କନିଷ୍ଠ କିରାଣିଙ୍କୁ ୪ବର୍ଷ ଜେଲ୍‌, ୧୦ ହଜାର ଟଙ୍କା ଜରିମାନା

କଟକ : ଲାଞ୍ଚ ନେଉଥିବାବେଳେ ଧରାପଡ଼ିଥିବା ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଦେବ କୁମାର ପୁରୋହିତଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୪ବର୍ଷ ଜେଲ୍‌ ଦଣ୍ଡାଦେଶ କରିଛନ୍ତି। ଏଥିସହିତ ୧୦ହଜାର ଟଙ୍କା ଜରିମାନା ଭରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ନଦେଇପାରିଲେ ଅଧିକ ୬ମାସ ପର୍ଯ୍ୟନ୍ତ ତାଙ୍କୁ ଜେଲ୍‌ ଦଣ୍ଡ ଭୋଗିବାକୁ ହେବ ବୋଲି କୋର୍ଟ କହିଛନ୍ତି। ବର୍ତ୍ତମାନ ତେଲିବନ୍ଧ ହାଇସ୍କୁଲ୍‌ରେ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିବା ଶ୍ରୀ ପୁରୋହିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବାବେଳେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। କ୍ଲାସିକାଲ୍‌ ଶିକ୍ଷକ ଉମାକାନ୍ତ ଦେହୁରୀଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଫାଇଲ୍‌ କାମ କରିବାକୁ ଶ୍ରୀ ପୁରୋହିତ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ଏସଂକ୍ରାନ୍ତରେ ଉମାକାନ୍ତ ଭିଜିଲାନ୍ସରେ ଅଭିଯୋଗ କରିବାରୁ ଲାଞ୍ଚ ନେଉଥିବା ଅବସ୍ଥାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଏସଂକ୍ରାନ୍ତରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ୍‌ ଧାରା ୧୩(୨), ୧୩(୧), (ଡି)/୭ରେ ଏକ ମାମଲା ରୁଜୁ ହୋଇଥିଲାବେଳେ ମାମଲାର ଚାର୍ଜସିଟ୍‌ ଦାଖଲ କରାଯାଇଥିଲା। ଫୁଲବାଣୀ ଭିଜିଲାନ୍ସ ୟୁନିଟ୍‌ର ତତ୍କାଳୀନ ଡିଏସ୍‌ପି ତଥା ବର୍ତ୍ତମାନର କୋରାପୁଟ ଡିଭିଜନ୍‌ର ଏସ୍‌ପି ଭାବେ କାର୍ଯ୍ୟରତ ହରେକୃଷ୍ଣ ବେହେରା ମାମଲାର ତଦନ୍ତ କରୁଥିଲେ। ଫୁଲବାଣୀର ସ୍ୱତନ୍ତ୍ର ପି.ପି. ସୁରେଶ କୁମାର ମହାପାତ୍ର ମାମଲାର ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର