ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା: ଆରମ୍ଭରୁ ଆଣ୍ଠେଇଲା କଟକ ବାଲିଯାତ୍ରା

କଟକ: ଐତିହାସିକ କଟକ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା ଦିଆଯାଇଥିଲା ୨୦୧୯ରେ। ସରକାରଙ୍କ ବିଭିନ୍ନ ବିଭାଗ ଏହି ଉତ୍ସବ ଆୟୋଜନ ପାଇଁ ସେମାନଙ୍କ ବଜେଟ ପ୍ରସ୍ତୁତ କରି ‌ଖର୍ଚ୍ଚ କରିବାର ବ୍ୟବସ୍ଥା ଥିଲା। ଆଶା କରାଯାଉଥିଲା ଚଳିତ ବର୍ଷ ଏହା ଦ୍ବାରା କଟକ ବାଲିଯାତ୍ରାକୁ ନୂଆ ରୂପରେ ଦେଖିବାକୁ ମିଳିବ। ବାଲିଯାତ୍ରା ତଳ ପଡିଆକୁ ବି ବାଲିରେ ପୋତି ତାହାର ରୂପରେଖ ପରିବର୍ତ୍ତନ କରାଯାଇଥିଲା। ପ୍ରଶାସନ ନୂଆ ଢାଞ୍ଚାରେ ଉତ୍ସବ ଆୟୋଜନ ପାଇଁ କିଛିଟା ଯୋଜନା କରିଥିଲା। କିନ୍ତୁ କରୋନା କାଳ ହେଲା। ଏଥର ସବୁ କିଛି ଅଟକି ଗଲା।

କେବଳ ବଦଳିଗଲା ପଡ଼ିଆ…

ଆଉ ଦଶ ଦିନ ପରେ ଆରମ୍ଭ ହୋଇଥାନ୍ତା ଐତିହାସିକ ବାଲିଯାତ୍ରା। କମ୍ପିଥାନ୍ତା କଟକ। ୭/୮ ଦିନର ଏହି ମହାଉତ୍ସବ ପାଇଁ ଏବେ ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥାନ୍ତା। ପଡିଆ ପ୍ରସ୍ତୁତି କାର୍ଯ୍ୟରେ ପ୍ରଶାସନ ଲାଗି ପଡିବା ସହିତ ପ୍ଲଟ ଆବଣ୍ଟନ ପାଇଁ ରାତିଦିନ ନିଅଣ୍ଟ ପଡିଥାନ୍ତା। କିନ୍ତୁ ଏଥର ଏସବୁ କିଛି ନାହିଁ। ବାଲିଯାତ୍ରା ଆୟୋଜନ ହେବ ନାହିଁ। ତେଣୁ ଏଥିପାଇଁ ପ୍ରସ୍ତୁତି ନାହିଁ କି ପଡିଆରେ ହଲଚଲ ବି ନାହିଁ। ବାଲିଯାତ୍ରା ତଳ ପଡିଆର ରୂପରେଖ ବଦଳି ଯାଇଥିବା ବେଳେ ବାଲିଯାତ୍ରାକୁ ନୂଆ ଢଙ୍ଗରେ ଉପଭୋଗ କରିବା ପାଇଁ ସହରବାସୀ ଆଶା ରଖିଥିବା ବେଳେ ଏଥର କିନ୍ତୁ ସବୁକିଛି ବନ୍ଦ।

Sambad

କାର୍ତ୍ତିକ ପୂର୍ଣ୍ଣିମାକୁ ଆଉ ୧୦ ଦିନ; ସାମୂହିକ କାର୍ଯ୍ୟକ୍ରମ ବନ୍ଦ; ବ୍ୟକ୍ତିଗତ ଭାବେ ‌ଯିଏ ଯେଉଁଠି ଭସାଇ ପାରିବେ ଡଙ୍ଗା

ଆଉ ମାତ୍ର ୧୦ ଦିନ ପରେ କାର୍ତ୍ତିକ ପୂର୍ଣ୍ଣିମା। ଏଥର ବୋଇତ ବନ୍ଦାଣ ଉତ୍ସବ ହୋଇପାରିବନି। ସାମୂହିକ ଭାବେ ଉତ୍ସବ ପାଳନ ମନା। କିନ୍ତୁ ଲୋକେ ନଈରେ ଡଙ୍ଗା ଭସାଇବାକୁ ଯାଇ ପାରିବେ ନା ନାହିଁ? ଏହାକୁ ନେଇ ସାଧାରଣରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ବି ଏଯାଏ କିଛି ସ୍ପଷ୍ଟ କରିପାରି ନାହିଁ। ବ୍ୟକ୍ତିଗତ ଭାବେ ଲୋକେ କେଉଁଠିକି ଯାଇ ଡଙ୍ଗା ଭସାଇ ପାରିବେ କି ନାହିଁ ତାହା ସ୍ପଷ୍ଟ ହେଉ ନାହିଁ। ଧର୍ମ ମାସ କାର୍ତ୍ତିକ ସହ ପୂର୍ଣ୍ଣମିରେ ଡଙ୍ଗା ଭସା ପରଂପରା କାହିଁ କେତେ କାଳର। ପରବର୍ତ୍ତି ସମୟରେ ଏହାକୁ ନେଇ ଉତ୍ସବ ଆୟୋଜନର ପରଂପରା ପ୍ରଚଳିତ ହୋଇଥିବା ବେଳେ କରୋନା ପାଇଁ ତାହା ଉପରେ କଟକଣା ରହିଛି।

କିନ୍ତୁ ଲୋକେ ବ୍ୟକ୍ତିଗତ ଭାବେ ଡଙ୍ଗା ଭସାଇ ପାରିବେ କି ନାହିଁ ‌ସେ ସଂପର୍କରେ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ କହିଛନ୍ତି ଯେ ସେଭଳି କିଛି ସ୍ପଷ୍ଟ ନିର୍ଦ୍ଦେଶ ନାହିଁ। କିନ୍ତୁ ଲୋକେ ବ୍ୟକ୍ତିଗତ ଭାବେ କିଏ କୁଆଡେ ଗଲେ, ସେଥିରେ କିଛି କହିବାର ନାହିଁ। କିନ୍ତୁ କୌଣସି ପ୍ରକାର ସାମୂହିକ କାର୍ଯ୍ୟକ୍ରମ ଆୟୋଜନ ହୋଇପାରିବ ନାହିଁ। ଏ ସଂପର୍କରେ ଯଦି ସରକାରଙ୍କର କୌଣସି ନିର୍ଦ୍ଦେଶ ଆସେ ତେବେ ତାହା ସାଧାରଣ ସୂଚନା ପାଇଁ ଜାରି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Sambad

ଅନ୍ୟପଟେ ପୁଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ଅନୁରୂପ ମତ ରଖିଛନ୍ତି। ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି। ସରକାର ଯେଉଁଭଳି ନିର୍ଦ୍ଦେଶ ଦେବେ, ସେହି ଅନୁଯାୟୀ ନିୟମାବଳୀ ଜାରି କରାଯିବ ବୋଲି ଡକ୍ଟର ଷଡ଼ଙ୍ଗୀ କହିଛନ୍ତି।

ଅଧାରୁ ବନ୍ଦ ହେବାର ନଜିର ରହିଛି; ବାଲିଯାତ୍ରା କେବେ ଏଭଳି ସଂପୂର୍ଣ୍ଣ ବନ୍ଦ ହୋଇନାହିଁ

ମୋତେ ଏବେ ୮୦ ଛୁଇଁଲାଣି। ପିଲାବେଳୁ ଆମେ ବାଲିଯାତ୍ରା ଦେଖିଆସୁଛୁ। ପ୍ରଥମେ କାର୍ତ୍ତିକ ପୂର୍ଣ୍ଣିମା ଓ ଛାଡଖାଇ ଏଭଳି ଦୁଇ ଦିନ ପାଇଁ ବାଲିଯାତ୍ରା ହେଉଥିଲା। ଏହା ପୁଣି ଉପର ପଡ଼ିଆରେ। ଗଡ଼ଗଡ଼ିଆ ମନ୍ଦିର ପାଖକୁ ମହାନଦୀ ଛୁଉଁଥିଲା। ତଳ ବାଲିଯାତ୍ରା ପଡ଼ିଆରେ ପାଣି ରହୁଥିଲା। ଅଳ୍ପ ଦୋକାନ ବଜାର ବସୁଥିଲା। ବିଦ୍ୟୁତ ଆଲୋକ ନଥିବାରୁ ଡେ ଲାଇଟ୍‌ରେ ଲୋକେ କିଣାବିକା କରୁଥିଲେ। ପରେ ଏହା ତିନି ଦିନ, ପାଞ୍ଚ ଦିନ ହେଲା। ରାଜ୍ୟ ସମେତ ରାଜ୍ୟ ବାହାରର ବ୍ୟବସାୟୀମାନେ ଆସିଲେ। ୧୯୯୮କିମ୍ବା ୨୦୦୦ ବେଳକୁ ବାଲିଯାତ୍ରାରେ ଦୋକାନ ବଜାର ବଢ଼ିବାରୁ ଏହାକୁ ତଳପଡ଼ିଆକୁ ସ୍ଥାନାନ୍ତର କରାଗଲା।

Sambad

କିନ୍ତୁ ମୋରେ ଯାହା ମନେ ଅଛି, ୧୯୬୮/୧୯୬୯ ‌ସମିହାରେ ରାଜ୍ୟରେ ଏକ ବଡ଼ଧରଣର ବାତ୍ୟା ହୋଇଥିଲା। ସେହି ବର୍ଷ ବାଲିଯାତ୍ରା ଆରମ୍ଭ ହେବା ପରେ ବାତ୍ୟା ହେବାରୁ ବାଲିଯାତ୍ରା ଗ‌ୋଟିଏ କି ଦୁଇ ଦିନ ପରେ ବନ୍ଦ ହେଲା। ପୂର୍ବରୁ ବନ୍ୟା କି ବାତ୍ୟା ପାଇଁ କିଛି ଦିନ ବାଲିଯାତ୍ରା ବସିବା ପରେ ବନ୍ଦ ହେବାର ନଜିର ରହିଛି। କିନ୍ତୁ ଚଳିତ ବର୍ଷ ଭଳି ସଂପୂର୍ଣ୍ଣ ବନ୍ଦ ‌କେବେ ହୋଇନାହିଁ। ୧୯୯୯ ମହାବାତ୍ୟା ବର୍ଷ ବି ବାଲିଯାତ୍ରା ଆୟୋଜନ ହୋଇଥିଲା। କରୋନା ଲୋକଙ୍କ ଜୀବନଜୀବିକା ସହିତ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଛି। ଏବର୍ଷ କଟକ ଲୋକେ ନୂଆ କଥା ଦେଖିବାକୁ ପାଇଲେ।
ଭିକାରି ଦାସ, ସାଧାରଣ ସଂପାଦକ, କଟକ ମହାନଗର ଶାନ୍ତି କମିଟି

ସମ୍ବନ୍ଧିତ ଖବର