ଛାତ୍ରଙ୍କ ହାତରେ ‘କଟକ ଇନ୍‌ କଟକ’

କଟକ: ‘କଟକ ଇନ୍ କଟକ’ ମଡ଼େଲ ତିଆରିରେ ନିୟୋଜିତ ରହିଛନ୍ତି ୧୨ ଜଣ ଛାତ୍ର ଭୁବନେଶରସ୍ଥିତ ବିକେ ଆର୍ଟ କଲେଜର ବିଭିଏ ଦ୍ୱିତୀୟବର୍ଷ ଓ ତୃତୀୟବର୍ଷ ଛାତ୍ରମାନେ ପାଠପଢ଼ା ସହ ଏହି ମଡେଲ ନିର୍ମାଣ କରୁଛନ୍ତି। ଆଜିକୁ ୨୦ ଦିନ ହେବ ବାଲିଯାତ୍ରା ପଡ଼ିଆଠାରେ ଭୁବନେଶ୍ଵରର ସୁଚିତ୍ରା ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାର ୨୫ ଜଣିଆ ଟିମ୍ କଟକ ବାଲିଯାତ୍ରା ପଡ଼ିଆଠାରେ ଏହି ମଡେଲ୍ ନିର୍ମାଣ କରୁଛନ୍ତି। ୨୫ ଜଣିଆ ଟିମ୍‌ରେ କାଠ କାରିଗରଙ୍କ ସମେତ ରହିଛନ୍ତି ୧୨ ଜଣ ଛାତ୍ର। ପୂର୍ବରୁ ଏହି ଛାତ୍ରମାନେ ହାଇଦ୍ରାବାଦ୍, ଦିଲ୍ଲୀ ସମେତ ଝାଡ଼ଖଣ୍ଡ, ରାଉରକେଲା, ସୁନ୍ଦରଗଡ଼, ଯାଜପୁର ଇତ୍ୟାଦି ସ୍ଥାନରେ ଏହପରି ମଡେଲ୍ ନିର୍ମାଣ କରିଛନ୍ତି। ପ୍ଲାଏ, ସୋଲ, କାଠ ଦ୍ବାରା ନିର୍ମାଣ ହେଉଛି ଏହି ‘କଟକ ଇନ୍ କଟକ’ ମଡେଲ୍। ଚଳିତବର୍ଷ ବାଲିଯାତ୍ରାରେ କଟକର ଐତିହ୍ୟପୂର୍ଣ୍ଣ ସ୍ଥାନକୁ ସ୍ଥାନିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଆରା ଉଦ୍ୟମ ‘କଟକ ଇନ୍ କଟକ’ ଆୟୋଜନ କରାଯାଉଛି। ଏଥିରେ ଧବଳେଶ୍ଵର ମନ୍ଦିର, ମସ୍ତିଦ, ଗୁରୁଦ୍ଵାର, ଚର୍ସ ଓ ସ୍ପେସାଲ ଏନକ୍ଲୋଜର୍ ପ୍ରବେଶ ପଥରେ ହାଇକୋର୍ଟର ମଡେଲ ସ୍ଥାନିତ କରାଯିବ।

 

କଟକବାସୀ ଆକର୍ଷିତ ହେବେ– ଧବଳେଶ୍ଵର ମନ୍ଦିର ମଡେଲର୍ ଆର୍ଟ କାମ ମୁଁ କରୁଛି। ଆଜିକୁ ୩ ରୁ ୪ ବର୍ଷ ହେବ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଏପରି କାମ କରୁଛି। କଟକରେ ଏହି ମଡେଲ କାମ କରୁଥିବାରୁ ବହୁତ୍ ଖୁସି। ଆମ କାମ କଟକବାସୀଙ୍କୁ ଆକର୍ଷିତ କରିବ ବୋଲି କହିଛନ୍ତି ଛାତ୍ର ଦୀପ୍ତିରଞ୍ଜନ ନାୟକ।

୧୦ରୁ ୧୨ଘଣ୍ଟା ପରିଶ୍ରମ କରୁଛୁ- ମଡେଲ୍ ତିଆରିରେ ମୁଖ୍ୟତଃ ମୁ ସୋଲ କଟିଂ ଓ ଫିଲିଂ କାମ କରିଥାଏ । ପ୍ରତ୍ୟେକ ଦିନ ୧୦
ରୁ ୧୨ଘଣ୍ଟା ମଡେଲ୍‌ ପାଇଁ କାମ କରୁଛୁ। ପାଠପଢ଼ା ମଧ୍ୟ ଜାରି ରଖିଛୁ । ପୂର୍ବରୁ ଏପରି ବହୁ ମଡେଲ କାମ କରିଛୁ, ହେଲେ କଟକ
ବାଲିଯାତ୍ରାରେ ପ୍ରଥମ କରି କରୁଛୁ ବୋଲି କହିଛନ୍ତି ଛାତ୍ର ବାସୁଦେବ ବେହେରା।

ବହୁତ ଖୁସି ଲାଗୁଛି- ଏଥର ବାଲିଯାତ୍ରାରେ ‘କଟକ ଇନ୍ କଟକ’ ମୁଖ୍ୟ ଆକର୍ଷଣ ପାଲଟିବ ଏଥିରେ ସମସ୍ତ ଐତିହ୍ୟ ଜାଗାକୁ ସ୍ଥାନିତ
କରାଯାଉଛି । ପୂର୍ବରୁ ଏପରି ବହୁ ମଡେଲ୍ କାମ କରିଛି, ହେଲେ ବାଲିଯାତ୍ରାରେ ଏପରି କାମ କରି ଖୁସି ଅନୁଭବ ହେଉଛି ବୋଲି କହିଛନ୍ତି ଛ‌ାତ୍ର ଶ୍ରଦ୍ଧାନନ୍ଦ ମଲ୍ଲିକ।

ବାଲିଯାତ୍ରାକୁ ଆକର୍ଷିତ କରିବା ଲକ୍ଷ୍ୟ- ଦୁଇବର୍ଷ ପରେ କଟକ ବାଲିଯାତ୍ରା ହେଉଛି। ସେଥିରେ ଯେପରି ‘କଟକ ଇନ୍ କଟକ’ର ଏହି ମଡେଲ୍‌ଗୁଡ଼ିକ ମୁଖ୍ୟ ଆକର୍ଷଣ ହେବ ସେଥିପାଇଁ ସମସ୍ତେ ଚେଷ୍ଟା କରୁଛୁ। ପରିଶ୍ରମର ଭଲ ଫଳ ମିଳିବ ବୋଲି ଆଶା ବୋଲି କହିଛନ୍ତି ଛାତ୍ର କୃଷ୍ଣଚନ୍ଦ୍ର ପାତ୍ର।

ସମ୍ବନ୍ଧିତ ଖବର