ରାକ୍ଷୀ ପାଇଁ ପ୍ରସ୍ତୁତି; ଡାକ ବିଭାଗର ସ୍ବତନ୍ତ୍ର ଏନ୍‌ଭଲପ୍

କଟକ: ଆଉ କିଛି ଦିନ ପରେ ରାକ୍ଷୀ ପୂର୍ଣ୍ଣିମା। ଏଥିପାଇଁ ଭାରତୀୟ ଡ଼ାକ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ଡ଼ାକ ବିଭାଗ ପକ୍ଷରୁ ରାକ୍ଷୀ ପୂର୍ଣିମା ପାଇଁ କରାଯାଇଛି ‘ପ୍ଲାଷ୍ଟିକ ରାକ୍ଷୀ ଏନ୍‌ଭଲପ’ ବା ୱାଟର ପ୍ରୁଫ୍‌ ଏନ୍‌ଭଲପ୍‌ର ବ୍ୟବସ୍ଥା। ରାକ୍ଷୀ ପୂର୍ଣ୍ଣିମା ବର୍ଷା ଦିନରେ ପଡ଼ୁଥିବାରୁ ରାକ୍ଷୀ କୋରିଅର କରିବା ନେଇ ଚିନ୍ତିତ ରହିଥାନ୍ତି ଗ୍ରାହକ। କାଗଜ ଏନ୍‌ଭଲପରେ ରାକ୍ଷୀ ଦୂର ଦୂରାନ୍ତରକୁ ପଠାଇଲେ ବର୍ଷା ପାଣିରେ ଏହା ନଷ୍ଟ ହେବାର ସମ୍ଭାବନା ରହିଥାଏ। ଏହି ସମସ୍ୟାକୁ ନଜରରେ ରଖି ଭାରତୀୟ ଡ଼ାକ ବିଭାଗ ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ପାଇଁ ‘ପ୍ଲାଷ୍ଟିକ ରାକ୍ଷୀ ଏନ୍‌ଭଲପ’ ବା ୱାଟର ପ୍ରୁଫ୍‌ ଏନ୍‌ଭଲପର ବ୍ୟବସ୍ଥା କରାଯାଇଛି। ଏହାର ଦର ୫ ଟଙ୍କା ରହିଛି। ଏହା ସମସ୍ତ ପୋଷ୍ଟ ଅଫିସରେ ଉପଲବ୍ଧ ହେଉଛି। ଏହି ‘ପ୍ଲାଷ୍ଟିକ ରାକ୍ଷୀ ଏନ୍‌ଭଲପ’ ବା ୱାଟର ପ୍ରୁଫ୍‌ ଏନ୍‌ଭଲପରେ ସ୍ପିଡ ପୋଷ୍ଟ ଓ ରେଜିଷ୍ଟର ପୋଷ୍ଟ କରାଯାଉଛି।

ସ୍ପିଡ ପୋଷ୍ଟ ଜରିଆରେ ପଠାଇଲେ ରାକ୍ଷୀ ୩ ରୁ ୫ ଦିନ ମଧ୍ୟରେ ପହଞ୍ଚି ଯାଉଥିବାବେଳେ ଏଥିପାଇଁ କଟକ-ଭୁବନେଶ୍ବରକୁ ୧୮ ଟଙ୍କା ଓ ଅନ୍ୟାନ୍ୟ ସ୍ଥାନକୁ ଓଜନ ହିସାବରେ ୪୧ ଟଙ୍କାରୁ ୨ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ସେହିପରି ରେଜିଷ୍ଟର ପୋଷ୍ଟ ଜରିଆରେ ପଠାଇଲେ ରାକ୍ଷୀ ୬ ରୁ ୧୦ ଦିନରେ ପହଞ୍ଚୁଥିବା ବେଳେ ପ୍ରତି ୨୦ ଗ୍ରାମ ପିଛା ୨୨ ଟଙ୍କା ଖର୍ଚ୍ଚ ରହିଛି। ଗଲା ୨ ବର୍ଷ ହେବ ଏହି ‘ପ୍ଲାଷ୍ଟିକ ରାକ୍ଷୀ ଏନ୍‌ଭଲପ’ ବା ୱାଟର ପ୍ରୁଫ୍‌ ଏନ୍‌ଭଲପର ଚାହିଦା ବଢିବାରେ ଲାଗିଛି। ବକ୍ସିବଜାର ଜିପିଓରେ ଏବେ ହାରାହାରି ଭାବେ ପ୍ରତ୍ୟେକ ଦିନ ୪୦ ରୁ ଅଧିକ ‘ପ୍ଲାଷ୍ଟିକ ରାକ୍ଷୀ ଏନ୍‌ଭଲପ’ ବା ୱାଟର ପ୍ରୁଫ୍‌ ଏନ୍‌ଭଲପ କୋରିଅର ହେଉଥିବା ଜିପିଓର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର