ଆଡ୍‌ମିଟ୍‌ କାର୍ଡ ନଥିବାରୁ ଦଶମ ଛାତ୍ର ଏସ୍‌ଏ-୧ ପରୀକ୍ଷାରୁ ବଞ୍ଚିତ ଘଟଣା

ବୋର୍ଡ ପକ୍ଷରୁ କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଓ ଜିଲ୍ଲା ଅଧିକାରୀଙ୍କୁ କାରଣଦର୍ଶାଅ ନୋଟିସ୍‌

କଟକ: ଆଡ୍‌ମିଟ୍‌ କାର୍ଡ ନଥିବାରୁ ଜଣେ ଛାତ୍ର ଗତକାଲି ମାଟ୍ରିକ ସମେଟିଭ୍‌ ଆସେସ୍‌ମେଣ୍ଟ (ଏସ୍‌ଏ-୧) ପରୀକ୍ଷାରୁ ବଞ୍ଜିତ ହେବା ଘଟଣାରେ ଆଜି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ରାଣୀହାଟ ହାଇସ୍କୁଲ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ସେପଟେ ଆସନ୍ତାକାଲି ପରୀକ୍ଷା ଶେଷ ହେବାପରେ ଘଟଣାର ତଦନ୍ତ କରି ବୋର୍ଡକୁ ରିପୋର୍ଟ ପ୍ରଦାନ କରିବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି। ସୂଚନା ଅନୁଯାୟୀ ଗତକାଲି ମାଟ୍ରିକ ସମେଟିଭ୍‌ ଆସେସ୍‌ମେଣ୍ଟ ପରୀକ୍ଷା ଆରମ୍ଭ ହୋଇଥିଲା। ଏଥିରେ ବାଦାମବାଡ଼ି ନ୍ୟୁ କଲୋନି ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ରାଣୀହାଟ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ହୋଇଛି। ବାଦାମବାଡ଼ି ନ୍ୟୁ କଲୋନି ହାଇସ୍କୁଲର ଛାତ୍ର ଦୀପକ ମହାନ୍ତି ରାଣୀହାଟ ହାଇସ୍କୁଲ ପରୀକ୍ଷା କେନ୍ଦ୍ରକୁ ଏସ୍ଏ-୧ ପରୀକ୍ଷା ଦେବାକୁ ଯାଇଥିଲେ। କିନ୍ତୁ ଦୀପକ ତାଙ୍କ ଆଡମିଟ୍ କାର୍ଡ ହଜାଇ ଦେଇଥିବାରୁ ପରୀକ୍ଷା କେନ୍ଦ୍ରରେ ତାଙ୍କୁ ପ୍ରବେଶ ମିଳି ନଥିଲା। ଏହାକୁ ନେଇ ଦୀପକଙ୍କ ବାପା ପ୍ରଫୁଲ ମହାନ୍ତି କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ଭେଟିବାକୁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ କେନ୍ଦ୍ର ଭିତରକୁ ଛାଡ଼ାଯାଇ ନଥିଲେ। ଶେଷରେ ଶ୍ରୀ ମହାନ୍ତି ବାଦାମବାଡି ନ୍ୟୁ କଲୋନି ହାଇସ୍କୁଲକୁ ଆସି ପ୍ରଧାନଶିକ୍ଷୟିତ୍ରୀ ଦୁର୍ଗେଶନନ୍ଦିନୀ ଦାଶଙ୍କୁ ଭେଟିଥିଲେ।

ଶ୍ରୀମତି ଦାଶ ନେଟ୍‌ରୁ ଦୀପକଙ୍କ ଆଡ୍‌ମିଟ୍‌ କାର୍ଡ ବାହର କରି ଦେଇଥିଲେ। ଏହି ଆଡମିଟ୍ କାର୍ଡ ଦେଖିଲା ପରେ ମଧ୍ୟ ତାଙ୍କୁ କେନ୍ଦ୍ରକୁ ପ୍ରବେଶ ମିଳି ନଥିଲା। ଏସବୁ ମଧ୍ୟରେ ପ୍ରଥମ ସିଟିଂ ଓଡ଼ିଆ ପରୀକ୍ଷା ସମୟ ଅଧାଅଧି ହୋଇଯାଇଥିଲା। କିଛି ଅଭିଭାବକ ପୁଲିସକୁ ଡାକିବା ପରେ ପୁଲିସ୍ ଗେଟ୍‌ରେ କହିବାରୁ ଦୀପକଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ମିଳିଥିଲା। କିନ୍ତୁ ଏହି ଆଡ୍‌ମିଟ୍ କାର୍ଡରେ ଛାତ୍ରଙ୍କ ସ୍ବାକ୍ଷର ନଥିବାରୁ ତାହା ବୈଧ ନୁହେଁ ବୋଲି ରାଣୀହାଟ ହାଇସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଅଞ୍ଚୁବାଳା ବେହେରା କହିଥିଲେ। ପରେ ବାଦାମବାଡ଼ି ନ୍ୟୁ କଲୋନି ପ୍ରଧାନଶିକ୍ଷୟିତ୍ରୀ ଦୁର୍ଗେଶନନ୍ଦିନୀ ଦାଶ ଫୋନ କରି ଦୀପକଙ୍କୁ ପରୀକ୍ଷା ଦେବାକୁ କହିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନଥିଲା। ଏସବୁ ଭିତରେ ପ୍ରଥମ ସିଟିଂ ଓଡ଼ିଆ ପରୀକ୍ଷା ସରି ଯାଇଥିଲା। ଫଳରେ ଦୀପକ ପ୍ରଥମ ସିଟିଂ ପରୀକ୍ଷା ଦେଇପାରି ନଥିଲେ। ବହୁ ଅନୁରୋଧ ପରେ ଦୀପକଙ୍କୁ ଦ୍ୱିତୀୟ ସିଟିଂ ଗଣିତ ପରୀକ୍ଷା ଅଧାରୁ ବସିବାକୁ ସୁଯୋଗ ମିଳିଥିଲା। ଏହି ଘଟଣା ଆଜି ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବୋର୍ଡ ପକ୍ଷରୁ ରାଣୀହାଟ ହାଇସ୍କୁଲ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ଆସନ୍ତାକାଲି ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ ଏହାର ତଦନ୍ତ କରି ବୋର୍ଡକୁ ‌ରିପୋର୍ଟ ଦେବେ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର