ମଶା ବଂଶ ନିୟନ୍ତ୍ରଣ ପାଇଁ ସିଏମ୍‌ସିର ସ୍ବତନ୍ତ୍ର ଯୋଜନା: ସଫା ହେବ ଜଳାଶୟ, ପାଇଖାନା ଏୟାର୍‌ପାଇପ୍‌ରେ ଲାଗିବ ନେଟ୍‌

କଟକ: ଗ୍ରୀଷ୍ମ ପ୍ରବାହ ସହ ତାଳ ଦେଇ ସହରରେ ବଢ଼ି ଚାଲିଛି ମଶା ବଂଶ। ସହରବାସୀଙ୍କ ପାଇଁ ମଶା ଏବେ ବଡ଼ ସମସ୍ୟା ଭାବେ ଛିଡ଼ା ହୋଇଛି। ଏଭଳି ସ୍ଥିତିରେ ସିଏମ୍‌ସି ମଶା ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ‌ଯୋଜନା ପ୍ରସ୍ତୁତ କରିଛି। ଏହି ଯୋଜନାକୁ କାର୍ଯ୍ୟକ୍ଷମ କରି ଆସନ୍ତା ମେ’-ଜୁନ୍‌ ସୁଦ୍ଧା ସହ‌ରରେ ମଶା ବଂଶ ନିୟନ୍ତ୍ରଣ ହେବ ବୋଲି ସିଏମ୍‌ସି ପକ୍ଷରୁ ଦାବି କରାଯାଇଛି। କଟକ ପରିବେଶରେ ୪୦ ପ୍ରତିଶତ ମଶାର ଘନତ୍ବକୁ ସାଧାରଣ କୁହାଯାଉଥିବା ବେଳେ ଏବେ ଏହା ୫୫ ପ୍ରତିଶତ ଘନତ୍ବରୁ ଅଧିକ ରହିଛି। ମହାନଗର ନିଗମ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିବର୍ଷ ମଶା ନିୟନ୍ତ୍ରଣ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇ କାମ କରାଯାଏ। ହେଲେ ଏହାର ପ୍ରଭାବ ସିଏମ୍‌ସିରେ ଦେଖିବାକୁ ମିଳୁନାହିଁ। ଚଳିତଥର ମଶା ନିୟନ୍ତ୍ରଣ ପାଇଁ ମହାନଗର ନିଗମ ପକ୍ଷରୁ ସ୍ପେସାଲ୍‌ ପୋଗ୍ରାମ୍‌ ଆରମ୍ଭ କରାଯାଇଛି। ଏଥିପାଇଁ ଏକ ଟିମ୍‌ ଗଠନ କରାଯାଇଛି। ଏଥିରେ ଆସିଷ୍ଟାଣ୍ଟ୍‌ ଡିଷ୍ଟ୍ରିକ୍ଟ ଅର୍ବାନ ହେଲ୍‌ଥ ଅଫିସର (ଏଡିପିଏଚ୍‌ଓ), ଜିଲ୍ଲା ମ୍ୟାଲେରିଆ ଅଫିସର, ନଗର ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ତିନିଜଣ ଆସିଷ୍ଟାଣ୍ଟ୍‌ ଏଣ୍ଟିମୋଲ୍‌ଜି ଅଛନ୍ତି।

ସେହିପରି ୱାର୍ଡର ସୁପରଭାଇଜର, ଇନ୍‌ସେକ୍ଟ କଲେକ୍ଟର ଓ ଆସି‌ଷ୍ଟାଣ୍ଟ୍‌ ଏଣ୍ଟିମୋଲ୍‌ଜିଙ୍କୁ ନେଇ ଏକାଧିକ ଟିମ୍ ଗଠନ କରାଯାଇଛି। ଉକ୍ତ ଟିମ୍‌ ବିଭିନ୍ନ ୱାର୍ଡ ବୁଲି ମଶା ଉତ୍ପତିର ସ୍ଥଳ ଚିହ୍ନଟ କରିବେ। ସେଠାରେ କେଉଁ କାରଣ ପାଇଁ ମଶା ବଂଶ ବଢୁଛି ଏହାକୁ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ ପରେ ମଶା ନିପାତ ପଦକ୍ଷେପ ନିଆଯିବ। ଅନ୍ୟପଟେ ପ୍ରତି ୱାର୍ଡରେ କେତେ ଜଳାଶୟ ରହିଛି। ଏହାକୁ ସର୍ଭେ କରାଯାଇ ସେଠାରେ ମଶା ବିଡିଂକୁ କିପରି ରୋକାଯାଇପାରିବ, ତାହା ଉପରେ କାମ କରାଯିବ। ସହରର ପ୍ରତିଘର ପାଇଖାନା ଟାଙ୍କିରେ ଲାଗିଥିବା ଏୟାର୍‌ପାଇପ୍‌ରେ ସିଏମ୍‌ସି ପକ୍ଷରୁ ନେଟ୍‌ ଲଗାଯିବ ବୋଲି ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି। ମଶା ନିୟନ୍ତ୍ରଣ ପାଇଁ ୱାର୍ଡରେ ମଶା ତେଲ ଓ ମଶା ଧୂଆଁ ଦିଆଯାଉଛି ବୋଲି ସିଏମ୍‌ସି ପକ୍ଷରୁ କୁହାଯାଉଥିବା ବେଳେ ଏହାଦ୍ବାରା ମଶା ନିୟନ୍ତ୍ରଣ ହେଉନାହିଁ।

ସମ୍ବନ୍ଧିତ ଖବର