ସେକ୍ଟର-୧୩; ‘ଫନି’ ପରଠାରୁ ଷ୍ଟ୍ରିଟ୍ ଲାଇଟ୍‌ ଅଚଳ, ୯୩ ଲକ୍ଷ ଟଙ୍କା ମଞ୍ଜୁର ପରେ ବି ଆରମ୍ଭ ହେଉନି କାମ

ସିଡିଏ: ସିଡିଏ ସେକ୍ଟର-୧୩ ଅଞ୍ଚଳରେ ଲାଗିଥିବା ୫୦ଟି ଷ୍ଟ୍ରିଟ୍‌ଲାଇଟ୍‌ ୨୦୧୯ ମେ’ ମାସ ୩ ତାରିଖରେ ଘଟିଥିବା ଫନି ବାତ୍ୟା ପରଠାରୁ ଆଜିଯାଏ ଅଚଳ ହୋଇ ପଡ଼ି ରହିଛି। ସ୍ଥାନୀୟ ଲୋକେ ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ବହୁବାର ଅଭିଯୋଗ କଲାପରେ ବି କେହି ଶୁଣୁ ନାହାନ୍ତି। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ପୂର୍ବରୁ ସିଡିଏ କର୍ତ୍ତୃପକ୍ଷ ପ୍ରଥମେ ରାସ୍ତାରେ ୫୦ଟି ଟ୍ୟୁବ୍‌ଲାଇଟ୍‌ ଲଗାଇଥିଲେ। ସେଗୁଡ଼ିକ ମଝିରେ ମଝିରେ ଖରାପ ହେଲେ ବି ମରାମତି କରାଯାଉ ନଥିଲା। ଶେଷରେ ଫନି ବାତ୍ୟାରେ ସବୁ ନଷ୍ଟ ହୋଇଯାଇଥିଲା ଓ ସେବେଠାରୁ ରାସ୍ତାଘାଟ ରାତିରେ ଅନ୍ଧାର ଭିତରେ ରହୁଛି। ଏଠାରେ ଜମି ଆବଣ୍ଟନ ପରେ ଲୋକମାନେ ଯୁଦ୍ଧକାଳୀନ ଭିତ୍ତିରେ ନିଜ ନିଜ ଘର ତିଆରି କରିବାରେ ଲାଗିଛନ୍ତି। ସେମାନଙ୍କ ଗୃହନିର୍ମାଣ ସାମଗ୍ରୀ ସବୁ ରାସ୍ତା ଉପରେ ପଡ଼ି ରହୁଛି। ରାତିବେଳା ଷ୍ଟ୍ରିଟ୍‌ଲାଇଟ୍‌ ଅଚଳ ହେବା କାରଣରୁ ଚୋରମାନେ ସେ ସବୁ ସାମଗ୍ରୀ ଲୁଟି ନେଉଥିବା ଅଭିଯୋଗ ହଉଛି। ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ରାତିରେ ପାଳି କରି ଜଗିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ଅନ୍ଧାର ହେତୁ ମହିଳାମାନେ ରାସ୍ତାରେ ଯିବାକୁ ନିରାପଦ ମଣୁ ନାହାନ୍ତି।

ଛାତ୍ରଛାତ୍ରୀ ସଂଧ୍ୟା ସମୟରେ ଟିଉସନ ଯିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଅସୁବିଧାରୁ ମୁକ୍ତି ପାଇବା ପାଇଁ ଲୋକେ ସିଡିଏ କର୍ତ୍ତୃପକ୍ଷଙ୍କ ନିକଟରେ ଯେତେ ଗୁହାରି କଲେବି କେହି ଶୁଣୁ ନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏବେ ସିଡିଏର ଦୁଇ ଗୁରୁତ୍ବପୂର୍ଣ୍ଣ ପଦବି ଯଥା; ଉପାଧ୍ୟକ୍ଷ ଏବଂ ସଂପାଦକ ପଦବି ଖାଲି ଖାଲି ପଡ଼ିଥିବା ବେଳେ ଜିଲ୍ଲାପାଳ ଉପାଧ୍ୟକ୍ଷ ତଥା ସିଏମ୍‌ସି କମିସନର ସଂପାଦକ ଭାବେ ଅତିରିକ୍ତ ଦାୟିତ୍ଵରେ ଅବସ୍ଥାପିତ ହୋଇଛନ୍ତି। ଦୁଇ ଦାୟିତ୍ବରେ ରହିବା ହେତୁ ସେମାନେ ସିଡିଏ ଅଫିସ ପାଇଁ ଯଥେଷ୍ଟ ସମୟ ଦେଇ ପାରୁ ନାହାନ୍ତି କି କାମ ସଠିକ ଢଙ୍ଗରେ କରି ପାରୁ ନାହାନ୍ତି। ଫଳରେ ଲୋକେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି ସିନା କାମ କିଛି ହେଉ ନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ, ଏବେ ସିଡିଏ ଅଞ୍ଚଳରେ ବିଷାକ୍ତ ସାପଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଦିନ ବେଳା ବି ରାସ୍ତାରେ ବିଷାକ୍ତ ସାପ ବୁଲୁଥିବା ଦେଖାଯାଉଛି। ରାତିରେ ଲୋକମାନେ ରାସ୍ତାରେ ଯିବାକୁ ଭୟ କରୁଛନ୍ତି। ପ୍ରଶାସନ ତୁରନ୍ତ ଏହି ରାସ୍ତାରେ ଷ୍ଟ୍ରିଟ୍‌ଲାଇଟ୍‌ ଲଗାଇବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧିତ ଖବର