‌ଷ୍ଟ୍ରିଟ୍‌ ଡ୍ୟାନ୍ସର ସୌମ୍ୟ, ପାର୍କରେ ଲୋକଙ୍କ ମନୋରଂଜନ ସହିତ ଦୂର କରୁଛନ୍ତି ମାନସିକ ଚାପ

କଟକ: ହଠାତ ପାର୍କ ଭିତରେ ନଜର ପଡିବ, ଜଣେ ଯୁବକ ପୁରା ଉତ୍ସାହର ସହ ନାଚି ଚାଲିଛନ୍ତି। ଆଉ ତାଙ୍କୁ ଲୋକେ ଘେରି ରହି ଦେଖିବା ସହିତ ତାଳି ମାରି ଉତ୍ସାହିତ କରୁଛନ୍ତି। କଟକର ବିଭିନ୍ନ ପାର୍କରେ ଷ୍ଟ୍ରିଟ୍‌ ଡ୍ୟାନ୍ସର ମଜା ଦେବା ସହିତ ମାନସିକ ଚାପରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ଏପରି ଏକ ଭିନ୍ନ ଉଦ୍ୟମ କରିଛନ୍ତି ସୌମ୍ୟ ରଞ୍ଜନ ସ୍ବାଇଁ। କେନ୍ଦ୍ରାପଡ଼ାର ମୂଳବାସିନ୍ଦା, କଟକ ବାଦାମବାଡ଼ିରେ ରହୁଥିବା ଅକ୍ଷୟ କୁମାର ସ୍ବାଇଁ ଓ ମଞ୍ଜୁଳା ଜ୍ୟୋତି ସ୍ବାଇଁଙ୍କ ସାନପୁଅ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ବୟସ ୧୮ ବର୍ଷ। ଡକ୍ଟର ହରେକୃଷ୍ଣ ମହତାବ ସଂସ୍କୃତ କଲେଜର ଯୁକ୍ତ ଦୁଇର ପ୍ରଥମ ବର୍ଷର ଛାତ୍ର। ଦୁଇ ବର୍ଷ ହେବ ନୃତ୍ୟ ଶିଖି ସେ ଏବେ ପାଲଟିଛନ୍ତି ଷ୍ଟ୍ରିଟ୍‌ ଡ୍ୟାନ୍ସର। ସହରର ବିଭିନ୍ନ ପାର୍କ ମାନଙ୍କୁ ଯାଇ ସେ ୪ ଟାରୁ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ଏଭଳି ଡ୍ୟାନ୍ସ କରି ‌ଲୋକଙ୍କ ମନୋରଞ୍ଜନ କରୁଛନ୍ତି। ସେ ପ୍ରଥମେ ଖାନନଗର ପାର୍କରୁ ଆରମ୍ଭ କରିଥିଲେ ଏହି ଷ୍ଟ୍ରିଟ୍‌ ଡ୍ୟାନ୍ସ। ପରେ କଟକ ସହରରେ ଥିବା ସତ୍ୟବ୍ରତ ଷ୍ଟାଡ଼ିୟମ ନିକଟରେ ଥିବା ପାର୍କ, ବୁଖାରୀ ବାବା ମସଜିଦ ନିକଟ ପାର୍କ ଓ ମଧୁକୁଞ୍ଜ ପାର୍କ ଠାରେ ଏହି ନୃତ୍ୟ ପରିବେଷଣ କରି ଆସୁଛନ୍ତି। ହେ‌ଲେ ଏବେ ଅନ୍ୟ ପାର୍କକୁ ଏବେ ନ ଯାଇ ପାରି କେବଳ ବିଜୁପଟ୍ଟନାୟକ ଛକ ସ୍ଥିତ ମଧୁକୁଞ୍ଜ ପାର୍କ ଠାରେ ସପ୍ତାହକୁ ଚାରିଦିନ ଷ୍ଟ୍ରିଟ୍‌ ଡ୍ୟାନ୍ସ କରୁଛନ୍ତି ସେ। ଏହା ସହ ସେ ମିମିକ୍ରି, ଡବିଂ ମଧ୍ୟ କରିଥାନ୍ତି।

ଏଭଳି ଷ୍ଟ୍ରିଟ୍‌ ଡ୍ୟାନ୍‌ସର ଚାହିଦା ବିଦେଶ‌ରେ ଅଧିକ
ପାଠପଢ଼ା ସହ ସବୁବେଳେ ନୃତ୍ୟକୁ ଅଧିକ ଗୁରୁତ୍ବ ଦେଇଥାଏ। ଦୁଇ ବର୍ଷ ନୃତ୍ୟ ଶିଖିଛି। ବିଦେଶରେ ଏହି ଷ୍ଟ୍ରିଟ୍‌ ଡ୍ୟାନ୍ସ ଅଧିକ ପରିବେଷଣ ହୋଇଥାଏ। ହେଲେ ଓଡ଼ିଶାରେ ଏହାର କୌଣସି ଗୁରୁତ୍ବ ରହିନାହିଁ। ଏହାକୁ ଲୋକଲୋଚନକୁ ଆଣିବା ପାଇଁ ମୁଁ ପାର୍କରେ ଏହି ଷ୍ଟ୍ରିଟ୍‌ ଡ୍ୟାନ୍ସ କରିବା ଆରମ୍ଭ କରିଛି। ପ୍ରଥମେ ଲୋକେ ପସନ୍ଦ କରୁ ନଥିଲେ। ହେଲେ କୌଣସି କଥାକୁ ଖାତିର ନ କରି ଏହା ବଜାୟ ରଖିଲି। ପରେ ଧୀରେ ଧୀରେ ପାର୍କ ଆସୁଥିବା ଲୋକ ମୋ ଡ୍ୟାନ୍ସ ଦେଖିବା ସହ ସାଙ୍ଗରେ ଆଣିଥିବା ପିଲାଙ୍କୁ ମୋ ସହ ନାଚିବା ପାଇଁ ଛାଡ଼ିଲେ। ଏପରିକି ‌ନିଜ ପିଲାଙ୍କୁ ନୃତ୍ୟ ପ୍ରିଶକ୍ଷଣ ଦେବାକୁ ମଧ୍ୟ ଲୋକ ମୋତେ ସୁଯୋଗ ଦେଇଛନ୍ତି। ଏଥିପାଇଁ ମୋ ବାପା ମା’ଙ୍କୁ ସମସ୍ତ ଶ୍ରେୟ ଦେବି। ଆଗାମୀ ଦିନରେ ଏହି ଷ୍ଟ୍ରିଟ୍‌ ଡ୍ୟାନ୍ସ ବଜାୟ ରଖିବା ସହ ଯେଉଁ ମାନେ ନିଜ ନୃତ୍ୟ କଳାକୁ ଲୁଚାଇ ରଖିଛନ୍ତି ସେମାନଙ୍କୁ ଏଥିରେ ସାମିଲ କରିବା ଲକ୍ଷ୍ୟ ରଖିଛି।
ସୌମ୍ୟରଂଜନ ସ୍ବାଇଁ

Sambad

 

‌ସୁନ୍ଦର ଚିନ୍ତାଧାରା
ଅତି କମ୍ ବୟସରେ ଏପରି ଚିନ୍ତା ସ୍ବାଗତଯୋଗ୍ୟ। ପାର୍କରେ ଲୋକଙ୍କୁ ମନୋରଞ୍ଜନ କରିବା ଖୁବ୍‌ ଭଲ ବିଚାର। ମୁଁ ଖାନନଗରରୁ ପ‌୍ରତ୍ୟେକ ଦିନ ସୌମ୍ୟଙ୍କ ନୃତ୍ୟ ଦେଖିବା ପାଇଁ ଆସିଥାଏ। ଆଶା ରହିଛି ସୌମ୍ୟ ଏପରି ଲୋକଙ୍କୁ ମନୋରଞ୍ଜନ କରିବା ଜାରି ରଖିବେ।
ବୁବୁନ ପଣ୍ତା

ମାନସିକ ଚାପ ଦୂର କରୁଛି
‌ଯେବେ ବି ମନ ଭଲ ନଥାଏ ମୁଁ ଏହି ପାର୍କ ଆସିଥାଏ ସୌମ୍ୟଙ୍କ ନୃତ୍ୟ ଦେଖିବା ପାଇଁ। ବହୁ ଲୋକ ନୃତ୍ୟ ଦେଖିବାକୁ ବ୍ୟାକୁଳ ହୋଇ ରହୁଛନ୍ତି। ସେ ଆଗାମୀ ଦିନରେ ଏପରି ଲୋକଙ୍କୁ ଖୁସି କରାଇବା ପ୍ରୟାସ ଜାରି ରଖିବେ ବୋଲି ଆଶା କରୁଛି।
ପୂଜା ନାୟକ

ସମ୍ବନ୍ଧିତ ଖବର