଶରୀରରେ କେତେ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ବା ଆଣ୍ଟିବଡି ତିଆରି ହୋଇଛି ତାହା ଜଣା ପଡିବ। ସିଏମସିରେ ୫ ତାରିଖ ସୁଦ୍ଧା ସେରୋ ସର୍ଭେ ଶେଷ ହେବ ଓ ୧୦ ତାରିଖ ମଧ୍ୟରେ ଆରଏମ୍‌ଆରସି ପକ୍ଷରୁ ଏହାର ରିପୋର୍ଟ ଆସିବ ବୋଲି ସିଏମସି କମିସନର ଅନନ୍ୟା ଦାଶ ସୂଚନା ଦେଇଛନ୍ତି।