ଫର୍ମ ପୂରଣ କରି ପିଲା ପରୀକ୍ଷା ନ ଦେବା ଘଟଣା, ପିଲାଙ୍କ ଅନୁପସ୍ଥିତି ‌ନେଇ ବିଇଓମାନଙ୍କୁ ରିପୋର୍ଟ ମାଗିଲେ ଡିଇଓ!

ରିପୋର୍ଟ ତଲବ ପରେ କମ୍ପନ; ‘ଏକା ପ୍ରକାର ରିପୋର୍ଟ’ ପାଇଁ ଚାଲିଛି ବିଚାରବିମର୍ଶ

କଟକ: ଏତେ ପିଲା ଅନୁପସ୍ଥିତ ରହିଲେ କାହିଁକି? ପ୍ରତି ପିଲାର ଅନୁପସ୍ଥିତି ସଂପର୍କରେ ଠୋସ୍‌ କାରଣ ସହ ପିଲା ଏବେ କେଉଁଠି ଅଛନ୍ତି, କ’ଣ କରୁଛନ୍ତି; ତା’ର ତଥ୍ୟ ସହ ରିପୋର୍ଟ ଦେବାକୁ ଜିଲ୍ଲା ଶିକ୍ଷା ବିଭାଗ ସମସ୍ତ ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ରିପୋର୍ଟ ତଲବ କରାଯିବ। ଆଜି ଛୁଟି ରହିଥିବା ବେଳେ, କାର୍ଯ୍ୟାଳୟ ଖୋଲିଲେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏ ସଂପର୍କରେ ପଦକ୍ଷେପ ଓ ତଦନ୍ତ କରାଯିବ ‌ବୋଲି କଟକ ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ଏଭଳି ରିପୋର୍ଟ ତଲବ ପରଠାରୁ ଶିକ୍ଷା ବିଭାଗରେ କମ୍ପନ ସୃଷ୍ଟି ହେଲାଣି। ସବୁ ବ୍ଲକ୍‌ରେ ଏହାକୁ ନେଇ କ’ଣ ରିପୋର୍ଟ ଦେବେ ସ୍କୁଲ କର୍ତ୍ତୃପକ୍ଷ ତାକୁ ନେଇ ସବୁଠି ଚର୍ଚ୍ଚା। କି’ ପ୍ରକାର ରିପୋର୍ଟ ସବୁ ବ୍ଲକ୍‌ରୁ ଆସିବ ତାକୁ ନେଇ ଗୁପ୍ତ ବୈଠକ ମଧ୍ୟ ଅନୁଷ୍ଠିତ ହେଉଥିବା ଜଣାପଡିଛି। ‘ଏକା ପ୍ରକାର ରିପୋର୍ଟ’ ପ୍ରସ୍ତୁତି ପାଇଁ ଯୋଜନା ଆରମ୍ଭ ହୋଇଥିବା ଜଣାପଡିଛି। ଏଠାରେ ସୂଚନାଯୋଗ୍ୟ, କଟକ ଜିଲ୍ଲାରେ ଚଳିତ ମାଟ୍ରିକ୍‌ ପରୀକ୍ଷାରେ ୩୦,୭୦୪ଜଣ ପିଲା ମାଟ୍ରିକ୍‌ ପରୀକ୍ଷା ଦେବା କଥା। ୨୯ହଜାରରୁ ଅଧିକ ପିଲା ଫର୍ମପୂରଣ କରିଥିବା ବେଳେ ୧୩୨୮ ପିଲା ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଜଣାପଡିଛି। କିଏ ବେଙ୍ଗାଲୁରୁରେ ଯାଇ କାମ କରୁଛି ତ’ ପୁଣି କିଏ ଅନ୍ୟ କୌଣସି ରାଜ୍ୟରେ। କିଏ କାଜୁ ବଗିଚାରେ କାମ କରୁଛି ତ’ ଅନେକ ଝିଅ ପାଠ ଛାଡ଼ି ବିବାହ କରିସାରିଛନ୍ତି। ଜିଲ୍ଲାରେ ପରୀକ୍ଷା ‌ଦେଇ ନଥିବା ପିଲାଙ୍କ ଅବସ୍ଥା ଏଭଳି ଥିବାବେଳେ ଅନେକ ନିଜେ ଫର୍ମ ପୂରଣ କରିନାହାନ୍ତି କି ପରୀକ୍ଷା ସଂପର୍କରେ ଜାଣି ନଥିବା ମଧ୍ୟ କହିଛନ୍ତି। ଏଭଳି ସ୍ଥିତିରେ ସ୍କୁଲ ଆସୁ ନଥିବା ଓ ସଂପର୍କ ନଥିବା ପିଲାଙ୍କ ଫର୍ମ ପୂରଣ କଲା କିଏ? କେଉଁ ଆଧାରରେ ସେମାନଙ୍କ ଫର୍ମ ପୂରଣ କରାଗଲା?.. ତା’ର ତଦନ୍ତ ଜରୁରୀ ହୋଇପଡ଼ିଛି। କୋଭିଡ୍‌ ପାଇଁ ଚଳିତ ଶିକ୍ଷାବର୍ଷରେ ମାଟ୍ରିକ୍‌ ପରୀକ୍ଷା ପାଇଁ ନୂଆ ନିୟମ ଲାଗୁ ହେଲା। ପ୍ରଥମେ ପିଲା ସମ୍ମେଟିଭ୍‌-୧ ପାଇଁ ଫର୍ମ ପୂରଣ କରିବେ ଓ ସମ୍ମେଟିଭ୍‌-୨ ପାଇଁ ପୁଣି ଥରେ ଫର୍ମ ପୂରଣ କରିଥିଲେ। ଯଦି ସମ୍ମେଟିଭ୍‌-୧ ପରୀକ୍ଷା ପିଲା ଦେଇନି ତା’ହେଲେ ସମ୍ମେଟିଭ୍‌-୨ ପରୀକ୍ଷା ପାଇଁ ସେହି ପିଲା ଯୋଗ୍ୟ ହେଲା କେମିତି? କେଉଁ ଆଧାରରେ ସେହି ପିଲାର ଫର୍ମ ପୂରଣ କରାଗଲା ଏଭଳି ଅନେକ ପ୍ରଶ୍ନ ଏବେ ତଦନ୍ତର ଅପେକ୍ଷା ରଖୁ୍‌ଥିବାବେଳେ ଏ ସଂପର୍କରେ ପରୀକ୍ଷା ପୂର୍ବରୁ ନିର୍ଦ୍ଦିଷ୍ଟ ମାପଦଣ୍ଡ ନିର୍ଦ୍ଧାରଣ କରାଯାଇଥିଲା ନା’ ନାହିଁ ? କିଏ ଏଥିପାଇଁ ଦାୟୀ? ଏତେ ସଂଖ୍ୟକ ପିଲା ଅନୁପସ୍ଥିତ ରହିବା ସଂପର୍କରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କ’ଣ ତଦନ୍ତ ରିପୋର୍ଟ ଆସୁଛି ତାକୁ ସମସ୍ତଙ୍କ ଅପେକ୍ଷା। ହେଲେ, ଯଦି ଗତବର୍ଷ ଭଳି କରୋନା ପାଇଁ ଚଳିତବର୍ଷ ମଧ୍ୟ ପରୀକ୍ଷା ହୋଇ ନଥାନ୍ତା ତା’ହେଲେ ଏହି ପିଲା ସବୁ ନିଶ୍ଚିତ ମାଟ୍ରିକ୍‌ ପାସ୍‌ କରିଥାଆନ୍ତେ। ଏହା ପଛରେ ସେଇ ରହସ୍ୟ ରହିଛି ନା’ ଏହା ବ୍ୟବସ୍ଥାର ବଡ ଭୁଲ୍‌.. ତାକୁ ନେଇ ସରକାର ତର୍ଜମା ନକଲେ ପୁଣି ଆଗାମୀ ବର୍ଷ ଏହାର ପୁରନାବୃତ୍ତି ଯେ ନହେବ ଏକଥାକୁ କିଏ ଦୃଢୋକ୍ତିର ସହିତ କହିବ ବୋଲି ଶିକ୍ଷାବିଦ୍‌ ମହଲରେ ଚର୍ଚ୍ଚା ହେଉଛି।

ଏହା ଭିତରେ ଏକ ଭିନ୍ନ ଦିଗ ସାମ୍ନାକୁ ଆସିଛି। ଯେଉଁ ଫର୍ମସବୁ ପୂରଣ କରି ବୋର୍ଡକୁ ପଠାଯାଇଛି ସେଥିରେ ପିଲାଙ୍କ ଠିକଣା ଓ ମୋବାଇଲ ନମ୍ବର ସ୍ଥାନରେ ପଡିଛି ସ୍କୁଲ ଶିକ୍ଷକ, ପିଅନଙ୍କ ନମ୍ବର। ଏପରିକି ଅନେକ କ୍ଷେତ୍ରରେ ଦିଆଯାଇଥିବା ନମ୍ବର ବି ଲାଗୁନି। ଅନୁପସ୍ଥିତ ଥିବା ପିଲାଙ୍କ ଠିକଣାରେ ଯେଉଁ ନମ୍ବର ଦିଆଯାଉଛି ତା’ ମଧ୍ୟ ଲାଗୁନି। ଯଦି ଜଣେ ନିଜେ ଫର୍ମ ପୂରଣ କରିଛି ତା’ହେଲେ ସେ ନିଜ ନମ୍ବର ଦେଲାନି କ’ଣ ପାଇଁ ବୋଲି ପ୍ରଶ୍ନ ଉଠିଛି। ଅନ୍ୟପଟେ ନବମ ଶ୍ରେଣୀରେ ପିଲାଙ୍କ ଏନ୍‌ରୋଲମେଣ୍ଟ ନମ୍ବର ସ୍କୁଲ ପକ୍ଷରୁ ବୋର୍ଡ ନିକଟରେ ପଞ୍ଜୀକରଣ କରାଯାଇଥାଏ। ସେହି ପଞ୍ଜୀକରଣ ନମ୍ବର ଅନୁସାରେ ପିଲା ମାଟ୍ରିକ୍‌ ପରୀକ୍ଷା ସମୟରେ ଫର୍ମ ପୂରଣ କରାଯାଇଥାଏ। ଉଦାହରଣଭାବେ ଯଦି ଗୋଟିଏ ବିଦ୍ୟାଳୟରେ ଶହେଜଣ ପିଲା ନବମ ଶ୍ରେଣୀ ପାଇଁ ଏନ୍‌ରୋଲମେଣ୍ଟ କରିଥାନ୍ତି ସେହି ଅନୁସାରେ ସବୁ ପିଲାଙ୍କ ଫର୍ମପୂରଣ କରାଇଥାନ୍ତି । ଯଦି ପିଲାଙ୍କ ସଂଖ୍ୟା କମିଯିବ ତେବେ କାଳେ ବିଇଓ, ଡିଇଓ ଓ ବୋର୍ଡ ପକ୍ଷରୁ ପ୍ରଶ୍ନ କରାଯିବ, ସେହି ଭୟରେ ବି ସ୍କୁଲ କର୍ତ୍ତୃପକ୍ଷ ପିଲା ବର୍ଷ ବର୍ଷ ଧରି ସ୍କୁଲକୁ ନଆସନ୍ତୁ ପଛେ ସବୁ ପିଲାଙ୍କ ଫର୍ମ ପୂରଣ କରିଦେଇପାରିଥାଆନ୍ତି ବୋଲି କୁହାଯାଉଛି। ଯେହେତୁ ଫର୍ମ ପୂରଣ ପାଇଁ ଟଙ୍କା ଦେବାକୁ ପଡୁନି ତେଣୁ କର୍ତ୍ତୃପକ୍ଷଙ୍କ ଗୁଡ୍‌ବୁକ୍‌ରେ ରହିବାକୁ ସ୍କୁଲ କର୍ତ୍ତୃପକ୍ଷ ଏଭଳି ବ୍ୟବସ୍ଥା ଆପଣାଇ ଥାଇପାରନ୍ତି। ମାଟ୍ରିକ୍‌ ଫର୍ମ ପୂରଣ ପାଇଁ କଡା ଗାଇଡ୍‌ ଲାଇନ୍‌ ନଥିବାବେଳେ ଏହାର ଫାଇଦା ଉଠାଉଛନ୍ତି ସ୍କୁଲ କର୍ତ୍ତୃପକ୍ଷ। କେବଳ ସ୍କୁଲ କର୍ତ୍ତୃପକ୍ଷ ଯେ ଏଥିପାଇଁ ଦାୟୀ, ତାହା କହିବା ଠିକ୍‌ ହେବନି। ସିଷ୍ଟମ୍‌ ବା ବ୍ୟବସ୍ଥା ଭିତରେ ଏହା ବର୍ଷ ବର୍ଷ ହେଲା ଚାଲିଛି। ଏଭଳି ଘଟଣାର ନା ହେଉଛି ତର୍ଜମା, ନା ହେଉଛି ସମୀକ୍ଷା। କେତେ ପିଲା ପ୍ରତିବର୍ଷ ମାଟ୍ରିକ୍‌ ପରୀକ୍ଷା ପ‌ରେ ଅନୁପସ୍ଥିତ ରହିଲେ ତା’ର ହିସାବ ଓ କାରଣ ମଧ୍ୟ ଖୋଜା ଯାଉନି।
କଟକ ଜିଲ୍ଲାରେ ୧୪୪୦ ଜଣ (୫ ପ୍ରତିଶତ ପିଲା) ମାଟ୍ରିକ୍‌ ପରୀକ୍ଷା ଦେଉ ନଥିବା ନେଇ ‘ସମ୍ବାଦ’ରେ ସଂପର୍କରେ ଖବର ପ୍ରକାଶନ ପରେ କଟକ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାଏକଙ୍କୁ ପିଲାଙ୍କ ଅନୁପସ୍ଥିତି ନେଇ ‌ପଚାରିବାରେ ସେ କହିଛନ୍ତି, ପିଲା କାହିଁକି ଅନୁପସ୍ଥିତ ରହିଛନ୍ତି ସେ ସଂପର୍କରେ ବିଦ୍ୟାଳୟଗୁଡିକୁ ରିପୋର୍ଟ ମଗାଯାଉଛି। ଉକ୍ତ ରିପୋର୍ଟର ତର୍ଜମା କରାଯାଇ ପଦ‌େକ୍ଷପ ନିଆଯିବ। ଅନ୍ୟପଟେ ନିଆଳି ଓ ଖୁଣ୍ଟୁଣୀ ହାଇସ୍କୁଲର ପିଲାମାନେ ରାଜ୍ୟ ବାହାରେ, ଇଟା ଭାଟିରେ କାମ କରୁଥିବା ଅଥବା ବିବାହ କରିସାରିଥିବା ଖବରର ତଦନ୍ତ କରିବା ପାଇଁ ଗଣ ଶିକ୍ଷା ବିଭାଗ ଜିଲ୍ଲା ଶିକ୍ଷା ବିଭାଗକୁ ଚିଠି କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର