ଛାତ୍ରଛାତ୍ରୀଙ୍କ‌ ଜୋତା, ପୋଷାକକୁ ନେଇ ଅଜବ ନିଷ୍ପତ୍ତି

ସାରା ରାଜ୍ୟରେ ୬୦୦ଟଙ୍କା; କଟକରେ ୫୫୦

କଟକ: ସ୍କୁଲ ପିଲାଙ୍କୁ ମାଗଣା ପୋଷାକ ଓ ଜୋତା ଦେବା ପାଇଁ ରାଜ୍ୟରେ ଜଣେ ଛାତ୍ର/ଛାତ୍ରୀ ପିଛା ସରକାର ୬ଶହ ଟଙ୍କା ଖର୍ଚ୍ଚ ବ୍ୟବସ୍ଥା କରିଥିବା ବ‌େଳେ କଟକ ଜିଲ୍ଲା ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ କିନ୍ତୁ ୫୫୦ ଟଙ୍କା ଧାର୍ଯ୍ୟ ହୋଇଛି। ଜିଲ୍ଲାର ଅଧିକାଂଶ ବିଦ୍ୟାଳୟରେ ଏହି ଆର୍ଥିକ ଅନୁଦାନ ପହଞ୍ଚି ନଥିଲେ ମଧ୍ୟ ଜିଲ୍ଲାସ୍ତରରେ ଛାତ୍ରଛାତ୍ରୀଙ୍କୁ ଜଣପିଛା ୫୫୦ଟଙ୍କା ହିସାବରେ ଦେବାକୁ କାଗଜପତ୍ର ପ୍ରସ୍ତୁତ ହୋଇସାରିଛି। ଏ ସଂକ୍ରାନ୍ତରେ ବିଜ୍ଞପ୍ତି ବିଦ୍ୟାଳୟରେ ପହଞ୍ଚିବା ପରେ ପ୍ରଧାନ ଶିକ୍ଷକମାନେ ଅଡୁଆରେ ପଡ଼ିଛନ୍ତି। ଗୋଟିଏ ପଟେ ପିଲାଙ୍କୁ ଗୁଣାତ୍ମକ ମାନର ପୋଷାକ ଓ ଜୋତା ଦେବାକୁ ଓସେପା ନିର୍ଦ୍ଦେଶ ଦେଇଥିବା ବେଳେ ଅନ୍ୟ ପକ୍ଷରେ ଖର୍ଚ୍ଚ କାଟ୍‌କୁ ନେଇ ପ୍ରଧାନଶିକ୍ଷକମାନେ ଚିନ୍ତାରେ ରହିଛନ୍ତି। ପୁଣି ବିଗତ ୩ବର୍ଷ ହେଲା ପୋଷାକ ଓ ଜୋତା ବାବଦକୁ ଜଣପିଛା ୬୦୦ ଟଙ୍କା ମିଳୁଥିବା ଏବର୍ଷ କ’ଣ ପାଇଁ ୫୫୦ ଟଙ୍କା ଦେବାକୁ ସ୍ଥିର ହୋଇଛି ବୋଲି ଅନେକ ପ୍ରଶ୍ନ କରିଛନ୍ତି।

ସମଗ୍ର ଶିକ୍ଷା ଯୋଜନାରେ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚପ୍ରାଥମିକ, ହାଇସ୍କୁଲରେ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପୋଷାକ, ଜୋତା, ମୋଜା ପାଇଁ ଜଣପିଛା ୬ଶହ ଟଙ୍କା ହିସାବରେ ଆର୍ଥିକ ଅନୁଦାନ ବିଦ୍ୟାଳୟକୁ ଆସିଥାଏ। ପୂର୍ବବର୍ଷ ମାନଙ୍କ ଭଳି ଚଳିତ ଶିକ୍ଷାବର୍ଷରେ ଜୁଲାଇ ୭ତାରିଖରେ ଓସେପା ପକ୍ଷରୁ ପୋଷ‌ାକ ବଣ୍ଟନ ପାଇଁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କ ପାଖକୁ ଚିଠି ଆସିଛି। ସଂପୃକ୍ତ ଚିଠିରେ ଛାତ୍ରଛାତ୍ରୀଙ୍କୁ ଜଣପିଛା ୪୦୦ ଟଙ୍କା ମୂଲ୍ୟରେ ୨ହଳ ସ୍କୁଲ ପୋଷାକ, ଜଣ ପିଛା ୨୦୦ ଟଙ୍କା ମୂଲ୍ୟରେ ୧ହଳ ଜୋତା ଓ ୨ହଳ ମୋଜା ବଣ୍ଟନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁଣି ପିଲାଙ୍କ ପୋଷାକ ଓ ଜୋତାର ରଙ୍ଗ ଓ ଗୁଣବତ୍ତା ଉପରେ ବି‌ଶେଷ ଧ୍ୟାନ ଦେବାକୁ କୁହାଯାଇଛି। ଏହା ସତ୍ତ୍ବେ କଟକ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ହାଇସ୍କୁଲ ପାଇଁ ଜଣପିଛା ୫୫୦ ଟଙ୍କା ହିସାବରେ ଅର୍ଥ ଅନୁମ‌ୋଦନ ହୋଇଛି। ଏହାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୂର୍ବବର୍ଷ ଅନୁସାରେ ଦରଦାମ ବୃଦ୍ଧି ହୋଇଥିବା ବିଶେଷ କରି ଜୋତା ଦାମ ଅଧିକ ବଢ଼ିଥିବା ବ‌େଳେ ୫୦ ଟଙ୍କା କମାଇ ଦେବାର ଯଥାର୍ଥତାକୁ ନେଇ ଅନେକ ପ୍ରଧାନଶିକ୍ଷକ ପ୍ରଶ୍ନ ଉଠାଇଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ପରିଚାଳନା ସମିତି(ଏସ୍‌ଏମ୍‌ସି)ର କାର୍ଯ୍ୟାଳୟ ସେପ୍ଟେମ୍ବର ୩୦ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବାରୁ ପୋଷାକ ଚୟନ ବୈଠକରେ ପରିଚାଳନା କମିଟି କର୍ମକର୍ତ୍ତା ଏ ବିଷୟରେ ପ୍ରଶ୍ନ ଉଠାଇଲେ, ପ୍ରଧାନଶିକ୍ଷକ ମାନେ ସମସ୍ୟାରେ ପଡ଼‌ିବେ। ଏ ସଂକ୍ରାନ୍ତରେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି, ସରକାରଙ୍କ ପକ୍ଷରୁ ପିଲାଙ୍କ ପୋଷାକ, ଜୋତା, ମୋଜା ବାବଦକୁ ଜଣପିଛା ୬ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। କିନ୍ତୁ କଟକ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିଯାଇଥିବାରୁ ସବୁ ପିଲା ଯେପରି ପୋଷାକ, ଜୋତା, ମ‌ୋଜା ପାଇବେ ତାହାର ବ୍ୟବସ୍ଥା କରାଯାଇଛି। ଏମିତି କିଛି ସ୍କୁଲ ରହିଛି, ପିଲା ୨୨ଜଣ ପଢ଼ୁଥିଲେ, ତାହାକୁ ଅଧିକ କରି ଦର୍ଶାଯାଇଛି। ତେଣୁ ପ୍ରକୃତରେ ଖର୍ଚ କାଟ କରାଯାଇନାହିଁ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନାୟକ ସୂଚନା ‌ଦେଇଛନ୍ତି।

ସମ୍ବନ୍ଧିତ ଖବର