ଦୂଷିତ ଜଳରୁ ବ୍ୟାପିଛି!, ବିଶିନାହାକାଣୀ ସ୍କୁଲ୍ ହଷ୍ଟେଲ୍‌ର ୬ଛାତ୍ରଙ୍କୁ ଜଣ୍ଡିସ୍

ଟାଙ୍ଗୀ: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ବିଶିନାହାକାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ଏବେ ଜଣ୍ଡିସ୍ ବ୍ୟାପିବାରେ ଲାଗିଛି। ଗତ ସପ୍ତାହକ ମଧ୍ୟରେ ଛାତ୍ରାବାସର ୬ ଜଣ ଛାତ୍ରଙ୍କଠାରେ ଜଣ୍ଡିସ୍ ଚିହ୍ନଟ ହୋଇଛି। ୪ ଜଣ ଛାତ୍ର କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହୋଇଥିବା ବେଳେ ୨ଜଣ ଘରକୁ ପଳାଇଥିବା ଜଣାପଡିଛି। ତେବେ, ଜଣ୍ଡିସ୍ ବ୍ୟାପିବାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ସୂଚନା ମୁତାବକ, ଏହି ବିଦ୍ୟାଳୟ ୧୬୦ ଜଣ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଛାତ୍ର ଓ ୧୦୦ ଜଣ ଛାତ୍ରୀଙ୍କ ପାଇଁ ପୃଥକ ହଷ୍ଟେଲ ରହିଛି। ପାନୀୟ ଜଳ ପାଇଁ ଦୁଇଟି ହଷ୍ଟେଲ୍‌ ନିକଟରେ ଦୁଇଟି ବୋରୱେଲ୍ ଓ ଗୋଟିଏ କୂଅ ରହିଛି। ତେବେ କେବଳ ଛାତ୍ରଙ୍କ ହଷ୍ଟେଲ ପାଇଁ ବ୍ୟବହାର ହେଉଥିବା ଜଳ ଦୂଷିତ ହୋଇ ଏଭଳି ଘଟିଥିବା ଆଶଙ୍କା କରାଯାଉଛି।

ଖବର ପାଇ ଡାକ୍ତରୀ ଟିମ୍ ସହିତ କଟକ ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶ୍ରୀ ମଧୁସ୍ମିତା ମହାପାତ୍ର, ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି, ଗରୁଡ଼ଗାଁ ସରପଞ୍ଚ ଦୀପ୍ତିମୟୀ ବେହେରା ପ୍ରମୁଖ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଛାତ୍ରଛାତ୍ରୀଙ୍କ ପାଇଁ ଗରୁଡ଼ଗାଁ ପଞ୍ଚାୟତ ପକ୍ଷରୁ ପାଣି ଟ୍ୟାଙ୍କର୍‌ ବନ୍ଦୋବସ୍ତ କରାଯାଇଥିବା ବେଳେ ବ୍ଲକ୍ ପକ୍ଷରୁ ପାଣି ବୋତଲ ପ୍ରଦାନ କରାଯାଇଛି। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ପାନୀୟଜଳ ଉତ୍ସଗୁଡ଼ିକୁ ବିଶୋଧନ କରାଯାଇଥିବା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସଙ୍ଗୀତା ବିଶୋଇ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର