କଟକ: କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ବାର ଓ କଟକ ସଦର ତହସିଲରେ ଲୁଟ୍ ହେଉଛି ବାଲି, ପଥର, ମୋରମ୍ ଓ ମାଟି ଭଳି ଲଘୁ ଖଣିଜଦ୍ରବ୍ୟ। ମନଇଚ୍ଛା ଲୁଟି ଚାଲିଛନ୍ତି ମାଫିଆ। ଏହାକୁ ରୋକିବା ପାଇଁ ଆଜି କଟକ ସଦର ଉପ-ଜିଲ୍ଲାପାଳ କମଳଜିତ୍ ଦାସଙ୍କ ନିର୍ଦ୍ଦେଶରେ ଟାଙ୍ଗୀ-ଚୌଦ୍ବାର ଓ କଟକ ସଦର ତହସିଲ ପାଇଁ ଦୁଇଟି ସ୍କ୍ବାଡ୍ ଗଠନ କରାଯାଇଛି। ଏହି ଟିମ୍ ପ୍ରତିଦିନ ଯାନବାହନ ଯାଂଚ ସହ ଲୁଟ୍ କାରବାର ଉପରେ ନଜର ରଖିବ। ପ୍ରତିଦିନ ଏହି ସ୍କ୍ବାଡ୍ ଉପ-ଜିଲ୍ଲାପାଳଙ୍କୁ ରିପୋର୍ଟ ମଧ୍ୟ କରିବ। କଟକ ସଦର ତହସିଲ ପାଇଁ ଅତିରିକ୍ତ ତହସିଲଦାର୍ (କଟକ ସଦର) ଅଭୀପ୍ସା ପଟ୍ଟନାୟକ, କ୍ରୀଷ୍ଣା ପାଢୀ, କାଳୀପ୍ରସାଦ ଦେହୁରୀ, ଆର୍ଆଇ ତାପସ୍ ଭୂୟାଁ, ଅରୁଣ କୁମାର ବିଶ୍ବାଳ ସ୍କ୍ବାଡ୍ରେ ରହିଥିବା ବେଳେ ସେମାନେ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିବା ଜଣାପଡିଛି। ସେହିପରି ଟାଙ୍ଗୀ-ଚୌଦ୍ବାର ତହସିଲ ପାଇଁ ମାହାଙ୍ଗା ତହସିଲଦାର୍ ଉମାକାନ୍ତ ବିଶ୍ବାଳ, ନିଆଳି ଅତିରିକ୍ତ ତହସିଲଦାର ସୋମେନ୍ ବିଶ୍ବାଳ, ଟାଙ୍ଗୀ-ଚୌଦ୍ବାର ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ନାରାୟଣ ମହାରଣା, ସୁବ୍ରତ ନାଏକ, ଆର୍ଆଇ ଗୋପୀନାଥ ପ୍ରଧାନ, ଦିଲ୍ଲୀପ ନାଏକଙ୍କୁ ନେଇ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଚଢ଼ଉ ସହ ଯାନବାହନ ଯାଞ୍ଚ କରିବ। ଉକ୍ତ ଦୁଇ ତହସିଲ୍ରେ ବାଲି, ପଥର, ମୋରମ୍, ମାଟି ବିପୁଳ ପରିମାଣରେ ଲୁଟ୍ ହେଉଥିବା ନେଇ ଅଭିଯୋଗ ହୋଇଆସୁଛି।
ଏବେ ଗଠନ କରାଯାଇଥିବା ନୂତନ ଟିମ୍ ଏହି କାରବାରକୁ ରୋକିବାରେ କେତେ ସଫଳ ହୋଇପାରିବେ ତାହା ଦେଖିବାକୁ ବାକି ରହିଲା। ଅନ୍ୟପଟେ ଟାଙ୍ଗୀ-ଚୌଦ୍ବାର ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଏବେ ସକ୍ରିୟ ହୋଇ ଉଠିଛନ୍ତି ପଥର ମାଫିଆ। ପ୍ରାଶାସନିକ କଟକଣାକୁ ଖାତିର ନ କରି ଦିନ ଦ୍ବିପହରରେ ସରକାରୀ ଜମି, ଜଙ୍ଗଲ ଜମିରୁ ବେଧଡ଼କ ଲୁଟୁଛନ୍ତି ପଥର। ତହସିଲର ଜରିମାନାକୁ ବି ଖାତିର କରୁନାହାନ୍ତି ମାଫିଆ। ଟାଙ୍ଗୀ-ଚୌଦ୍ବାର ବ୍ଲକ୍ ଅନ୍ତର୍ଗତ ସଫା, ଗରୁଡ଼ଗାଁ, କରଞ୍ଜି, ଜେମାଦେଇପୁର, ମହିଷାଲଣ୍ତା, ନାକଚୁଣିପାଟ ପ୍ରଭୃତି ଅଞ୍ଚଳରୁ ପଥର ସହ ମୋରମ୍ ଚାଲାଣ ହେଉଛି। ସେହିପରି ସଦର ତହସିଲ୍ରେ ବାଲି ଚୋରା ଚାଲାଣ ସୀମା ଟପିଲାଣି।