ସ୍କୁଲ ଯିବା ବାଟରୁ ଛାତ୍ରକୁ ଉଠାଇନେଇ ହତ୍ୟା

ଆତ୍ମହତ୍ୟାର ରୂପ ଦେବାକୁ ମୃତଦେହକୁ ଟାଙ୍ଗି ଦେଲେ ଗଛରେ

ମୃତଦେହ ରଖି ଅଭିଯୁକ୍ତଙ୍କ ଘର ସମ୍ମୁଖରେ ଧାରଣା

କଟକ : ସ୍କୁଲ ଯିବା ବାଟରୁ ଉଠାଇ ନେଲେ ଅଷ୍ଟମ ଶ୍ରେଣୀ ଛାତ୍ର ସୁବ୍ରତ ବେହେରା(୧୩)ଙ୍କୁ। ତଣ୍ଟିଚିପି ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେବାକୁ ମହୁଲ ଗଛରେ ମୃତଦେହକୁ ଗାମୁଛାରେ ବାନ୍ଧି ଟାଙ୍ଗି ଦେଲେ। ଏ ଭଳି ଏକ ଅଭିଯୋଗ କଟକ ଜିଲ୍ଲାର ନରସିଂହପୁର ଥାନା ବାଲିସାହି ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏସଂପର୍କରେ ମୃତ ଛାତ୍ରର ବାପା ରମେଶ ବେହେରାଙ୍କ ଅଭିଯୋଗକ୍ରମେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଘଟଣାକୁ ନେଇ ବାଲିସାହିରେ ଉତ୍ତେଜନା ପ୍ରକାଶ ପାଇଛି। ମୃତଦେହକୁ ଆଣି ପରିବାରବର୍ଗ ପଡୋଶୀଙ୍କ ଘର ସମ୍ମୁଖରେ ଧାରଣା ଦେବା ସହ ତାଙ୍କୁ ଗିରଫ ଦାବିରେ ଜଗିବସିଛନ୍ତି। ଆଠଗଡ ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ, ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନରସିଂହପୁର ଥାନା ବାଲିସାହି ଗ୍ରାମର ରମେଶ ବେହେରାଙ୍କ ପୁଅ ସୁବ୍ରତ ବେହେରା(୧୩) ସ୍ଥାନୀୟ ମୁକ୍ତାନାଥ ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପଢନ୍ତି। ସୁବ୍ରତ ଓ ସାନ ଭାଇ ଦୁଷ୍ମନ୍ତ ସ୍କୁଲ ଯାଉଥିବା ବାଟରେ ପଡୋଶୀ ଘରର ଚିତ୍ତରଂଜନ ସାହୁ ଉଠାଇନେଇ ତଣ୍ଟିଚିପି ହତ୍ୟା କରି କରି ଆତ୍ମହତ୍ୟାର ରୂପ ଦେବାକୁ ଯାଇ ମୃତଦେହକୁ ଗାମୁଛାରେ ବାନ୍ଧି ଖଳିପଦାରେ ଥିବା ଏକ ମହୁଲ ଗଛରେ ମୃତଦେହକୁ ଟାଙ୍ଗି ଦେଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ମୃତ ଛାତ୍ର ସୁବ୍ରତଙ୍କ ମା’ କାମିନୀଙ୍କ ଅଭିଯୋଗ ଅନୁସାରେ ପୁଅ ଦିନ ୯ଟାରେ ଗାଧୋଇ ସାରି ନିଜର ଓଦା ପ୍ୟାଣ୍ଟସାର୍ଟ ଛାତ ଉପରେ ଶୁଖାଇ ଘରକୁ ଆସିଥିଲା । ସେ କେବେ କହାକୁ କିଛି କହିନାହିଁ । କିନ୍ତୁ ଦିନ ୧୦ ଟାରେ ସାହିର ଚନ୍ଦ୍ରମଣୀ ସାହୁଙ୍କ ପୁଅ ଚିତ୍ତରଞ୍ଜନ ‘ତୁମ ପୁଅ ଛାତ ଉପରେ ଆମ ଘର ଆଡକୁ ଚାହୁଁଛି …। ମୁଁ ତାକୁ ପିଟି ପିଟି ଆଜି ମାରିଦେବି’ ବୋଲି ଧମକ ଦେଇଥିଲା। ଏ କଥା ଶୁଣିବାପରେ ମୋର ଯା’ ଅଲଙ୍କୁ ତାଙ୍କ ଘରକୁ ପଠାଇଥିଲେ ବୋଲି କହିଛନ୍ତି କାମିନୀ। ନରସିଂହପୁର ଥାନା (କେଶ ନଂ୧୬/୨୦୧୮)ରେ ଧାରା ୩୦୨, ୩୪ ଆଇପିସି ଅନୁଯାୟୀ ମାମଲା ରୁଜୁ ହୋଇଛି। ଖବର ପାଇ ଆଠଗଡ ଏସଡିପିଓ ପ୍ରକାଶ ଚନ୍ଦ୍ର ପାଲ, ନରସିଂହପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରଛନ୍ତି।

ସମ୍ବନ୍ଧିତ ଖବର