ଚାଉଳିଆଗଞ୍ଜରେ ବସ୍ତି ଥଇଥାନକୁ ନା’; ଅଦ୍ଭୂତପୂର୍ବ ଜନ ଆନ୍ଦୋଳନ; ରାଜପଥ ଜାମ୍, ଦୋକାନବଜାର ବନ୍ଦ

୫ ଦିନ ବସ୍ତି କାମ ବନ୍ଦ ଘୋଷଣା କଲେ ବିଧାୟକ; ପ୍ରଶାସନ ସହିତ ଆଲୋଚନା କରିବ ପ୍ରତିନିଧିମଣ୍ଡଳୀ

କଟକ/ମହାନଦୀବିହାର: ଷଷ୍ଠ ବାଟାଲିୟନ କ୍ବାର୍ଟର ଉଚ୍ଛେଦ କରି ସେଠାରେ ବସ୍ତିବାସିନ୍ଦାଙ୍କୁ ଥଇଥାନ ପ୍ରତିବାଦରେ ଆରମ୍ଭ ହୋଇଥିବା ଜନ ଆନ୍ଦୋଳନ ଆଜି ବିରାଟ ରୂପ ନେଇଛି। ଚାଉଳିଆଗଞ୍ଜ ବାସିନ୍ଦାଙ୍କ ସହିତ ପୂର୍ବାଞ୍ଚଳର ଆଜି ହଜାର ହଜାର ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏଭଳି ବିଶାଳ ଜନ ଆନ୍ଦୋଳନ‌ ଅଞ୍ଚଳରେ ଅଦ୍ଭୂତପୂର୍ବ ବୋଲି ଅନେକ ମତ ଦେଇଛନ୍ତି। ଚାଉଳିଆଗଂଜ ଅଞ୍ଚଳର ସମସ୍ତ ଦୋକାନବଜାର ବନ୍ଦ ରହିଥିବା ବେଳେ ଓଏମପି ନିକଟରେ ଧାରଣା ଯୋଗୁଁ ରାଜପଥ ଜାମ୍ ହୋଇଯାଇଛି। ଆନ୍ଦୋଳନରତ ଅଞ୍ଚଳବାସୀଙ୍କ ଦାବିକୁ ସମ୍ମାନ ଜଣାଇ ବସ୍ତି କାମ ୫ ଦିନ ସ୍ଥଗିତ ରଖିବାକୁ ଆଜି ଘୋଷଣା କରାଯିବା ପରେ ଆନ୍ଦାଳନ ସ୍ଥଗିତ ରଖାଯାଇଛି।
ପୂର୍ବ ନିଷ୍ପତ୍ତି ମୁତାବକ ଆଜି ସକାଳ ୭ଟା ସମୟ‌େର ସମସ୍ତ ଚାଉଳିଆଗଞ୍ଜବାସୀ ଏକାଠି ହୋଇଥିଲେ। ଗତକାଲି ରାତିରେ ଘରକୁ ଘର ବୁଲି ଏ ନେଇ ସୂଚନା ଦିଆଯାଇଥିବା ବେଳେ ସକାଳ ୮ଟା ପରେ ଚାଉଳିଆଗଞ୍ଜ ଖେଳ ପଡିଆରେ ଭିଡ ବଢିବା ଆରମ୍ଭ ହୋଇଥିଲା। ଏକାଠି ହେବା ପରେ ୧୦ଟା ୧୫ରେ ଚାଉଳିଆଗଞ୍ଜ ଖେଳ ପଡିଆରୁ ଶୋଭାଯାତ୍ରା ବାହାରିଥିଲା।

ମହିଳାମାନେ ଆଗରେ ଥିଲେ। ଯୁବକମାନେ ମଝିରେ ଓ ମୁରବିମାନେ ଶୋଭାଯାତ୍ରାର ପଛରେ ରହିଥିଲେ। ଏହି ଶୋଭାଯାତ୍ରା ବାହାରି ପୂର୍ବ ଘୋଷଣା ଅନୁସାରେ ଓଏମପି ଗୋଲେଇ ଛକରେ ପହଞ୍ଚିଥିଲା। ଏହାପରେ ସମସ୍ତେ ରାସ୍ତା ଉପରେ ବସିଥିଲେ। ବିଶେଷ କରି ମହିଳାମାନେ ଅଧିକ ସଂଖ୍ୟାରେ ଏହି ଆନ୍ଦୋଳନସ୍ଥଳରେ ଉପସ୍ଥିତି ଥିଲେ। ପ୍ରାୟ ଏକ ଘଣ୍ଟା ଧରି ଆନ୍ଦୋଳନକାରୀମାନେ ବସି ରହି ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏଥିରେ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, କଂଗ୍ରେସ ନେତା ସୁରେଶ ମହାପାତ୍ର, ପୂର୍ବାଞ୍ଚଳ ଶାନ୍ତ କମିଟି ସପାଦକ ପ୍ରଫୁଲ୍ଲ କୁମାର ସାହୁ, ରାଣୀହାଟବଜାର ପୂଜା କମିଟି, ବିଦ୍ୟାଧରପୁର ପୂଜା କମିଟି, ତିନିଘରିଆ ପୂଜା କମିଟି ସମେତ ୧୪ଟି ପୂଜା କମିଟିର ପ୍ରତିନିଧି ସାମିଲ ହୋଇଥିଲେ।

Sambad

ସମୟ ପ୍ରାୟ ୧୧ଟା ୨୦ରେ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ଏହାପରେ ବିଧାୟକ ‌େସୗଭିକ ବିଶ୍ବାଳ ସାଙ୍ଗରେ କଟକ ଏଡିଏମଙ୍କୁ ନେଇ ସେଠାରେ ପହଞ୍ଚିଥିଲେ। ଲୋକଙ୍କ ଦାବି ଅନୁସାରେ ୫ ଦିନ ପାଇଁ ବସ୍ତି କାମକୁ ବନ୍ଦ ରଖାଗଲା ବୋଲି ବିଧାୟକ ଓ ଏଡିଏମ ଘୋଷଣା କରିଥିଲେ। ବିଧାୟକ କହିଥିଲେ ମୁଖ୍ୟମନ୍ତ୍ରୀ କାମ ବନ୍ଦ କରିଛନ୍ତି। ୫ ଦିନ ସମୟ ନିଆଗଲା।

ଏକ ପ୍ରତିନିଧି ମଣ୍ଡଳୀ ଯାଇ ଏହି ପ୍ରସଂଗରେ ଆଲୋଚନା କରିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥ‌ା ସ୍ଥିର କରାଯିବ। ବିଧାୟକଙ୍କ ଏହି ଘୋଷଣା ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିଲା। ଆଜି ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀଙ୍କୁ ଦେଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏଥି ପାଇଁ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ୧୦ରୁ ଅଧିକ ଇନ୍ସପେକ୍ଟର, ୪ ଏସିପି, ୨ ଜଣ ଅତିରିକ୍ତ ଏସପିଙ୍କୁ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବା ଦାୟିତ୍ବ ଦିଆଯାଇଥିଲା। ଆଜି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ଉଦୟନାଥ ବେହେରା, ପ୍ରକାଶ ଦାସ. ଟୁକୁନା ପୃଷ୍ଟି, ଜଟିଆ ପାତ୍ର, ଚନ୍ଦ୍ରକାନ୍ତ ସାହୁ, ସୁକାନ୍ତ ସାହାଣୀ, ସୀତା ସାହୁ, ସୁନୀଲ ସାହୁ, ନିରଂଜନ ସାହୁ (ଚଗଲା), ଅରକ୍ଷୀତ ସାହୁ, ଜଗନ୍ନାଥ ମଲ୍ଲିକ, ବାପି ସାହୁ, ରାଜେଶ ସାହାଣୀ, ମିନତୀ ସାହୁ, ଲିପିକା ରାୟ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର