କଟକ: କଟକର ନନ୍ଦକିଶୋର ଲାଲଙ୍କ ବୟସ ଏବେ ୭୦। ୩୨ ବର୍ଷ ହେବ ତାଙ୍କର ନିଶା ପାଲଟିଛି ଡାକ ଟିକଟ, ଦେଶ ଓ ବିଦେଶର କଏନ, ପୋଷ୍ଟକାର୍ଡ ସଂଗ୍ରହ। ସେ ନିଜେ ଜଡ଼ିତ ଥିବା ଅନୁଷ୍ଠାନ, ତାଙ୍କ ସମ୍ପର୍କୀୟ ଓ ଇଣ୍ଟରନେଟ୍ରୁ ସଂଗ୍ରହ କରୁଛନ୍ତି ଏହି ସବୁ ଜିନିଷ। ଏହାସହ ସହରର ସମସ୍ତ ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଏହି ସବୁ ପାଇଁ ଉତ୍ସାହିତ କରିବା ସହ ନିଜେ ସଂଗ୍ରହ କରିଥିବା ଜିନିଷକୁ ମଧ୍ୟ ତାଙ୍କୁ ଦେଇଥାନ୍ତି। ତେବେ ପରିଣତ ବୟସରେ ଏଭଳି ଉଦ୍ୟମ ତାଙ୍କୁ ଆଣି ଦେଇଛି ଏକ ନିଆରା ପରିଚୟ। ପୁରୀର ମୂଳ ବାସିନ୍ଦା ନନ୍ଦକିଶୋର ଲାଲ କଟକ ସ୍ଥିତ ମିସନ୍ ରୋଡ୍ରେ ପତ୍ନୀ ମୀରା ଦେବୀଙ୍କ ସହ ରହୁଛନ୍ତି। ନନ୍ଦକିଶୋର ପେସାରେ ଜଣେ ବ୍ୟବସାୟୀ। ସେ ୧୯୬୨ ମସିହାରେ ସପ୍ତମ ଶ୍ରେଣୀ ପଢ଼ୁଥିବା ସମୟରେ କିଛି ପୁରୁଣା କଏନ ଓ ଅନ୍ୟ ଦେଶ ମାନଙ୍କର କଏନ ସଂଗ୍ରହ କରିବା ଆରମ୍ଭ କରିଥିଲେ। ହେଲେ ପାଠପଢ଼ା ଯୋଗୁଁ ଏହାକୁ ବଜାୟ ରଖି ପାରି ନଥିଲେ। କିନ୍ତୁ ପରବର୍ତ୍ତି ସମୟରେ ପୁଣି ଏ ଦିଗରେ ଉଦ୍ୟମ କରି ଦେଶ ଓ ବିଦେଶର ୨ ହଜାର ପ୍ରକାର କଏନ୍, ୧ ଲକ୍ଷ ପ୍ରକାର ଡାକ ଟିକଟ, ୧୨୫ ପ୍ରକାର ଇନ୍ଲ୍ୟାଣ୍ଡ୍ ଲେଟର୍, ବିଭିନ୍ନ ଦେଶର ୨୫୦ ପ୍ରକାର ମୁଦ୍ରା ସେ ସଂଗ୍ରହ କରିଛନ୍ତି।
Sambadଓଡ଼ିଶା ଫିଲାଟେଲିକ୍ ଆସୋସିଏନ୍, ଉତ୍କଳ ଫିଲାଟେଲିକ୍ ଆଣ୍ତ ନ୍ୟୁମିସ୍ମାଟେିକ୍ ଆସୋସିଏନ୍, ଇଷ୍ଟର୍ଣ୍ଣ ଇଣ୍ତିଆ ଫିଲାଟେଲିକ୍ ଆସୋସିଏସନ୍, ଫିଲାଟେଲିକ୍ କଂଗ୍ରେସ ଅଫ ଇଣ୍ତିଆ, କର୍ଣ୍ଣାଟକ ଫିଲାଟେଲିକ୍ ଆସୋସିଏନ୍ର ସେ ଆଜୀବନ ସଦସ୍ୟ ରହଛନ୍ତି। ଏହାସହ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୁବପିଢ଼ିଙ୍କୁ ଏ ବିଷୟରେ ଅବଗତ କରାଇ ଆସୁଛନ୍ତି। କଟକ ସହରରେ ୧୦ ରୁ ଅଧିକ ସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଏହି ଡାକ ଟିକେଟ, କଏନ ସଂଗ୍ରହ କରିବା ପାଇଁ ପରାମର୍ଶ ଦେବା ସହ ନିଜେ ସଂଗ୍ରହ କରିଥିବା ଜିନିଷକୁ ଛାତ୍ରଛାତ୍ରୀଙ୍କୁ ଉପହାର ଭାବେ ଦେଇଥାନ୍ତି। ନନ୍ଦକିଶୋର କୁହନ୍ତି ଯେ ପିଲାବେଳୁ ଏହି ସବୁ ଜିନିଷ ସଂଗ୍ରହ କରିବାର ଇଚ୍ଛା ତାଙ୍କର ରହିଥିଲା। ସପ୍ତମ ଶ୍ରେଣୀରେ ପାଠ ପଢ଼ିବା ସମୟରେ ପ୍ରଥମ କରି ଏହାକୁ ସଂଗ୍ରହ କରିବା ଆରମ୍ଭ କରିଥିଲେ। ପରେ ପାଠପଢ଼ା ଯୋଗୁଁ ଏ ଦିଗରେ ବେଶୀ ବାଟ ଆଗେଇ ପାରି ନଥିଲେ। କିନ୍ତୁ କଟକରେ ରହି ବ୍ୟବସାୟ ଆରମ୍ଭ କରିବା ପରଠାରୁ ସେ ତାଙ୍କର ଏହି ନିଶାକୁ ବାସ୍ତବ ରୂପ ଦେଇଥିଲେ। ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଏଭଳି କାର୍ଯ୍ୟ ଜାରି ରଖିବେ ବୋଲି ନନ୍ଦକିଶୋର କୁହନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/nanda-kishar-lall-2-1.jpg)