କଟକ : କରୋନା କଟକଣା ସବୁଠି କୋହଳ ହୋଇଥିବା ବେଳେ ଏଯାଏ ଟ୍ରେନ୍ ଉପରେ ନିର୍ଭର କରୁଥିବା ଦୈନିକ ଯାତ୍ରୀଙ୍କ ସମସ୍ୟା ସୁଧୁରୁ ନାହିଁ। ବିଶେଷକରି, କଟକ ଷ୍ଟେସନ୍ ଉପରେ ନିର୍ଭରଶୀଳ ଯାତ୍ରୀଙ୍କ ସମସ୍ୟା ବଢ଼ି ଚାଲିଛି। କଟକ ଷ୍ଟେସନ ଦେଇ ଯାତାୟାତ କରୁଥିବା ଅଧିକାଂଶ ଏକ୍ସପ୍ରେସ୍ ଟ୍ରେନ୍କୁ ସ୍ପେଶାଲ ଟ୍ରେନ୍ ଭାବେ ଚଳାଯାଉଛି। ଅନ୍ୟପଟେ ହଜାର ହଜାର ଲୋକ ନିର୍ଭର କରୁଥିବା ତାଳଚେର-ପୁରୀ ମେମୁ(ପାସେଞ୍ଜର ଟ୍ରେନ୍) ପ୍ରାୟ ଦେଢ ବର୍ଷ ହେଲା ବନ୍ଦ ରହିଛି। କରୋନା ସଂକ୍ରମଣ ଗତ ବର୍ଷ ମାର୍ଚ୍ଚରୁ ଏହାର ପ୍ରଭାବ ଦେଖାଇବା ସମୟରୁ ଏହି ପାସେଞ୍ଜର ଟ୍ରେନ୍ ବନ୍ଦ ରହିଛି। ଏହି ପାସେଞ୍ଜର ଟ୍ରେନ୍ରେ ମାତ୍ର ୧୦ ଟଙ୍କା ଦେଇ ଜଣେ କଟକରୁ ଭୁବନେଶ୍ବର ଯାଇ ପାରୁଥିଲେ। ପୁରୀ ଯିବା ପାଇଁ ମଧ୍ୟ ୨୦ ଟଙ୍କା ଦେବାକୁ ପଡୁଥିଲା। ପ୍ରତିଦିନ ତାଳଚେର, ଢେଙ୍କାନାଳ ଅଞ୍ଚଳର ଲୋକ କଟକ ଆସି କାର୍ଯ୍ୟ ସାରି ଫେରି ଯାଉଥିଲେ। ସେହିପରି କଟକ ଲୋକ ଭୁବନେଶ୍ବର, ଖୋର୍ଦ୍ଧାରୋଡ୍ ଓ ପୁରୀ ଯାଇ ଆସି ପାରୁଥିଲେ। ସଂଧ୍ୟାରେ ଆସି ପୁରୀରୁ କଟକରେ ପହଞ୍ଚି ହେଉଥିଲା। କିନ୍ତୁ ଅନ୍ୟ ପାସେଞ୍ଜର ସବୁ ଚାଲିବା ଆରମ୍ଭ ପରେ ମଧ୍ୟ ଏହି ଗୁରୁତ୍ବପୂର୍ଣ୍ଣ ଟ୍ରେନ୍ ଏ ପର୍ଯ୍ୟନ୍ତ ପୂର୍ବ ଭଳି ଚାଲୁ ନାହିଁ। ସେହିଭଳି ପୁରୀ-କଟକ ପାସେଞ୍ଜର ମଧ୍ୟ ଦେଢ ବର୍ଷ ହେବ ବନ୍ଦ ରହିଛି।
କଟକ-ଭୁବନେଶ୍ବର ସହର ଦେଇ ଯା ଆସ କରୁଥିବା ସବୁ ଠାରୁ ଗୁରୁତ୍ବପୂର୍ଣ୍ଣ ଟ୍ରେନ୍ ହେଉଛି ଭଦ୍ରକ-ଭୁବନେଶ୍ବର ମେମୁ ବା ପାସେଞ୍ଜର। ଏହି ଟ୍ରେନ୍ ଗତ ବର୍ଷ ମାଚ୍ଚ ମାସରୁ ବାତିଲ କରାଯିବାପରେ ଗତ ଏପ୍ରିଲ ୭ରେ ପୁଣି ଚଳାଯାଇଥିଲା। ପୁଣି ମେ ୮ରେ ଏହି ଟ୍ରେନ୍ ବନ୍ଦ କରାଯାଇଥିଲା। ତିନି ଦିନ ତଳେ ଏହି ଭଦ୍ରକ ମେମୁ ପୁଣି ଚଳାଚଳ କରାଯାଇଛି। କିନ୍ତୁ ଏହାକୁ ସ୍ପେଶାଲ ଟ୍ରେନ ବୋଲି କହି ରେଳ ବିଭାଗ ଏକ୍ସପ୍ରେସ୍ ଭଡା ଯାତ୍ରୀଙ୍କ ନିକଟରୁ ନେଉଛି। ଫଳରେ ଯାତ୍ରୀମାନଙ୍କୁ ପ୍ରାୟ ୧୦/୧୧ ଗୁଣ ଅଧିକ ଭଡା ଦେବାକୁ ପଡୁଛି। କଟକରୁ ଭୁବନେଶ୍ବର ଯିବାକୁ ମେମୁରେ ପୂର୍ବରୁ ୧୦ ଟଙ୍କା ପଡୁଥିବାବେଳେ ଏବେ ଏକ୍ସପ୍ରେସ୍ ଭଡା ବାବଦରେ ୩୦ ଟଙ୍କା ଆଦାୟ କରାଯାଉଛି। ଏଥିସହିତ ମାସିକ ଓ ତ୍ରୈମାସିକ ଟିକଟ ବ୍ୟବସ୍ଥା ମଧ୍ୟ ଉଠାଇ ଦିଆଯାଇଛି। କଟକ ଭୁବନେଶ୍ବର ମଧ୍ୟରେ ଯିବା ଆସିବା ପାଇଁ ମାସିକ ସିଜିନ ଟିକେଟଧାରୀଙ୍କ ପାଇଁ ୧୮୫ ଟଙ୍କା ଯାତ୍ରୀ ଭଡା ରହିଥିବା ବେଳେ ଏବେ ଦୈନିକ ଜଣେ ଯାତ୍ରୀଙ୍କୁ ଭଦ୍ରକ ମେମୁରେ କଟକ-ଭୁବନେଶ୍ବର ମଧ୍ୟରେ ଯିବା ଆସିବା ଲାଗି ୬୦ ଟଙ୍କା ଦେବାକୁ ପଡ଼ିବ। ଭୁବନେଶ୍ବର-ବାଙ୍ଗିରୀପୋଷି ଏକ୍ସପ୍ରେସ୍ ସହିତ ଅନ୍ୟ ଏକ୍ସପ୍ରେସ୍ ଟ୍ରେନ୍ ଗୁଡିକୁ ସ୍ପେଶାଲ ଟ୍ରେନ୍ ଭାବେ ଚଳାଯାଉଛି। ଫଳରେ ଯାତ୍ରୀଙ୍କୁ ଏ ବାବଦରେ ଅଧିକ ଭଡା ଦେବାକୁ ପଡୁଛି।