ଶିକୁଳିରେ ବନ୍ଧା ଦିବ୍ୟାଙ୍ଗଙ୍କ ଦୁଃଖ ଶୁଣିଲେ

ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି, ପକ୍ଷାଘାତ ରୋଗୀଙ୍କୁ ପତ୍ନୀ, ପରିବାର ଭୁଲିଗଲେ

କଟକ: ଟାଙ୍ଗୀର ଜଣେ ଦିବ୍ୟାଙ୍ଗ ଯୁବକଙ୍କ ଚିକିତ୍ସା ପାଇଁ ଟଙ୍କା ନଥିବାରୁ ପରିବାର ଲୋକେ ଲୁହା ଶିକୁଳିରେ ବାନ୍ଧି ରଖିବା ଘଟଣାରେ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ। ଏହି ଯୁବକଙ୍କୁ ଘରୁ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାରେ ଥିବା ମାନସିକ ରୋଗ ବିଭାଗରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କୁ ମାଗଣାରେ ସମସ୍ତ ପ୍ରକାର ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଅନ୍ୟ ଜଣେ ଗ୍ୟାରେଜ୍‌ ମିସ୍ତ୍ରୀଙ୍କ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇଯିବାରୁ ପତ୍ନୀ ଓ ପରିବାର ଲୋକେ ଘରୁ ବିଦା କରିଦେଇଥିଲେ। ତାଙ୍କୁ ବି ଜିଲ୍ଲା ପ୍ରଶାସନ ସହଯୋଗର ହାତ ବଢ଼ାଇଛି। ତାଙ୍କର ମାଗଣା ଚିକିତ୍ସା ଆରମ୍ଭ କରିବା ସହିତ ଆଶ୍ରମରେ ଥଇଥାନ କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ଅନ୍ତର୍ଗତ ନପଙ୍ଗ ଖର୍ଦ୍ଦାସାହିର ଅଶୋକ ସାମଲଙ୍କ ସାନ ପୁଅ ୨୫ ବର୍ଷୀୟ ବିଜୟ ସାମଲ ଶାରୀରିକ ଓ ମାନସିକ ଦିବ୍ୟାଙ୍ଗ। ୨୦୨୦-୨୧ରେ ସେ ଘରୁ ବ୍ରହ୍ମପୁର ଆଡ଼କୁ ଚାଲି ଯାଇଥିଲେ। ବାପା ଅଶୋକ ଅନେକ ଖୋଜାଖୋଜି ପରେ ବ୍ରହ୍ମପୁରରେ ତାଙ୍କୁ ଠାବ କରିବା ସହିତ ଘରକୁ ଫେରାଇ ଆଣିଥିଲେ। ଦିନମଜୁରିଆ କାମ କରୁଥିବା ଅଶୋକଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ପୁଅର ଚିକିତ୍ସା କରିପାରି ନଥିଲେ। ବାଧ୍ୟ ହୋଇ ଦୁଇଗୋଡ଼କୁ ଲୁହା ଶିକୁଳିରେ ବାନ୍ଧି ଘର ଭିତରେ ଦୁଇବର୍ଷ ହେବ ପକାଇ ରଖିଥିବା ନେଇ ୨୬ ତାରିଖ ‘ସମ୍ବାଦ’ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ତୁରନ୍ତ ବିଜୟଙ୍କୁ ଘରୁ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପିଏଲ୍‌ଭି ଅଶୋକ ସାମଲଙ୍କୁ ତାଙ୍କ ରକ୍ଷଣାବେକ୍ଷଣ ଦାୟିତ୍ବ ଦିଆଯାଇଛି।

ସେହିଭଳି ଦରଘାବଜାର ଥାନା ବକ୍ସିବଜାର ଅଞ୍ଚଳର ସେକ୍ ହାକିମ(୪୩) ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଥିବା ଶ୍ବଶୁର ଘରେ ପତ୍ନୀ ଓ ଦୁଇପିଲାଙ୍କ ସହିତ ରହି ସେଠାରେ ଏକ ଗ୍ୟାରେଜ୍‌ରେ କାମ କରୁଥିଲେ। ଦିନେ ହଠାତ୍ ଗ୍ୟାରେଜରେ ତାଙ୍କ ମୁଣ୍ଡ ବୁଲାଇବାରୁ ସେ ତଳେ ପଡ଼ିଯାଇଥିଲେ। ସେବେଠାରୁ ସେ ପକ୍ଷାଘାତ ଆକ୍ରାନ୍ତ ହୋଇଯାଇଥିଲେ। ପତ୍ନୀ ତାଙ୍କୁ ଏ କ୍ଷେତ୍ରରେ ସହଯୋଗ କରି ନଥିଲେ। ଚିକିତ୍ସା ପାଇଁ କଟକସ୍ଥିତ ଘରକୁ ଆସିଲା ପରେ ବି ଘର ଲୋକ ତାଙ୍କୁ ସହଯୋଗ କଲେ ନାହିଁ। ଏ ଘଟଣା ଜିଲ୍ଲା ଆଇନସେବା ପ୍ରାଧିକରଣ ଦୃଷ୍ଟିକୁ ଆସିବା ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସିଟି ହସପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ତାଙ୍କୁ ଛତିଆସ୍ଥିତ ସେବକ ଆଶ୍ରମରେ ଥଇଥାନ କରାଯାଇଛି। ସେଠାରେ ତାଙ୍କର ଫିଜିଓଥେରାପି କରାଯିବ। ହାକିମଙ୍କୁ ଭିନ୍ନକ୍ଷମ ଯୋଜନାରେ ୧୦ ହଜାର ଟଙ୍କା ଅନୁଦାନ ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ପ୍ରକ୍ରିୟା ଆରମ୍ଭ କରିଛି। ସେ ସୁସ୍ଥ ହେବା ପରେ ଏକ ଗ୍ୟାରେଜ୍‌ରେ ଥଇଥାନ କରାଯିବାକୁ ଯୋଜନା କରାଯାଉଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସୌମେନ୍ଦ୍ର କୁମାର ରାଜଗୁରୁ, ସଚିବ ସୂର୍ଯ୍ୟକାନ୍ତ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ ପ୍ୟାନେଲ ଆଇନଜୀବୀ ବିପିନ କୁମାର ଚୌଧୁରୀ, ପାରା ଲିଗାଲ୍ ଭଲ୍ୟୁଣ୍ଟିଅର୍‌ ଅଶୋକ ସାମଲ, ଲୋକନାଥ ଶତପଥୀ, ଅକ୍ଷୟ ନାୟକ ଦୁଇଜଣଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର