କଟକରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ବିଶେଷ ବ୍ୟବସ୍ଥା

ଫୋନ୍‌ କଲେ କୋଭିଡ୍‌ ଟିକା ଓ ପରୀକ୍ଷା ପାଇଁ ଘରେ ପହଞ୍ଚିବ ସିଏମ୍‌ସି ଗାଡି; ଟିକା ପାଇଁ ୯୭୭୭୦୬୭୨୯୭; ପରୀକ୍ଷା ପାଇଁ ୭୨୦୫୩୩୭୨୧୭

କଟକ: ବସ୍ତିରେ ରହୁଥିବା ଯୁବକ ଯୁବତୀଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ ଅଭିଯାନ ଆରମ୍ଭ କରି କଟକ ମହାନଗର ନିଗମ କର୍ତ୍ତୃପକ୍ଷ ଏକ ଅଭିନବ ପଦକ୍ଷେପ ନେଇଥିବା ବେଳେ ଏବେ ଦିବ୍ୟାଙ୍ଗ ଓ ୭୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ କୋଭିଡ୍‌ ଟିକା ପ୍ରଦାନ ଓ କୋଭିଡ୍ ପରୀକ୍ଷା ପାଇଁ ବିଶେଷ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସେମାନଙ୍କୁ ସେମାନଙ୍କ ଘରେ ଯାଇ ଟିକା ଦେବା ଓ କରୋନା ପରୀକ୍ଷା କରିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ନିଗମ ପକ୍ଷରୁ ଗାଡ଼ିରେ କୋଭିଡ୍‌-୧୯ ଟିକାକରଣ ଓ କରୋନା ପରୀକ୍ଷା କରିବାର ବ୍ୟବସ୍ଥା ହୋଇଛି। ବହୁ ପୂର୍ବରୁ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୁବିଧା କରିବାକୁ ଦାବି ହୋଇ ଆସୁଥିବା ବେଳେ ଏବେ ସିଏମସି ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ନିଗମର ବିଭିନ୍ନ ୱାର୍ଡରେ ଥିବା ଦିବ୍ୟାଙ୍ଗ ବ୍ୟକ୍ତି ଓ ୭୦ ବର୍ଷରୁ ଅଧିକ ବୟସ୍କଙ୍କ ନିକଟରେ କୋଭିଡ୍‌ ଟିକା ଦେବା ଓ କୋଭିଡ୍‌ ପରୀକ୍ଷା କରିବା ପାଇଁ ସିଏମସିର ଗାଡ଼ି ପହଞ୍ଚିବ।

ନିଗମ ପକ୍ଷରୁ ଦିଆଯାଇଥିବା ଫୋନ୍‌ ନମ୍ବରରେ ବ୍ୟକ୍ତିଙ୍କ ନାମ, ୱାର୍ଡ ନମ୍ବର, ସଂପୂର୍ଣ୍ଣ ଠିକଣା, ଆଧାର ନମ୍ବର, ଫୋନ ନମ୍ବର ଦେବାକୁ କୁହାଯାଇଛି। କୋଭିଡ୍‌ ଟିକା ପାଇଁ ୯୭୭୭୦୬୭୨୯୭ ଫୋନ୍‌ ନମ୍ବର ଓ କରୋନା ପରୀକ୍ଷା ପାଇଁ ୭୨୦୫୩୩୭୨୧୭ ନମ୍ବର ରହିଛି। ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୧୦ଟାରୁ ଅପରାହ୍ନ ୩ଟା ମଧ୍ୟରେ ଉକ୍ତ ନମ୍ବରରେ ଫୋନ୍‌ କରିବାକୁ କୁହାଯାଇଛି। ଫୋନ କରି ନାମ ପଞ୍ଜୀକରଣ କରିବା ପରେ ଟିକା ଓ ପରୀକ୍ଷା ପାଇଁ ସିଏମ୍‌ସି ପକ୍ଷରୁ ତାରିଖ ଓ ସମୟ ବିଷୟରେ ସୂଚନା ଦିଆଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର