କଟକ: ରଥଯାତ୍ରା ପାଇଁ କଟକ ରେଳ ଷ୍ଟେସନରୁ ମୋଟ ୧୫ଟି ସ୍ବତନ୍ତ୍ର ଟ୍ରେନ୍ ଗଡ଼ିବ। ଏଥିରେ ୭ଟି ପାସେଞ୍ଜର ଏବଂ ୮ଟି ଏକ୍ସପ୍ରେସ୍ ଟ୍ରେନ୍ ଚାଲିବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଛି। ଗୁରୁବାର ବିଳମ୍ବିତ ରାତିରୁ ଏହି ଟ୍ରେନ୍ ପୁରୀ ଅଭିମୁଖେ ଯାତ୍ରା କରିବାକୁ ଯାଉଛି। ବୁଧବାର ସନ୍ଧ୍ୟାରୁ କଟକ ଷ୍ଟେସନରେ ଯାତ୍ରୀଙ୍କ ଭିଡ଼ ବୃଦ୍ଧି ପାଇ ଥିବାରୁ ଉଭୟ ଜିଆରପି ଓ ଆରପିଏଫ୍ ପକ୍ଷରୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ଭିଡ଼ର ସୁଯୋଗ ନେଇ ଚୋରି, ଛିନତାଇ ପ୍ଲାଟଫର୍ମ ଓ ଟ୍ରେନରେ ହେବା ଆଶଙ୍କାରେ ସାଦା ପୋଷାକରେ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ସନ୍ଧ୍ୟାରେ କଟକ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ଜିଆରପି ପକ୍ଷରୁ ଗୋଟିଏ ସେକ୍ସନ ଫୋର୍ସ ଏବଂ ଥାନାର ୧୦ କର୍ମଚାରୀ ନିୟୋଜିତ ହୋଇଛନ୍ତି। ପ୍ଲାଟଫର୍ମରେ ଆରପିଏଫ ପକ୍ଷରୁ ୪୦ ଜଣ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଆଜିଠାରୁ ରେଳ ଷ୍ଟେସନରେ ଯାତ୍ରୀଙ୍କ ଭି଼ଡ଼ ଦେଖିବାକୁ ମିଳୁଥିବାରୁ ସୁରକ୍ଷା କଡ଼ାକଡ଼ି କରି ଦିଆଯାଇଛି। ଶୁକ୍ରବାର ଦିନ ରଥଯାତ୍ରାରେ କଟକ ଦେଇ ଚାଲିବାକୁ ଥିବା ସ୍ବତନ୍ତ୍ର ଟ୍ରେନରେ ଜଣେ ମହିଳା ଓ ୩ ଜଣ ପୁରୁଷ ପୁଲିସ କର୍ମଚାରୀ ନିୟୋଜିତ ହେବେ।

Advertisment

ପାସେଞ୍ଜର୍ ଟ୍ରେନ୍ ଛାଡ଼ିବା ସମୟ
ପୁରୀ-ପାରାଦ୍ବୀପ ସ୍ବତନ୍ତ୍ର ଟ୍ରେନ୍ କଟକରୁ ଶୁକ୍ରବାର ଭୋର ୫ଟା ୧୦ରେ ଛା଼ଡ଼ିବ। ବଡ଼ବିଲ- ପୁରୀ ଭୋର ୫ଟା ୨୪ରେ କଟକ ଛାଡ଼ିବ। କଟକ-ପୁରୀ ସ୍ବତନ୍ତ୍ର ଟ୍ରେନ୍ ଭାୟା ନିର୍ଗୁଣ୍ଡି-ଶାଳଗାଁ ଦେଇ ପୁରୀ ଯିବ। କଟକରୁ ଏହି ଟ୍ରେନ ସକାଳ ୬ଟା ୩୦ରେ ଛାଡ଼ିବ। ରାଉରକେଲା-ପୁରୀ ସକାଳ ୭ଟା ୧୫ରେ କଟକ ଛାଡ଼ିବ। ଭଦ୍ରକ-ପୁରୀ ସ୍ବତନ୍ତ୍ର ଟ୍ରେନ୍ କଟକରୁ ସକାଳ ୭ଟା ୫୦ରେ ଛାଡ଼ିବ। କେନ୍ଦୁଝର-ପୁରୀ ସ୍ବତନ୍ତ୍ର ଟ୍ରେନ କଟକରୁ ଦିନ ୧୦ଟା ୨୦ରେ ଛାଡ଼ିବ। ବାଙ୍ଗୀରପୋଷୀ-ପୁରୀ ସ୍ବତନ୍ତ୍ର ଟ୍ରେନ୍ କଟକରୁ ଦିନ ୯ଟା ୧୭ରେ ଛାଡ଼ିବ।

ଏକ୍ସପ୍ରେସ୍ ଟ୍ରେନ୍ ଛାଡ଼ିବା ସମୟ
କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଗୁରୁବାର ରାତି ୧ଟା ୮ଟାରେ କଟକରୁ ଛାଡ଼ିବ। ସେହିଭଳି ଜଗନ୍ନାଥ ଏକ୍ସପ୍ରେସ୍ ରାତି ୧ଟା ୪୦, ପୁରୁଷୋତ୍ତମ ଏକ୍ସପ୍ରେସ ରାତି ୨ଟା ୫୫, ତପସ୍ବିନୀ ଏକ୍ସପ୍ରେସ୍ ୩ଟା ୩୦, ହାଓ୍ବଡ଼ା-ପୁରୀ ଏକ୍ସପ୍ରେସ୍ ଭୋର ୪ଟା ୩୦, ଦୁର୍ଗ-ପୁରୀ ଏକ୍ସପ୍ରେସ୍ ଶୁକ୍ରବାର ସକାଳ ୬ଟା ୩୫, ନନ୍ଦନକାନ ଏକ୍ସପ୍ରେସ୍ ଶୁକ୍ରବାର ଦିନ ୧୧ଟା, ଧଉଳୀ ଏକ୍ସପ୍ରେସ୍ ଶୁକ୍ରବାର ୩ଟା ୪୩ରେ କଟକରୁ ଛାଡ଼ିବା ନେଇ କଟକ ରେଳ ଷ୍ଟେସନ୍ ପକ୍ଷରୁ ସୂଚନା ଦିଆଯାଇଛି।