ବଲିଉଡ୍ ସେଲିବ୍ରିଟିଙ୍କ ପ୍ରିୟ ଟେଲର୍ ମାଷ୍ଟର ମୁମ୍ବାଇ ଛାଡ଼ି ଏବେ ଗାଁରେ, ଆଠଗଡ଼ର ଶୁକଦେବ ଥିଲେ କୋଟ୍ ସିଲେଇରେ ମାହିର୍

ଭୁବନେଶ୍ବର: ସଙ୍କଟରେ ସେଲିବ୍ରିଟିଙ୍କ ଟେଲର୍ ମାଷ୍ଟର । ଯାହାଙ୍କ ହାତ ତିଆରି କୋଟ୍ ପିନ୍ଧିବାର ଲୋଭ ସମ୍ବରଣ କରିପାରୁ ନ ଥିଲେ  ଅଭିନେତାରୁ ରାଜନେତା, ସେ ଆଜି ସ୍ବପ୍ନର ସହର ମୁମ୍ବାଇ ଛାଡ଼ି ଫେରି ଆସିଛନ୍ତି ନିଜ ଭିଟାମାଟିକୁ। କିଛି ଦିନ ଆଗରୁ  ବଡ ବଡ ସେଲିବ୍ରିଟିଙ୍କ କୋଟ୍ ତିଆରି କଥା ଉଠିଲେ ଖୋଜାପଡୁଥିଲେ ଶୁକଦେବ । ଆଉ ନିଜର କାରିଗରୀର କମାଲ ଦେଖାଇ ସିନେ ଷ୍ଟାରଙ୍କୁ ମନମୋହନ୍ତି ଶୁକଦେବ । ତାଙ୍କ ହାତ ସିଲେଇ କୋଟ୍ ପିନ୍ଧିବାକୁ ମାୟାନଗରୀର ନାମିଦାମୀ କଳାକାରଙ୍କ ଭିଡ ଜମେ ।

ଶୁକଦେବ ସାହୁ । ଆଠଗଡ କଖଡି ଗାଁର ଜଣେ ଦର୍ଜି କାରିଗର । ପାଠପଢା ସରିବା ପରେ ବଞ୍ଚିବା ପାଇଁ ରୋଜଗାର କରିବାକୁ ବମ୍ବେ ଯାଇଥିଲେ । ସେଠାରେ ଏକ କାରଖାନାରେ କାମ କରୁ କରୁ ସେ ବନିଗଲେ ଟେଲର୍ ମାଷ୍ଟର । ନୂଆ ନୂଆ ଷ୍ଟାଇଲ୍ ସହ ସୁନ୍ଦର ଓ ଆକର୍ଷଣୀୟ କଟିଂ ପାଇଁ ଶୁକଦେବଙ୍କ ଫିଲ୍ମ ଇଣ୍ଡଷ୍ଟ୍ରିରେ ବି ନାମ କମାଇଲେ । ତେବେ କୋଟ୍ ତିଆରି ପାଇଁ ବଲିଉଡର ପ୍ରାୟ ଅଭିନେତାଙ୍କ ପ୍ରଥମ ପସନ୍ଦ ଥିଲେ ଶୁକଦେବ ।

India TV ( Mumbai ) 

ମଫସଲରୁ ଯାଇ ମାୟାନଗରୀରେ ନାଁ କମେଇବା, ପରିଚୟ ସୃଷ୍ଟି କରିବା ସହଜ କଥା ନୁହେଁ । ମାତ୍ର ସଙ୍ଘର୍ଷ କରି, ନିଜ ପରିଶ୍ରମ ବଳରେ ସମସ୍ତଙ୍କ ପ୍ରିୟ ପାଲଟିଥିଲେ ଶୁକଦେବ । ରାଜନେତାରୁ ଅଭିନେତା, ବିଗ ବିଙ୍କ ଠାରୁ ଓମ ପୁରୀ, ହ୍ରିତିକ୍ ରୋଶନଙ୍କଠୁ ଶାହରୁଖ ଖାନ୍ । ଅଜୟ ଦେବଗନଙ୍କଠୁ ଅମିର ଖାନ୍ ଏବଂ ଏବେ ଶ୍ରମିକଙ୍କ ଭଗବାନ ସାଜିଥିବା ସୋନୁ ସୁଦଙ୍କର ମଧ୍ୟ କୋଟ୍ ବନେଇଛନ୍ତି ସେ । ହେଲେ ଏବେ କରୋନା ପାଇଁ ଶୁକଦେବଙ୍କ ସବୁ ଖୁସି ମଉଳିଯାଇଛି, ମାୟାନଗରୀରୁ ଫେରି ଆସିଛନ୍ତି ଗାଁକୁ।

କରୋନା କଟକଣା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ବନ୍ଦ ଥିବାରୁ ଶୁକଦେବ ବେଉସା ବୁଡିଛି । କାରବାର ନ ହେବାରୁ ସେ ମୁମ୍ବାଇରୁ ନିଜ ଗାଁକୁ ଫେରି ଆସିଥିଲେ । ଆଉ ସେବେଠାରୁ ଗତ ୫ ମାସ ହେବ ବିନା କାମଧନ୍ଦାରେ ଘରେ ରହିଛନ୍ତି । ମୁମ୍ବାଇରେ ଭଲ ରୋଜଗାର ହେଉଥିବାରୁ ସେଠାରେ ସ୍ତ୍ରୀ, ପିଲାଛୁଆଙ୍କୁ ନେଇ ରହୁଥିଲେ । ହେଲେ ଏବେ ସବୁ ସ୍ୱପ୍ନ ବୁଡିଯିବା ପରେ ଆଉ ମୁମ୍ବାଇ ଫେରିଯିବାକୁ ଇଚ୍ଛା ନାହିଁ । ତେଣୁ ଓଡିଆ ସିନେ ଜଗତରେ ଯଦି ଶୁକଦେବଙ୍କ ଗୁଣ ଚିହ୍ନି ତାଙ୍କ କାରିଗରୀ ଦେଖି ବଡ ବଡ ହିରୋମାନେ ନିଜ ପାଇଁ କୋଟ୍ ସିଲେଇ କରାନ୍ତେ ତେବେ ଓଡ଼ିଶାର ଜଣେ ପ୍ରତିଭାବାନ ବ୍ୟକ୍ତିଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡନ୍ତାନି ।

ସମ୍ବନ୍ଧିତ ଖବର