କଟକ : ବିଦ୍ୟୁତ ସଂଯୋଗ ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସାଉଥ୍କୋର କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ସାମନ୍ତରାୟଙ୍କୁ ୪ବର୍ଷ ଜେଲ୍ ଦଣ୍ଡ ହୋଇଛି। ୨୦୦୯ ମସିହାରେ ବୌଦ୍ଧ ପୁରୁଣାକଟକ ସେକ୍ସନର କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବାବେଳେ ଅଭିଯୋଗକାରୀ ହରଭଙ୍ଗା ଥାନା ଅନ୍ତର୍ଗତ ଛତାରଙ୍ଗ ଟାଙ୍ଗୁରୁକୁମ୍ପାର ବଳରାମ ପ୍ରଧାନଙ୍କଠୁ ନୂଆ ବିଦ୍ୟୁତ ସଂଯୋଗ ପାଇଁ ୩ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ଲାଞ୍ଚ ଟଙ୍କା ଗ୍ରହଣ କରିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲେ। ଏ ସଂକ୍ରାନ୍ତରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହେବା ସହ ଦୁର୍ନୀତି ନିବାରଣ ଆଇନ୍ ଧାରା ୧୩(୨), ୧୩(୧) (ଡି)/୭ ଅନୁଯାୟୀ ଚାର୍ଜସିଟ୍ ଦାଖଲ ହୋଇଥିଲା। ଆଜି ଏହି ମାମଲାର ଶୁଣାଣି କରି ଫୁଲବାଣୀ ଭିଜିଲାନ୍ସ ଜଜ୍ ଅଭିଯୁକ୍ତ ସୂର୍ଯ୍ୟକାନ୍ତଙ୍କୁ ଧାରା ୭ ଅନୁଯାୟୀ ବର୍ଷେ ଜେଲ୍ ଓ ୫ହଜାର ଟଙ୍କା ଜରିମାନା ଏବଂ ୧୩(୨), ୧୩(୧)(ଡି) ଅନୁଯାୟୀ ୪ବର୍ଷ ଜେଲ୍ ଓ ୨୦ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ କରିଛନ୍ତି। ବୌଦ୍ଧ ଭିଜିଲାନ୍ସ ୟୁନିଟ୍ର ପୂର୍ବତନ ଡିଏସ୍ପି ଡି.ଜି. ପରିଡ଼ା ମାମଲାର ତଦନ୍ତ କରିଥିଲାବେଳେ ସ୍ୱତନ୍ତ୍ର ପି.ପି. ସୁରେଶ କୁମାର ମହାପାତ୍ର ମାମଲା ପରିଚାଳନା କରିଥିଲେ।